ଅବ୍ୟବସ୍ଥା ଘେରରେ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟ : ଡାକ୍ତର ଓ କର୍ମଚାରୀ ଅଭାବା ଚିକିତ୍ସା ପାଇଁ ହନ୍ତସନ୍ତ ରୋଗୀ …


୮୦ ଶର୍ଯ୍ୟା ବିଶିଷ୍ଟ ଡାକ୍ତରଖାନାରେ କାର୍ଯ୍ୟକ୍ଷମ ହେଉଛି ୩୦ ଶର୍ଯ୍ୟା


ଶିଶୁ, ଚକ୍ଷୁ ଓ ଭେଷଜ ବିଭାଗୀୟ ବିଶେଷଜ୍ଞ ନାହାନ୍ତି, ୫ଜଣ ଷ୍ଟାପନର୍ସରେ ଚାଲିଛି ରୋଗୀସେବା

ହିଞ୍ଜିଳିକାଟୁ, ୧୦ା୯(): ଜନସାଧାରଣଙ୍କୁ ଉତ୍ତମ ଚିକିତ୍ସା ସେବା ଯୋଗାଇଦେବା ଲକ୍ଷ୍ୟରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସ୍ୱାସ୍ଥ୍ୟସେବାକୁ ଗୁରୁତ୍ୱାରୋପ କରି ଆସୁଛନ୍ତି । ଗଞ୍ଜାମ ଜିଲ୍ଲାର ୨ୟ ବୃହତ୍ତମ ସହର ଭାବେ ପରିଗଣିତ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟ ଅବ୍ୟବସ୍ଥା ଘେରରେ ଚାଲିଥିବା ଦେଖିବାକୁ ମିଳିଛି । ସଂପୃକ୍ତ ଚିକିତ୍ସାଳୟରେ ଶିଶୁ, ଚକ୍ଷୁ ଓ ଭେଷଜ ବିଭାଗୀୟ ବିଶେଷଜ୍ଞ ନଥିବା ବେଳେ ଆବଶ୍ୟକ ଠାକ୍ତର ଓ କର୍ମଚାରୀ ଅଭାବରୁ ରୋଗୀ ଓ ସର୍ମ୍ପକୀୟ ମାନେ ସଂପୃକ୍ତ ଚିକିତ୍ସାଳୟରୁ ମୁହଁ ଫେରାଉଥିବା ଦେଖିବାକୁ ମିଳିଛି । ଅନ୍ୟପକ୍ଷରେ ରୋଗୀ ଓ ସର୍ମ୍ପକୀୟ ମାନେ ଭୂବନେଶ୍ୱର ଓ ବିଶାଖାପାଟଣା ମେଡିକାଲ ସମେତ ନିକଟସ୍ଥ ବେସରକାରୀ ଡାକ୍ତରଖାନାରେ ଚିକିତ୍ସିତ ହୋଇ ଅକାରଣରେ ଖର୍ଚ୍ଚାନ୍ତ ହେଉଥିବା ନଜିର ରହିଛି ।
୧୯୬୩ ମସିହାରେ ପ୍ରତିଷ୍ଠିତ ହିଞ୍ଜିଳିକାଟୁ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ପରବର୍ତ୍ତୀ ସମୟରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପରିଣତ ହୋଇଥିଲା । ୨୦୧୮ ମସିହାରେ ସଂପୃକ୍ତ ସ୍ୱାସ୍ଥ୍ୟକେନ୍ଦ୍ର ଉପଖଣ୍ଡ ଚିକିତ୍ସାଳୟର ମାନ୍ୟତା ଲାଭ କରିଥିଲା । ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟ ଉପରେ ହିଞ୍ଜିଳିକାଟୁ ପୌରାଞ୍ଚଳ ସମେତ ନିକଟବର୍ତ୍ତୀ ୪୦ରୁ ଉର୍ଦ୍ଧ୍ୱ ଗ୍ରାମର ଜନସାଧାରଣ ଚିକିତ୍ସା ସେବା ପାଇଁ ନିର୍ଭରଶୀଳ । ସଂପୃକ୍ତ ଚିକିତ୍ସାଳୟରେ ରୋଗୀଙ୍କ ଅସମ୍ଭବ ଭିଡକୁ ଆଖି ଆଗରେ ରଖି ହିଞ୍ଜିଳି ବିଧାୟକ ତଥା ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ଥାନୀୟ ପୌରାଞ୍ଚଳ ନିୟନ୍ତ୍ରିତ ବଜାର

ପରିସରରେ ନିଜ ହାତ ପାଣ୍ଠିରୁ ୧୬କୋଟି ୭୭ ଲକ୍ଷ ୪୧ ହଜାର ଟଙ୍କା ବ୍ୟୟରେ ୮୦ ଶର୍ଯ୍ୟା ବିଶିଷ୍ଟ ଅନ୍ତଃବିଭାଗ, ପ୍ରାୟ ସାଢେ ୧୧ କୋଟି ଟଙ୍କା ବ୍ୟୟରେ ବହିଃ ବିଭାଗ ଓ ପ୍ରାୟ ସାଢେ ୧୦ କୋଟି ଟଙ୍କା ବ୍ୟୟରେ ଡାକ୍ତର ଓ କର୍ମଚାରୀଙ୍କ ସକାଶେ ଷ୍ଟାପ କ୍ୱାଟର ନିର୍ମାଣ କରାଯାଇଛି । ୨୦୨୧ ମସିିହା ଫେବୃୟାରୀ ୧୧ ତାରିଖରେ ନବୀନ ପଟ୍ଟନାୟକ ଭିଡିଓ କନଫେରନ୍ସ ମାଧ୍ୟମରେ ଏହାର ଲୋକାର୍ପଣ କରିଥିଲେ । ସେହି ବର୍ଷ ମାର୍ଚ୍ଚ ୨୬ ତାରିଖରେ ଉପଖଣ୍ଡ ଚିକିତ୍ସାଳୟ ପୁରୁଣା କୋଠାରୁ ନବନିର୍ମିତ କୋଠାକୁ ସ୍ଥାନାନ୍ତର କରାଯାଇଥିଲା । ନବନିର୍ମିତ କୋଠା ସାଙ୍ଗକୁ ଅତ୍ୟାଧୁନିକ ଚିକିତ୍ସା ଉପକରଣ ଉପଲବ୍ଧ ହେବା ପରେ ଅତ୍ୟବଶ୍ୟକ ଚିକିତ୍ସା ସେବା ଲୋକଙ୍କୁ ହାତ ପାହାନ୍ତାରେ ମିଳିପାରିବ ବୋଲି ଲୋକଙ୍କ ଆଶା ରହିଥିଲା । ହେଲେ ଲୋକଙ୍କ ଏହି ଆଶା କେବଳ ଆଶାରେ ହିଁ ରହିଗଲା । ୮୦ ଶର୍ଯ୍ୟା ବିଶିଷ୍ଟ ଚିକିତ୍ସାଳୟ କାଗଜ କଲମରେ ଦର୍ଶାଯାଇଥିବା ବେଳେ ୩୦ଟି ଶର୍ଯ୍ୟା କାର୍ଯ୍ୟକ୍ଷମ ହେଉଛି ।
ହିିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟକୁ ଦୈନିକ ୯ଶହରୁ ୧ ହଜାର ରୋଗୀ ଚିକିତ୍ସା ପାଇଁ ଆସିଥାନ୍ତି । ପ୍ରତ୍ୟହ ୩୦ରୁ ୪୦ ଜଣ ରୋଗୀ ଅନ୍ତଃବିଭାଗରେ ରହି ଚିକିତ୍ସିତ ହେଉଥିବା ବେଳେ ଦୈନିକ ୨୦ରୁ ଉର୍ଦ୍ଧ ରୋଗୀଙ୍କୁ ଅଧିକ ଚିକିତ୍ସା ସୁବିଧା ପାଇଁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଉଥିବା ଜଣାପଡିଛି । ରୋଗୀଙ୍କ ଅସମ୍ଭବ ଭିଡ ଯୋଗୁଁ ଡାକ୍ତରମାନେ ବିରକ୍ତ ଭାବ ପ୍ରକାଶ କରି ଅକାରଣରେ ରୋଗୀଙ୍କୁ ବ୍ରହ୍ମପୁର ବଡ ମେଡୀିକାଲକୁ ସ୍ଥାନାନ୍ତର କରୁଥିବା ଅଭିଯୋଗ ହୋଇଛି । ଯଦ୍ୱାରା ରୋଗୀ ଓ ସର୍ମ୍ପକୀୟ ମାନେ ଅକାରଣରେ ଖର୍ଚ୍ଚାନ୍ତ ସାଙ୍ଗକୁ ସମୟ ନଷ୍ଟ ହେଉଥିବା ଅଭିଯୋଗ ହୋଇ ଆସୁଛି । ସଂପୃକ୍ତ ଚିକିତ୍ସାଳୟ ସକାଶେ ୨୪ ଜଣ ଡାକ୍ତର ନିୟୋଜିତ ସକାଶେ ନିୟମ ରହିଥିବା ବେଳେ ମାତ୍ର ୧୪ ଜଣ ଡାକ୍ତରରେ ଚାଲିଛି ଚିକିତ୍ସା ସେବା । ଶିଶୁ, ଚକ୍ଷୁ ଓ ଭେଷଜ ବିଭାଗୀୟ ବିଶେଷଜ୍ଞ ପଦ ଖାଲି ପଡିଛି । ୧୪ ଜଣ ଷ୍ଟାପନର୍ସଙ୍କ ସ୍ଥାନରେ ରହିଛନ୍ତି ମାତ୍ର ୫ ଜଣ । ସେହିପରି ଆଟେଣ୍ଡାଣ୍ଟ ୬ ଜଣ ଆବଶ୍ୟକ ସ୍ଥଳେ ରହିଛନ୍ତି ମାତ୍ର ୨ ଜଣ । ଡାଟା ଏଣ୍ଟ୍ରି ଅପରେଟର ୨ ଜଣଙ୍କ ଜାଗାରେ କେହି ନାହାନ୍ତି । ୪ ଜଣ ଫାର୍ମାସିଷ୍ଟ ପରିବର୍ତ୍ତେ ରହିଛନ୍ତି ମାତ୍ର ୨ ଜଣ । ୩ ଜଣ ଏଏନଏମଙ୍କ ସ୍ଥାନରେ ରହିଛନ୍ତି ମାତ୍ର ଜଣେ । ନିୟମିତ ସଫେଇ କର୍ମଚାର କେହି ନଥିବା ବେଳେ ବେସରକାରୀ ସଂସ୍ଥା ତରଫରୁ ୧୩ ଜଣଙ୍କୁ ନିଯୁକ୍ତି କରାଯାଇ କାମଚଳାରେ ସଫେଇ କାର୍ଯ୍ୟ ଚାଲୁରହିଛି । ରୋଗୀଙ୍କୁ ଉନ୍ନତମାନର ଚିକିତ୍ସା ସୁବିଧା ଯୋଗାଇ ଦେବା ଲଏକ୍ଷ୍ୟରେ ଅତ୍ୟାଧୁନିକ ଯନ୍ତ୍ରପାତି ମହଜୁଦ ରହିଥିବା ବେଳେ ଆବଶ୍ୟକ ଟେକ୍ନିସିଆନ ଅଭାବରୁ ଯନ୍ତ୍ରପାତି ଗୁଡିକ ଖତ ହୋଇଯାଉଥିବା ଜଣାପଡିଛି । ସପ୍ତାହରେ ୪ ଦିନ ଅଲଟ୍ରାସାଉଣ୍ଟ କରାଯାଉଥିବା ବେଳେ ମାସିକ ୪ଶହରୁ ଉର୍ଦ୍ଧ ରୋଗୀଙ୍କ ଅଳଟ୍ରାସାଉଣ୍ଡ ପରୀକ୍ଷା କରାଯାଉଥିବା ସୂଚନା ମିଳିଛି । ଗତ ମାସରେ ୩୨ ଶହ ରୋଗୀଙ୍କ ୧୯ ହଜାର ୬ଶହ ପ୍ରକାରର ନିଦାନ ଓ ପରୀକ୍ଷା କରାଯାଇଥିବା ସୂଚନା ରହିଛି । ବହିଃ ବିଭାଗ କୋଠାକୁ ସମ୍ପୁର୍ଣ୍ଣ ଶୀତତାପ ପିୟନ୍ତ୍ରିତ କରାଯାଇଥିବା ବେଳେ ଏସି କାର୍ଯ୍ୟକ୍ଷମ ହେଉନଥିବା ଅଭିଯୋଗ ହୋଇଛି । ବହିଃ ବିଭାଗ କୋଠାରେ ଲିଫ୍ଟ କାର୍ଯ୍ୟ କରୁନଥିବାରୁ ରୋଗୀ ଓ ସର୍ମ୍ପକୀୟ ମାନେ ଉପର କୋଠାକୁ ଯାତାୟତରେ ନାନା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇ ଆସୁଛି । ଏ ଦିଗରେ ବିଭାଗୀୟ ମନ୍ତ୍ରୀ ଓ ଉଚ୍ଚ କର୍ତ୍ତୁପକ୍ଷ ଦୃଷ୍ଟି ପ୍ରଦାନ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ବିକାଶ ମଞ୍ଚ ସଭାପତି ପ୍ରମୋଦ କୁମାର ପଣ୍ଡା ଓ ଅଞ୍ଚଳବାସୀ ଦାବି ଜଣାଇଛନ୍ତି ।

nis-ad
Leave A Reply

Your email address will not be published.