ଜଙ୍ଗଲରେ ପାଟ୍ରୋଲିଂ କରିବ ଅଲ୍-ଟେରେନ୍ ମୋଟର ଯାନ; ଆଖି ପିଛୁଳାକେ ଲିଭାଇବ ନିଆଁ

ଭୁବନେଶ୍ୱର : ଆହୁରି ସୁଦୃଢ ହେବ ଜଙ୍ଗଲ ସୁରକ୍ଷା ଅଭିଯାନ । ନିଆଁ ଲାଗିଲେ ତାହାକୁ ପ୍ରତିହତ କରିବାକୁ ତତକ୍ଷଣାତ ଏହା ନେଇ ପାରିବ ପଦକ୍ଷେପ । ଏଥିପାଇଁ ରାଜ୍ୟର ବିଭିନ୍ନ ଜଙ୍ଗଲକୁ ମିଳିଛି ଅଲ୍-ଟେରେନ୍ ମୋଟର ଯାନ ବା ଏଟିଭି ଏବଂ ଅଗ୍ନି ନିରାକରଣ ସହାୟତା ୟୁନିଟ୍ ।

ରାଜ୍ୟରେ ଥିବା ୧୯ ଗୋଟି ଅଭୟାରଣ୍ୟ, ଗୋଟିଏ ଜାତୀୟ ଉଦ୍ୟାନ, ୨ଟି ବ୍ୟାଘ୍ର ସଂରକ୍ଷଣ ଅଞ୍ଚଳ ଏବଂ ୨ ଗୋଟି ସଂରକ୍ଷିତ ଅଞ୍ଚଳକୁ ଏଗୁଡ଼ିକୁ ବଣ୍ଟନ କରାଯାଇଛି । ରାଜ୍ୟ ଉଭିଦ ଉଦ୍ୟାନଠାରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ୧୮ଟି ଜିଲ୍ଲାରେ ଥିବା ଜଙ୍ଗଲ ପାଇଁ ୧୩୯ଟି ଅତ୍ୟାଧୁନିକ ଗାଡ଼ି ବଣ୍ଟନ କରାଯାଇଛି । ଯେଉଁଥିରେ ରହିଛି ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ହୋଇଥିବା ୫୧ଟି ଅଲ-ଟେରେନ୍ ମୋଟର ଯାନ ବା ଏଟିଭି ।

ଏହି ଗାଡ଼ିଗୁଡ଼ିକ ଜଙ୍ଗଲର ପ୍ରତି ସ୍ଥାନକୁ ଯିବାକୁ କ୍ଷମତା ରଖିଛି। ବାଲି, ମାଟି, କାଦୁଅ, ପଥର ଉପରେ ଚଢି ଯେକୌଣସି ପରିସ୍ଥିତିରେ ଜଙ୍ଗଲ ଭିତରକୁ ଯାଇ ପାଟ୍ରୋଲିଂ କରିବାରେ ସକ୍ଷମ ହେବ । ପ୍ରାକୃତିକ ବିପଦକୁ କମ୍ କରିବା ସହ ଗୁପ୍ତ କାର୍ଯ୍ୟକଳାପକୁ ରୋକିବାରେ ସହାୟକ ହେବ ।

ଏହି ଗାଡ଼ିରେ ସମସ୍ତ ପ୍ରକାରର ଅତ୍ୟାଧୁନିକ ବ୍ୟବସ୍ଥା ରହିଛି । ସେହିପରି କଷ୍ଟୋମାଇଜଡ୍ ସ୍ପ୍ରିଙ୍କଲର ସିଷ୍ଟମ୍ ସହିତ ୪୧ ଅଗ୍ନି ନିର୍ବାପକ ୟୁନିଟ୍ ଏବଂ ୪୭ ଅଗ୍ନି ନିରାକରଣ ସହାୟତା ୟୁନିଟ୍ ଜଙ୍ଗଲ କ୍ଷେତ୍ର ବିଭାଗକୁ ପ୍ରଦାନ କରାଯାଇଛି । ସଡକ ପାର୍ଶ୍ୱରେ ଘଟୁଥିବା ଅଗ୍ନିକାଣ୍ଡକୁ ରୋକିବାକୁ ଦୃଷ୍ଟିରେ ରଖି ସ୍ପ୍ରିଙ୍କଲରକୁ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ କରାଯାଇଛି। ଜଙ୍ଗଲରେ ଅଗ୍ନିକାଣ୍ଡ ହେତୁ କ୍ଷୟକୁ କମ୍ କରିବା ପାଇଁ ବିଶେଷ ଭାବରେ ଡିଜାଇନ୍ କରାଯାଇଛି ।

ଏନେଇ ପିସିସିଏଫ ସୁଶାନ୍ତ ନନ୍ଦ କହିଛନ୍ତି, ଜଙ୍ଗଲ ସୁରକ୍ଷା ଅଭିଯାନରେ ୩ ପ୍ରକାର ଗାଡ଼ିକୁ ସାମିଲ କରାଯାଇଛି। ଏଥିରେ ଅତ୍ୟାଧୁନିକ ବ୍ୟବସ୍ଥା କରାଯାଇଛି। ଜଙ୍ଗଲର କୋଣଅନୁକୋଣରେ ଏହା ପହଞ୍ଚି ପାରିବ । ଜଙ୍ଗଲରେ ହଠାତ୍‌ ନିଆଁ ଲାଗିଥିଲେ ଏହା ସେଠାରେ ପହଞ୍ଚି ନିଆଁ ଲିଭାଇ ପାରିବ । ଏହାଦ୍ୱାରା ବହୁ ମାତ୍ରାରେ ଜଙ୍ଗଲକୁ ନିଆଁ କବଳରୁ ରକ୍ଷା କରିହେବ ।

ଏ ସମ୍ପର୍କରେ ଉପବନ ସଂରକ୍ଷକ ସମ୍ୟକ ସମାନ୍ତରାୟ କହିଛନ୍ତି, ୧୩୯ଟି ଗାଡ଼ିକୁ ଜଙ୍ଗଲ ସୁରକ୍ଷା ପାଇଁ ସାମିଲ କରାଗଲା। ବାଲି, ମାଟି, କାଦୁଅରେ ତଥା ପାହାଡ଼ ଚଢ଼ି ଏହି ଗାଡ଼ି ଯାଇପାରିବ । ଏହା ଜଙ୍ଗଲର ଶେଷ ସୀମା ପର୍ଯ୍ୟନ୍ତ ଯାଇ ପାରିବ । ଏହାଦ୍ୱାରା ଜଙ୍ଗଲରେ ଲାଗିଥିବା ନିଆଁକୁ ଆୟତ୍ତ କରାଯାଇ ପାରିବ, ପଶୁ ଶିକାର ଓ କାଠ ଚୋରାଚାଲାଣ ଉପରେ ନଜର ରଖିହେବ । ଜଙ୍ଗଲର ଯେଉଁ କୋଣକୁ ଯୋଗାଯୋଗ ସମ୍ଭବ ହୋଇପାରୁନି, ବିନା କୌଣସି ବାଧାରେ ଏହି ଗାଡ଼ି ସେଠାରେ ପହଞ୍ଚି ପାରିବ । ବର୍ତ୍ତମାନ ୧୮ଟି ଜିଲ୍ଲାକୁ ଏହି ଗାଡ଼ି ଯୋଗାଇ ଦିଆଯାଇଛି। ମୁଖ୍ୟତଃ ରାଜ୍ୟରେ ଥିବା ସମସ୍ତ ଅଭୟାରଣ୍ୟ, ଜାତୀୟ ଉଦ୍ୟାନକୁ ପ୍ରାଥମିକତା ଭିତ୍ତିରେ ଏହି ଗାଡ଼ି ଯୋଗାଇ ଦିଆଯାଇଛି ।

nis-ad
Leave A Reply

Your email address will not be published.