ଚୋରା ଟ୍ରକ ସହ ୮୦ଲକ୍ଷ ଟଙ୍କାର ଯନ୍ତ୍ରାଂଶ ଜବତ, ଗ୍ୟାରେଜ ମାଲିକ ଗିରଫ…

ବ୍ରହ୍ମପୁର : ଗୋଳନ୍ଥରା ଥାନା ପୁଲିସକୁ ମିଳିଛି ଏକ‌ବଡ ସଫଳତା। ଦୀର୍ଘ ଦିନ ଧରି ଚୋରା ଟ୍ରକ ସହ ଭାରିଯାନକୁ କାଟି ଯନ୍ତ୍ରାଂଶକୁ ବିକ୍ରି ଏବଂ ଚୋରା ଭାରିଯାନର ଇଞ୍ଜିନ ଓ ଚେସିସ ନମ୍ବରକୁ ପରିବର୍ତ୍ତନ କରି ବିକ୍ରୀ କରିବା ଅଭିଯୋଗରେ ଜଣେ ଗ୍ୟାରେଜ ପୁଲିସ ମାଲିକଙ୍କୁ ଗିରଫ କରିଛି। ଏହାସହ ଗ୍ୟାରେଜ ପରିସରରୁ ୮୦ ଲକ୍ଷ ଟଙ୍କାର ବିଭିନ୍ନ ଯନ୍ତ୍ରାଂଶ ଜବତ କରାଯାଇଛି। ଗିରଫ ବ୍ୟକ୍ତି ଜଣଙ୍କ ବଡ଼ବଜାର ଥାନା ଅନ୍ତର୍ଗତ ଶାସ୍ତ୍ରୀ ନଗରର ହାଡୁ ନାୟକ (୫୨) ଓରଫ ହାଡ଼ି ପାଣ୍ଡେ ବୋଲି ପୁଲିସ ସୂଚନା ଦେଇଛି।

ଚମାଖଣ୍ଡି ଥାନା ଅଧୀନ ବଣବୁଲାପଲ୍ଲୀ ଅଞ୍ଚଳର ଆର.ସୁଧାଂଶୁ ପ୍ରସାଦ ରାଓ ଗତ ୧୫ ଦିନ ପୂର୍ବେ ନିଜ ହାଇୱା ଟ୍ରକ ନଂ ଓଆର ୨୩ସି -୮୯୧୬ ଅଟୋ ନଗର ସ୍ଥିତ ମିଟୁ ଗ୍ୟାରେଜରେ ମରାମତି ପାଇଁ ଦେଇଥିଲେ l ସୁଧାଂଶୁ ଉକ୍ତ ଗ୍ୟାରେଜକୁ ଆସି ଦେଖିବାକୁ ପାଇଥିଲେ ତାଙ୍କ ହାଇୱା ଟ୍ରକଟି ସେଠାରେ ନଥିଲା l ଖୋଜା ଖୋଜି କରିବା ବେଳେ ହଳଦିଆପଦର ନୂଆଁ ବସଷ୍ଟାଣ୍ଡ ପଛପଟେ ୩ ଜଣ ଦୁର୍ବୃତ୍ତ ଗ୍ୟାସ କଟର ସାହାଯ୍ୟରେ ଗାଡିଟିକୁ କାଟୁଥିବା ସୁଧାଂଶୁ ଦେଖିବାକୁ ପାଇଥିଲେ। ସୁଧାଂଶୁକୁ ଦେଖି ଘଟଣା ସ୍ଥଳରୁ ଦୁର୍ବୃତ୍ତମାନେ ଚମ୍ପଟ ମାରିଥିଲେ। ଏନେଇ ସୁଧାଂଶୁ ଗୋଳନ୍ଥରା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ପୁଲିସ ପକ୍ଷରୁ ଏଥିରେ ସମ୍ପୃକ୍ତ ଥିବା ଅଭିଯୋଗରେ ବ୍ରହ୍ମପୁର ଖାଜା ସାହିର ଆଫଜଲ ବାଗ ଏବଂ ବି.ନାରାୟଣଙ୍କୁ କୋର୍ଟ ଚାଲାଣ କରିଥିଲା।

ଏହି ଘଟଣାର ତଦନ୍ତ ସମୟରେ ଅନ୍ୟ ଏକ ଗ୍ୟାରେଜ ପରିସରରେ ଅଧା କଟା ଅବସ୍ଥାରେ ଥିବା ଏକ ଟ୍ରଲର ସହ କେତେକ ପୁରୁଣା ଯନ୍ତ୍ରାଂଶ ରଖିଥିବା ଅଭିଯୋଗରେ ଗ୍ୟାରେଜ ମାଲିକ ବ୍ରହ୍ମପୁର ଖାଜା ସାହିର ମୁକ୍ତିର ବାଗ‌କୁ ମଧ୍ୟ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଏହି ଦୁଇ ଘଟଣା ପରେ ଥାନା ଆଇଆଇସି ବିବେକାନନ୍ଦ ମହନ୍ତଙ୍କ ପକ୍ଷରୁ ଅଟୋ ନଗର ପରିସରରେ ଥିବା ବିଭିନ୍ନ ଗ୍ୟାରେଜ ଓ ସ୍କ୍ରାପ ଦୋକାନ ଯାଞ୍ଚ କରିବା ସମୟରେ ହାଡୁଙ୍କ ଗ୍ୟାରେଜ ପରିସରରୁ ୬ ଟି ବିନା କାଗଜପତ୍ରର ଟ୍ରକ ଜବତ ସହ ୧୩ଟି ଭାରିଯାନ ଇଞ୍ଜିନ, ୭୦ ପିସ କାଟାପ୍ଲେଟ, ୧୦ ଟି ହାଉସିଙ୍ଗ ପାଇପ, ୫ ଟି ସାମାନା ଏକ୍ସଇଲ ସହ ଅନ୍ୟାନ୍ୟ ମୂଲ୍ୟବାନ ଯନ୍ତ୍ରାଂଶ, ୩ଟି ଗ୍ୟାସ ସିଲିଣ୍ଡର, ୨ ଟି ଭାରିଯାନର ଚଏସଇସ,୨ ଟି ଗ୍ୟାସ କଟର ମେସିନ ଜବତ କରାଯାଇଛି। ଯାହାର ଆନୁମାନିକ ମୂଲ୍ୟ ୮୦ ଲକ୍ଷ ଟଙ୍କା ବୋଲି ଆଇଆଇସି ବିବେକାନନ୍ଦ ମହନ୍ତ ସୂଚନା ଦେଇଛି। ଜବତ ହୋଇଥିବା ଟ୍ରକ ଗୁଡ଼ିକର ଯାଞ୍ଚ କରାଯାଇ କେଉଁ ଅଞ୍ଚଳରୁ ଏହାକୁ ଚୋରି କରି କିଏ ବିକ୍ରି କରୁଥିଲା ତାହା ନେଇ ଅଧିକ ତଦନ୍ତ କରାଯିବା ସହ ଏଥିରେ ସମ୍ପୃକ୍ତ ରହିଥିବା ଅନ୍ୟ ଅଭିଯୁକ୍ତ ମାନଙ୍କୁ ମଧ୍ୟ ଗିରଫ କରାଯିବ ବୋଲି ଶ୍ରୀ ମହନ୍ତ ସୂଚନା ଦେଇଛନ୍ତି।

nis-ad
Leave A Reply

Your email address will not be published.