ମା’ ରାମଚଣ୍ଡୀଙ୍କ ନୂତନ ବିଗ୍ରହ ପ୍ରତିଷ୍ଠା ମହୋତ୍ସବ…

ବେଦଧ୍ୱନିରେ କମ୍ପିଉଠୁଛି ରାମଚଣ୍ଡୀ ପୀଠ : ମାଙ୍କ ଦର୍ଶନ ଲାଗି ଲାଗୁଛି ଭିଡ

ଛତ୍ରପୁର :(୧୦/୨) ଛତ୍ରପୁର ଉପକଣ୍ଠର ନିଳାଦ୍ରିପୁର ଗ୍ରାମ ପାହାଡ ଶିଖରେ ବିଜେ କରିଥିବା ମା ରାମଚଣ୍ଡୀଙ୍କ ନୂତନ ବିଗ୍ରହ ପ୍ରତିଷ୍ଠା ମହୋତ୍ସବ ଗତ ବୁଧବାର ଠାରୁ ରୀତିନୀତି ଅନୁଯାୟୀ ପାଳନ ହୋଇ ଆସୁଛି । ଏହି ଅବସରରେ ମାଙ୍କୁ ଦର୍ଶନ କରିବା ଲାଗି ଗଞ୍ଜାମ ଜିଲ୍ଲାର ବିଭିନ୍ନ କୋଣ ଅନୁକୋଣରୁ ଭକ୍ତ ମାନେ ମାଙ୍କ ମନ୍ଦିରକୁ ଛୁଟି ଆସୁଛନ୍ତି । ଆଉ ସେମାନେ ଯେପରି ସୁବିଧାରେ ମାଙ୍କ ଦର୍ଶନ କରିପାରିବେ ସେଥି ଲାଗି ମନ୍ଦିର ପରିଚାଳନା କମିଟି ପକ୍ଷରୁ ବହୁ ସ୍ୱେଚ୍ଛାସେବୀ ମାନଙ୍କୁ ନିୟୋଜିତ କରାଯାଇଛି ।
ଛୋଟ ପିଲା ଠାରୁ ଆରମ୍ଭ କରି ଆବାଳ ବୃଦ୍ଧବନିତା ଏପରିକି ବୃଦ୍ଧ ଓ ବୃଦ୍ଧା ମାନେ ସବୁ କଷ୍ଟକୁ ପଛରେ ପକାଇ ମାଙ୍କ ଆଶିଷ ଲାଭ କରିବା ପାଇଁ ପାହାଡକୁ ଆସିଥାନ୍ତି । ଭକ୍ତ ମାନଙ୍କ ସୁବିଧା ଲାଗି ମନ୍ଦିର କମିଟି ପକ୍ଷରୁ ସ୍ୱତନ୍ତ୍ର ଗାଡିର ବ୍ୟବସ୍ଥା କରାଯାଇଥିବା ବେଳେ ପାହାଡକୁ ଯିବା ପାଇଁ ଥିବା ରାସ୍ତାର ବିଭିନ୍ନ ସ୍ଥାନରେ ଜଳ ଛତ୍ର ମାନ ଖୋଲାଯାଇଛି । ବିଭିନ୍ନ ଆଲୋକ ତୋରଣରେ ସାରା ପର୍ବତକୁ ସୁସଜ୍ଜିତ କରାଯାଇଛି । ମାଙ୍କ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ନିମନ୍ତେ ନିଳାଦ୍ରିପୁର, କରପଡା, ଆଲିଆବାଦ ଓ ବିରିପୁର ଗ୍ରାମ ସମେତ ଆଖପାଖ ଅଂଚଳ ମଧ୍ୟ ବେଶ୍ ଉତ୍ସବମୁଖର ହୋଇପଡିଛି ।
ଏହି ଅବସରରେ ଘୃତ ଯଜ୍ଞ, ଅନ୍ନ ଯଜ୍ଞ, ଦୀପ ଯଜ୍ଞ, ଗୋ ଯଜ୍ଞ, ଜ୍ଞାନ ଯଜ୍ଞ, ବ୍ରହ୍ମ ଯଜ୍ଞ ଓ ନାମ ଯଜ୍ଞ ଆଦି ମହା ଆଡମ୍ଭର ସହକାରେ ଚାଲୁ ରହିଥିବା ବେଳେ ଆଜି ଗୋ ଯଜ୍ଞରେ ଏକ ଛୋଟ ପିଲା ସାମିଲ ହୋଇ ଗୋମାତାକୁ ସେବା କରୁଥିବାର ଦୃଶ୍ୟ ଯେପରିକି, ସମସ୍ତଙ୍କୁ ଅତ୍ୟନ୍ତ ମନମୁଗ୍ଧ କରିପାରିଛି । ପ୍ରତିଦିନ ସକାଳୁ ମନ୍ଦିର ପ୍ରତିଷ୍ଠା ର କର୍ମାରମ୍ଭ ହୋଇଥିବା ବେଳେ ସୂର୍ଯ୍ୟ ପୂଜା, ଗୋପୂଜା, ଶାଲା ସଂସ୍କାର, ବନ ଯଜ୍ଞ, ରତ୍ନମୁଦ୍ରା, ସଂସ୍କାର ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଶୁକ୍ରବାର ଦେବତାଦେହେ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ରିତୀନିତୀ ଅନୁଯାୟୀ ଅଭିଜ୍ଞ ବ୍ରାହ୍ମଣ ମାନଙ୍କ ପବିତ୍ର ବେଦଧ୍ୱନିରେ ସମ୍ପନ୍ନ ହୋଇଛି । ମାଙ୍କ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ଲାଗି ଛତ୍ରପୁର ଉପକଣ୍ଠରେ ଏକ ଆଧ୍ୟାତ୍ମିକ ପରିବେଶ ଅନୁଷ୍ଠିତ ହୋଇଛି ।
ଖାଲି ସେତିକି ନୁହେଁ, ମାଙ୍କ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ଆକର୍ଷଣ କରିବା ଲାଗି ଏବଂ ଛୋଟ ଛୋଟ ପିଲାମାନଙ୍କ ମନୋରଞ୍ଜନ ପାଇଁ ପାହାଡ ପାଦ ଦେଶରେ ମନ୍ଦିର ପରିଚାଳନା କମିଟି ପକ୍ଷରୁ ରାମଦୋଳି, ମୀନା ବଜାର ସମେତ ଭଜନ ସମାରୋହର ଆୟୋଜନ କରାଯାଇଛି । ପ୍ରତିଦିନ ନାମ ସଂକୀର୍ତ୍ତନ ସାଙ୍ଗକୁ ଅନ୍ନ ପ୍ରସାଦର ବ୍ୟବସ୍ଥା କରାଯାଇଥିବାରୁ ହଜାର ହଜାର ଭକ୍ତ ମାଙ୍କ ପୀଠକୁ ଆସି ମାଙ୍କୁ ଦର୍ଶନ କରିବା ସହିତ ଅନ୍ନ ପ୍ରସାଦ ସେବନ କରି ଆନନ୍ଦରେ ଘରକୁ ଫେରୁଥିବା ଦେଖିବାକୁ ମିଳିଛି । ଏହି ଅବସରରେ ଶନିବାର ତ୍ରୀଶୂଳ ଓ ଧ୍ୱଜ ସ୍ଥାପନା ହେବାକୁ ଥିବା ବେଳେ ରବିବାର ମା ରାମଚଣ୍ଢୀଙ୍କ ସିଂହାସନ ଆରୋହଣ ଓ ସୋମବାର ଦିନ ନାମ ବିଶ୍ରାମ ଓ ନଗର କୀର୍ତ୍ତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଥିବା ମନ୍ଦିର ପରିଚାଳନା କମିଟି ପକ୍ଷରୁ ସୂଚନା ମିଳିଛି । ଆଇନ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ପାହାଡ ପାଦଦେଶ ଠାରୁ ଆରମ୍ଭ କରି ବିଭିନ୍ନ ସ୍ଥାନରେ ବହୁ ପୋଲିସ୍ ମୃତୟନ କରାଯାଇଛି । ସମସ୍ତ କାର୍ଯ୍ୟକ୍ରମକୁ ମନ୍ଦିର ପରିଚାଳନା କମିଟିର ସମସ୍ତ ସଦସ୍ୟ ପରିଚାଳନାରେ ସହ ଯୋଗ କରୁଛନ୍ତି ।

nis-ad
Leave A Reply

Your email address will not be published.