ଏମସିପି କାର୍ଡ଼ ଅଭାବୀ ଯୋଗାଣ : କାର୍ଡ଼ ଯୋଗାଇବାକୁ ଦାବି…

ହିଞ୍ଜିଳିକାଟୁ,୨୨ା୨: ହିଞ୍ଜିଳିକାଟୁ ମ୍ୟୁନିସପାଲଟି ଓ ବ୍ଳକରେ ଜେଏସୱାଇ ଯୋଜନାରେ ଗର୍ଭବତୀ ମହିଳାଙ୍କୁ ମା ଓ ଶିଶୁ ସୁରକ୍ଷା କାର୍ଡ଼ (ଏମସିପି) ଅଭାବ କାରଣରୁ ପ୍ରଦାନ ହୋଇ ପାରୁନଥିବାରୁ ଅଭିଯୋଗ ହେଉଛି । ଫଳରେ ହିତାଧିକାରୀ ସରକାରୀ ଡ଼ାକ୍ତରଖାନାରେ ସ୍ୱାସ୍ଥ୍ୟ ପରୀକ୍ଷା ସମେତ ଟୀକା ପ୍ରଦାନରେ ଓ ଅନ୍ୟାନ୍ୟ କ୍ଷେତ୍ରରେ ସମସ୍ୟା ସୃଷ୍ଟି ହେଉଛି । ଗର୍ଭଧାରଣର ୩ମାସ ମଧ୍ୟରେ ମହିଳାଙ୍କ ପଞ୍ଜିକରଣ ଅଙ୍ଗୱାଡ଼ି କେନ୍ଦ୍ରରେ କରାଯାଇ ତାଙ୍କୁ ସଙ୍ଗେ ସଙ୍ଗେ ମା ଓ ଶିଶୁ ସୁରକ୍ଷା ପତ୍ରିକା ପ୍ରଦାନ କରିବା କଥା । ତେବେ ହିଂଜିଳିକାଟୁ ସିଡ଼ିପିଓ କାର୍ଯ୍ୟାଳୟ ଅନ୍ତର୍ଗତ ବିଭିନ୍ନ ଅଙ୍ଗନୱାଡ଼ି କେନ୍ଦ୍ରରେ ଏହି କାର୍ଡ଼ ନଥିବାରୁ ହିତାଧିକାରୀଙ୍କୁ ପ୍ରଦାନ କରାଯାଇ ପାରୁନାହିଁ । ହିଂଜିଳିକାଟୁ ମ୍ୟୁନିସପାଲଟିର ୱା଼ର୍ଡ଼ ନଂ ୧୬, ୧୭ରେ କିଛି ଗର୍ଭବତୀ ମହିଳାଙ୍କୁ ୫ମାସ ଗର୍ଭଧାରଣ ପରେ ମଧ୍ୟ ଏହି କାର୍ଡ଼ ପ୍ରଦାନ କରାଯାଇନଥିବା ଅଭିଯୋଗ ହୋଇଛି । କାର୍ଡ଼ ଅଭାବରୁ ଗର୍ଭବତୀଙ୍କ ୩ମାସ ପରେ ସ୍ୱାସ୍ଥ୍ୟ ଓ ଅନ୍ୟାନ୍ୟ ରିପୋର୍ଟ ସର୍ଭେ ଫର୍ମ ପୂରଣ ହୋଇ ପାରୁନାହିଁ । ମା ଓ ଶିଶୁ ସୁରକ୍ଷା ପତ୍ରିକା ଅଭାବୀ ନେଇ ହିଂଜିଳିକାଟୁ ସିଡ଼ିପିଓ ଗାଙ୍ଗି ସୁବୁଦ୍ଧିଙ୍କ ସହ ଯୋଗାଯୋଗ ପରେ ସେ ଏହି କାର୍ଡ଼ ସରିଯାଇଥିବା ଓ ଖୁବ ଶୀଘ୍ର ଏହି କାର୍ଡ଼ ଉପଲବ୍ଧ ହେବ ବୋଲି କହିଛନ୍ତି । ମା ଓ ଶିଶୁ ସୁରକ୍ଷା ପତ୍ରିକା ତୁରନ୍ତ ଯୋଗାଣ ପାଇଁ ବହୁ ହିତାଧିକାରୀ ଦାବି କରିଛନ୍ତି ।

nis-ad
Leave A Reply

Your email address will not be published.