‘ମୂଲ୍ୟବୋଧଭିତ୍ତିକ ସମାଜର ମୂଳଦୁଆ- ମହିଳା’ ଶୀର୍ଷକ ସମ୍ମିଳନୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ୱାରା ଉଦ୍ଘାଟିତ..
ଭୁବନେଶ୍ୱର : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ଗୁରୁଗ୍ରାମର ଓମ୍ ଶାନ୍ତି ରିଟ୍ରାଏଟ୍ ସେଣ୍ଟ୍ରେ ‘ମୂଲ୍ୟବୋଧଭିତ୍ତିକ ସମାଜର ମୂଳଦୁଆ-ମହିଳା’ ଶୀର୍ଷକ ସମ୍ମିଳନୀର ଉଦ୍ଘାଟନ କରିଛନ୍ତି । ଏହା ସହିତ ସର୍ବଭାରତୀୟ ‘ପରିବାର ସଶକ୍ତୀକରଣ’ ସଚେତନତା ଅଭିଯାନର ଶୁଭାରମ୍ଭ ମଧ୍ୟ କରିଛନ୍ତି । ଏହି ଅବସରରେ ସେ କହିଛନ୍ତି, ଌାତୀୟ ସମ୍ମିଳନୀର ଏହି ଥିମ୍ ବହୁ ଉପଯୁକ୍ତ । ଭାରତୀୟ ସମାଜରେ ମୂଲ୍ୟବୋଧ ଏବଂ ଆଚାର ନୀତିକୁ ରୂପ ଦେବାରେ ମହିଳାମାନେ ବଡ଼ ଭୂମିକା ତୁଲାଇଥାନ୍ତି ।
ଭାରତୀୟ ମୂଲ୍ୟବୋଧକୁ ପୁନର୍ଜୀବିତ କରିବା ନିମନ୍ତେ ବ୍ରହ୍ମକୁମାରୀ ସଂସ୍ଥା ମହିଳାମାନଙ୍କୁ ଏକତ୍ରିତ କରି ଉଦ୍ୟମ ଚଳାଇଥିବାରୁ ରାଷ୍ଟ୍ରପତି ଖୁସିବ୍ୟକ୍ତ କରିଥିଲେ । ମହିଳା ସଶକ୍ତୀକରଣ ସମ୍ପର୍କରେ ରାଷ୍ଟ୍ରପତି କହିଥିଲେ, ଯେତେବେଳେ ମହିଳାମାନଙ୍କୁ ସମାନ ଅଧିକାରର ସୁଯୋଗ ମିଳିଛି, ପ୍ରତ୍ୟେକ କ୍ଷେତ୍ରରେ ସେମାନେ ପୁରୁଷ ସହିତ ସମାନ ଏବଂ କେତେକ ସମୟରେ ସେମାନଙ୍କଠାରୁ ଉନ୍ନତ ପ୍ରଦର୍ଶନ କରିଛନ୍ତି । ତେବେ ଘରୋଇ କ୍ଷେତ୍ରର ମଧ୍ୟମସ୍ତରୀୟ ମ୍ୟାନେଜମେଣ୍ଟ୍ରେ ମହିଳାମାନଙ୍କ ଅଂଶଗ୍ରହଣ ହ୍ରାସ ପାଉଥିବା ଦେଖିବାକୁ ମିଳୁଛି ବୋଲି ସେ କହିଛନ୍ତି ।
ପରିବାରରେ ପିଲାଙ୍କ ଲାଳନ ପାଳନ ସହିତ ଘର ଚଳାଇବା ଦାୟିତ୍ୱ କେବଳ ମହିଳାଙ୍କର, ଏହି ମାଇଣ୍ଡ୍ସେଟ୍ ପରିବର୍ତ୍ତନର ଆବଶ୍ୟକତା ରହିଛି । କ୍ୟାରିୟର୍ରେ ଉଚ୍ଚ ସ୍ଥାନରେ ପହଞ୍ଚିବା ନିମନ୍ତେ ସେମାନଙ୍କୁ ପରିବାରର ସହଯୋଗ ଆବଶ୍ୟକ ବୋଲି ରାଷ୍ଟ୍ରପତି କହିଛନ୍ତି । ରାଷ୍ଟ୍ରପତିଙ୍କ ଅନୁସାରେ ବର୍ତ୍ତମାନ ସମୟରେ ପ୍ରତିଯୋଗିତା ବୃଦ୍ଧି ପାଇଛି । ମଣିଷ କେବଳ ଅର୍ଥ, କ୍ଷମତା, ଖ୍ୟାତି ଏବଂ ସମ୍ମାନ ପପଛରେ ଗୋଡ଼ାଇଛି । ଆଥିଁକ ଭାବେ ଶକ୍ତିଶାଳୀ ହେବାରେ କ୍ଷତି ନାହିଁ । ଆର୍ଥିକ ପ୍ରଗତି ଏବଂ ଭୌତିକ ସମୃଦ୍ଧି ଭୌତିକ ଖୁସି ଦେଇପାରେ, କିନ୍ତୁ ଶାଶ୍ୱତ ଶାନ୍ତି ମିଳିନଥାଏ । ଆଧ୍ୟାତ୍ମିକ ଜୀବନ ଦିବ୍ୟା ଆନନ୍ଦର ପଥ ଉନ୍ମୁକ୍ତ କରିଥାଏ ବୋଲି ରାଷ୍ଟ୍ରପତି ମୁର୍ମ କହିଛନ୍ତି ।