ଆଜିର ନାରୀ ଆସନ୍ତା କାଲିର ମା’… ଜ୍ଞାନପ୍ରଭା ମିଶନରେ କହିଲେ ରାଷ୍ଟ୍ରପତି ଦ୍ରୌପଦୀ…

ଭୁବନେଶ୍ୱର: ଭୁବନେଶ୍ୱରର ଉତ୍କଳ ମଣ୍ଡପଠାରେ ଆୟୋଜିତ ଜ୍ଞାନପ୍ରଭା ମିଶନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି ଦେଶର ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏଥିରେ ନିଜ ବକ୍ତବ୍ୟରେ ସେ କହିଛନ୍ତି ଯେ, ନାରୀମାନଙ୍କୁ ସୁରକ୍ଷା ଏବଂ ସମ୍ମାନ ଉପରେ ଅଧିକ ଯତ୍ନଶୀଳ ହେବା ଆବଶ୍ୟକ । ଆଧ୍ୟାତ୍ମିକ ଗୁରୁ ଯୋଗାନନ୍ଦଙ୍କ ମାତା ଜ୍ଞାନପ୍ରଭାଙ୍କ ଭଳି ଜଣେ ଆଦର୍ଶ ଜନନୀଙ୍କ ନାମରେ ଜ୍ଞାନପ୍ରଭା ମିଶନ ନାମକରଣ ହୋଇଥିବା ଜାଣି ସେ ଖୁବ ଆନନ୍ଦିତ ଥିବା ପ୍ରକାଶ କରିଛନ୍ତି ।

କାହିଁ କେତେ କାଳରୁ ମାଆଙ୍କ ପ୍ରେରଣା ଏବଂ ତ୍ୟାଗ ସନ୍ତାନମାନଙ୍କୁ ଉଚ୍ଚ ପଦବୀର ଏବଂ ସମ୍ମାନ ଅଧିକାରୀ କରିପାରିଛି । ମାଆଙ୍କ ପ୍ରେରଣାରେ ହିଁ ଅତିବଡି ଜଗନ୍ନାଥ ଦାସ ଓଡିଆ ଭାଗବତ ରଚନା କରିଥିଲେ । ସେହିପରି ଛତ୍ରପତି ଶିବାଜୀ ଏବଂ ମହାତ୍ମା ଗାନ୍ଧୀ ମଧ୍ୟ ମାଆଙ୍କ ପ୍ରେରଣାରେ ମହାନ୍ ବ୍ୟକ୍ତିତ୍ୱର ଆଖ୍ୟା ପାଇ ପାରିଛନ୍ତି । ଏହାସହିତ ରାଷ୍ଟ୍ରପତି କହିଛନ୍ତି ଯେ, ଆଜିକାଲି ଅପରାଧ ସବୁଆଡେ ବଢୁଥିବା ବେଳେ ଆଧ୍ୟାତ୍ମିକ ଚେତନାର ବିକାଶ ହେବା ଆବଶ୍ୟକ । ସେହିପରି ଭାରତ ଆର୍ଥିକ କ୍ଷେତ୍ରରେ ଏବେ ପଞ୍ଚମ ସ୍ଥାନରେ ଥିବା ବେଳେ ଏହାକୁ ପ୍ରଥମ ସ୍ଥାନକୁ ପହଞ୍ଚାଇବାର ଆଶା ରଖିଛନ୍ତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ । ତେବେ ଶରୀରକୁ ସୁସ୍ଥ ରଖିବା ସହ ଆତ୍ମାକୁ ମଧ୍ୟ ବଳ ଦେବାର ସମୟ ଆସିଯାଇଛି । ଏଥିପାଇଁ ଯୋଗ ହିଁ ଏକମାତ୍ର ବିକଳ୍ପ ହୋଇପାରେ ବୋଲି ସେ ପ୍ରକାଶ କରିଛନ୍ତି ।

ତେବେ ଏହି ଜ୍ଞାନପ୍ରଭା ମିଶନ କାର୍ଯ୍ୟକ୍ରମରେ ଏହାର ପ୍ରତିଷ୍ଠାତା ପରମହଂସ ପ୍ରଜ୍ଞାନନ୍ଦ ପ୍ରଥମେ ଆଶୀର୍ବାଦ ପ୍ରଦାନ କରିଥିଲେ । ସମ୍ମାନିତ ଅତିଥି ଭାବରେ ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ରାଜ୍ୟ ସଂସ୍କୃତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବିଏମସି ମେୟର ସୁଲୋଚନା ଦାସ ଓ ଜ୍ଞାନପ୍ରଭା ମିଶନର ସଭାପତି ଜ୍ୟୋତିର୍ମୟୀ ମିଶ୍ର କାର୍ଯ୍ୟକ୍ରମରେ ନିଜ ଅଭିଭାଷଣ ରଖିଥିଲେ ।

nis-ad
Leave A Reply

Your email address will not be published.