ସୁନ୍ଦରଗଡ଼ ଜିଲ୍ଲାପାଳଙ୍କ କୁଆରମୁଣ୍ଡା ବ୍ଲକ୍‌ ଗସ୍ତ…

ହାଇସ୍କୁଲ ରୂପାନ୍ତରଣ, ବାଲା ମଡେଲ ଅଙ୍ଗନବାଡ଼ି, ସମନ୍ଵିତ ଭୌତିକ ଚିକିତ୍ସା ସେବା ଓ ଆରୋଗ୍ୟ କେନ୍ଦ୍ର ଏବଂ ୱାଡି ପ୍ରକଳ୍ପର ଅଗ୍ରଗତି ଅନୁଧ୍ୟାନ

କୁଆରମୁଣ୍ଡା : ସୁନ୍ଦରଗଡ଼ ଜିଲ୍ଲାପାଳ ଡାକ୍ତର ପରାଗ ହର୍ଷଦ ଗାଭାଲି କୁଆରମୁଣ୍ଡା ବ୍ଲକ୍ ଗସ୍ତରେ ଆସି ବିଭିନ୍ନ ଜନକଲ୍ୟାଣ କାର୍ଯ୍ୟକ୍ରମର ଅଗ୍ରଗତି ଅନୁଧ୍ୟାନ କରିଛନ୍ତି। ସୋମବାର ଦିନ ସେ ସମନ୍ଵିତ ଭୌତିକ ଚିକିତ୍ସା ସେବା ଓ ଆରୋଗ୍ୟ କେନ୍ଦ୍ର, ହାଇସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମ, ବାଲା ମଡେଲ ଅଙ୍ଗନବାଡ଼ି କେନ୍ଦ୍ର ଏବଂ ୱାଡି ପ୍ରକଳ୍ପ ଆଦି ବୁଲି ଦେଖିଥିଲେ।

ଏହି କ୍ଷେତ୍ର ପରିଦର୍ଶନ ବେଳେ ଜିଲ୍ଲାପାଳ ବିଭିନ୍ନ ଜନକଲ୍ୟାଣ କାର୍ଯ୍ୟକ୍ରମର ହିତାଧିକାରୀଙ୍କ ସହ ସୁବିଧା ଅସୁବିଧା ବିଷୟରେ ସିଧାସଳଖ ପଚାରି ବୁଝିଥିଲେ। ଏହା ସହ ଅଧାରେ ଅଟକିଥିବା ବିଭିନ୍ନ ପ୍ରକଳ୍ପ କାମ ଶୀଘ୍ର ଶେଷ କରିବାକୁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ଜିଲ୍ଲାପାଳ କୁଆରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନରେ ଯାଇଥିଲେ। ସେଠାରେ ସେ ବିଭିନ୍ନ ୱାର୍ଡ ବୁଲି ଦେଖିବା ସହ ଚାଲିଥିବା ନିର୍ମାଣ କାର୍ଯ୍ୟ ଶୀଘ୍ର ଶେଷ କରିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହାସହ ଜିଲ୍ଲାପାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଥିବା ସମନ୍ୱିତ ଭୌତିକ ଚିକିତ୍ସା ସେବା ଓ ଆରୋଗ୍ୟ କେନ୍ଦ୍ରକୁ ଯାଇ ଅତ୍ୟାଧୁନିକ ଫିଜିଓଥେରାପି ସେବା ପାଇଁ ରହିଥିବା ବିଭିନ୍ନ ବ୍ୟବସ୍ଥାର ଅନୁଧ୍ୟାନ କରିଥିଲେ।

ରାଜ୍ୟ ସରକାରଙ୍କ ୫ଟି ଅଧୀନରେ ସୁନ୍ଦରଗଡ଼ ଜିଲ୍ଲାରେ ହାଇସ୍କୁଲ ରୂପାନ୍ତରଣ କରାଯାଉଛି। ଏହି ଅବସରରେ ଜିଲ୍ଲାପାଳ ରୂପାନ୍ତରିତ ଡୁମେରଜୋର ସରକାରୀ ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରିଥିଲେ। ସେଠାରେ ସେ ସ୍ମାର୍ଟ କ୍ଲାସରୁମ, ଆଧୁନିକ ବିଜ୍ଞାନାଗାର, ଲାଇବ୍ରେରି, କମ୍ପ୍ୟୁଟର ଲ୍ୟାବ ଏବଂ ଖେଳପଡ଼ିଆ ଆଦି ବୁଲି ଦେଖିଥିଲେ। ଏଥି ସହ ରତାଖଣ୍ଡିସ୍ଥିତ ଜନତା ହାଇସ୍କୁଲରେ ଚାଲିଥିବା ରୂପାନ୍ତରଣ କାର୍ଯ୍ୟର ମଧ୍ୟ ଅଗ୍ରଗତି ଅନୁଧ୍ୟାନ କରିଥିଲେ।

ଜିଲ୍ଲାର ଖଣି ପ୍ରଭାବିତ ବ୍ଳକର କ୍ଷୁଦ୍ର ଓ ନାମମାତ୍ର ଚାଷୀମାନଙ୍କର ଦୀର୍ଘସ୍ଥାୟୀ ଜୀବିକା ପାଇଁ ୱାଡି ପ୍ରକଳ୍ପ କରାଯାଉଛି। ଜିଲ୍ଲାପାଳ କୁଆରମୁଣ୍ଡା ବ୍ଲକର ଡୁମେରଜୋର ଏବଂ ଉଷ୍ରା ସ୍ଥିତ ୱାଡି ପ୍ରକଳ୍ପ ସ୍ଥଳକୁ ଯାଇଥିଲେ। ସେଠାରେ ସେ ହିତାଧିକାରୀମାନଙ୍କୁ ଇଣ୍ଟରରକ୍ରପିଂ ଓ ଜଳସେଚନର ସୁବିଧା ଆଦି ବିଷୟରେ ପଚାରି ବୁଝିଥିଲେ। ଏଥିସହ ରତାଖଣ୍ଡିର ନୂଆକରି ହେଉଥିବା ୱାଡି ପ୍ରକଳ୍ପ ସ୍ଥଳ ପରିଦର୍ଶନ କରି କାର୍ଯ୍ୟର ଅଗ୍ରଗତି ଅନୁଧ୍ୟାନ କରିଥିଲେ।

ଏହି ଗସ୍ତ ବେଳେ ଜିଲ୍ଲାପାଳଙ୍କ ସହିତ ଜିଲ୍ଲାପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ମନୋଜ ସତ୍ୟବାନ ମହାଜନ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ସରୋଜ କୁମାର ମିଶ୍ର, ପାନପୋଷ ଉପଜିଲ୍ଲାପାଳ ଅଭିମନ୍ୟୁ ମାଝି, ସହକାରୀ ଉଦ୍ୟାନ କୃଷି ନିର୍ଦ୍ଦେଶକ ମାନସିଂହ ସୋରେନ, ଜିଲ୍ଲା ଶିକ୍ଷା ଅଧିକାରୀ ଅମୂଲ୍ୟ କୁମାର ପଧାନ, କୁଆରମୁଣ୍ଡା ବିଡିଓ ତୃପ୍ତି ବରାଇ ପ୍ରମୁଖ ଯୋଗ ଦେଇଥିଲେ।

nis-ad
Leave A Reply

Your email address will not be published.