ସୁନ୍ଦରଗଡ଼ରେ ଜାତୀୟ କୃମିନାଶକ ଦିବସ ପାଳିତ : ୧ରୁ ୧୯ ବର୍ଷ ବୟସର ପିଲାଙ୍କୁ ମାଗଣାରେ କୃମିନାଶକ ଔଷଧ ବଣ୍ଟନ

ସୁନ୍ଦରଗଡ଼, ୧୦ ଫେବ୍ରୁଆରି ୨୦୨୩: ପିଲାମାନଙ୍କଠାରେ ଦେଖାଯାଉଥିବା କୃମି ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ମାଗଣାରେ କୃମିନାଶକ ଔଷଧ ‘ଆଲବୋଣ୍ଡାଜୋଲ୍’ ବଣ୍ଟନ କରାଯାଉଛି। ଶୁକ୍ରବାର ଦିନ ଜାତୀୟ କୃମିନାଶକ ଦିବସ ପାଳନ ଅବସରରେ ସୁନ୍ଦରଗଡ଼ ଜିଲ୍ଲାରେ ସ୍କୁଲ ଏବଂ ଅଙ୍ଗନବାଡ଼ି ସ୍ତରରେ ପିଲାମାନଙ୍କୁ ଏହି ଔଷଧ ଦିଆଯାଇଛି। ଶିକ୍ଷକ ଏବଂ ଅଙ୍ଗନବାଡ଼ି କର୍ମୀଙ୍କ ଉପସ୍ଥିତିରେ ପିଲାମାନେ ଏହି ଔଷଧ ଖାଇଛନ୍ତି।

ସୁନ୍ଦରଗଡ଼ସ୍ଥିତ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା ଓ ଗବେଷଣା କେନ୍ଦ୍ରଠାରେ ଜିଲ୍ଲାସ୍ତରୀୟ ଜାତୀୟ କୃମିନାଶକ ଦିବସ ଆୟୋଜନ କରାଯାଇଥିଲା। ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ସରୋଜ କୁମାର ମିଶ୍ର ଏଥିରେ ଯୋଗଦେଇ କୃମିନାଶକ ଔଷଧ ସେବନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ।

୧ ବର୍ଷରୁ ୧୯ ବର୍ଷ ବୟସର ପିଲାମାନଙ୍କୁ ଏହି ଔଷଧ ଖାଇବାକୁ ଦିଆଯାଉଛି। ଏହି କାର୍ଯ୍ୟକ୍ରମ ଦ୍ୱାରା ଜିଲ୍ଲାର ୫ ଲକ୍ଷରୁ ଅଧିକ ପିଲା ଉପକୃତ ହେବେ। ଯେଉଁମାନେ ଆଜି ଏହି ଔଷଧ ଖାଇ ନପାରିବେ ସେମାନେ ଫେବ୍ରୁଆରି ୧୭ ତାରିଖ ଦିନ ଏହା ପାଇପାରିବେ।

‘‘ଶିଶୁ ଏବଂ କିଶୋରମାନଙ୍କ କ୍ଷେତ୍ରରେ କୃମି ରୋଗ ଯୋଗୁଁ ରକ୍ତହୀନତା ଭଳି ସମସ୍ୟା ଦେଖାଦେଇଥାଏ। ଫଳରେ ଏହା ସେମାନଙ୍କ ପାଠପଢା ଉପରେ ବିଶେଷ ପ୍ରଭାବ ପକାଇଥାଏ। ଏହାଛଡ଼ା ଏକାଗ୍ରତା ଏବଂ ଦକ୍ଷତା ମଧ୍ୟ କମିଯାଇଥାଏ। ତେଣୁ ଏହାକୁ ଦୃଷ୍ଟିରେ ରଖି ପିଲାମାନଙ୍କୁ କୃମିନାଶକ ଔଷଧ ଖାଇବାକୁ ଦିଆଯାଉଛି’’, କହିଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ସରୋଜ କୁମାର ମିଶ୍ର।

ସୁନ୍ଦରଗଡ଼ ଜିଲ୍ଲାରେ ଯେଉଁ ପିଲାମାନେ ସ୍କୁଲ ଏବଂ ଅଙ୍ଗନବାଡ଼ି କେନ୍ଦ୍ରକୁ ଆସୁ ନାହାନ୍ତି ସେମାନଙ୍କ ଘରକୁ ଯାଇ ସ୍ଥାନୀୟ ଆଶା ଓ ଅଙ୍ଗନବାଡ଼ି କର୍ମୀମାନେ ଏହି ଔଷଧ ଖୁଆଇବେ।

ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର କାହ୍ନୁଚରଣ ନାୟକ, ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ (ଭେକ୍ଟର ବାହିତ ରୋଗ) ଡାକ୍ତର ଭକ୍ତ ମୋହନ ସ୍ୱାଇଁ, ପ୍ରଯୋଜନ ଏବଂ ଶିଶୁ ସ୍ୱାସ୍ଥ୍ୟ ବିଭାଗର ଡେପୁଟି ମ୍ୟାନେଜର ଅଶ୍ୱିନୀ କୁମାର ମିଶ୍ର, ଜାତୀୟ ସ୍ୱାସ୍ଥ୍ୟ ମିଶନର ଜିଲ୍ଲା ପ୍ରକଳ୍ପ ପରିଚାଳକ ଶଙ୍କର ଆଚାର୍ଯ୍ୟ, ଆଇସିଡିଏସ ପ୍ରୋଗ୍ରାମ ଅଫିସର ଚୁଲେଶ୍ୱରୀ ପଟେଲ, ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା ଓ ଗବେଷଣା କେନ୍ଦ୍ରର ପ୍ରଧାନ ଶିକ୍ଷକ ବିଶ୍ୱମ୍ଭର ବେହେରା ପ୍ରମୁଖ ଯୋଗ ଦେଇଥିଲେ।
ବିଶ୍ୱରଂଜନ ହୋତା
ସୁନ୍ଦରଗଡ଼

nis-ad
Leave A Reply

Your email address will not be published.