ଭୁବନେଶ୍ୱର : ଉତ୍କଳ ବିଶ୍ବବିଦ୍ୟାଳୟ ଏବଂ ଉଚ୍ଚ ଶିକ୍ଷା ବିଭାଗର ମିଳିତ ସହଯୋଗରେ ତ୍ରି-ଦିବସୀୟ ଆନ୍ତଃଜିଲ୍ଲାସ୍ତରୀୟ ଜାତୀୟ ସେବା ଯୋଜନା ସ୍ବେଚ୍ଛା ସେବି ନେତୃତ୍ୱ ବିକାଶ ପ୍ରଶିକ୍ଷଣ ଶିବିର ଉଦଘାଟିତ ହୋଇ ଯାଇଛି। ଉଦଘାଟନ ଉତ୍ସବରେ ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ ମୁଖ୍ୟଅତିଥି ଭାବେ ଯୋଗଦେଇ କହିଥିଲେ ଯେ ସ୍ବେଚ୍ଛାସେବୀ ଆଗଧାଡ଼ିର ଯୋଦ୍ଧା ଏବଂ ସମ୍ବେଦନଶୀଳ ଲୋକମାନଙ୍କୁ ସହାୟତାର ହାତ ବଢ଼ାଇବାକୁ ଆଗେଇ ଆସିନ୍ତି। ସ୍ବେଚ୍ଛାସେବୀ ସାମାଜିକ ପରିବର୍ତ୍ତନର ବାର୍ତ୍ତାବହ। ସେମାନେ ସମସ୍ତଙ୍କର ସମସ୍ୟାକୁ ଧୈର୍ଯ୍ୟର ସହ ଶୁଣିବା ଓ ସମାଜର ବିଭିନ୍ନ ବାତାବରଣରେ ନିଜକୁ ଖାପ ଖୁଆଇ ଚଳି ହେବ ତାହା ସଚେତନ କରିଥାନ୍ତି। ସମାଜର ଉନ୍ନତିରେ ସାମିଲ ହୋଇ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଥାନ୍ତି ବୋଲି କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ ପ୍ରକାଶ କରିଥିଲେ।
ରାଜ୍ୟ ଜାତୀୟ ସେବା ଯୋଜନା ଅଧିକାରୀ ତଥା ଉଚ୍ଚ ଶିକ୍ଷା ବିଭାଗ ଉପ ଶାସନ ସଚିବ ଡ.ରମେଶ ଚନ୍ଦ୍ର ବେହେରା ସମ୍ମାନିତ ଅତିଥି ଭାବେ ଯୋଗଦେଇ ଯୁବ ନେତୃତ୍ବର ଉଦେଶ୍ୟ ଓ ସାମାଜିକ ଦାୟିତ୍ୱ ସମ୍ପାଦନ ଉପରେ ବକ୍ତବ୍ୟ ରଖିଥିଲେ। ସ୍ବେଚ୍ଛାସେବୀ ନିଜେ ସଚେତନ ହୋଇ ଅନ୍ୟମାନଙ୍କୁ ସଚେତନ କରାଇବା ସହ ସଚେତନତା ମାଧ୍ୟମରେ ବିକାଶ ମୂଳକ କାର୍ଯ୍ୟରେ ସହାୟକ ହୋଇପାରୁଛନ୍ତି ବୋଲି କହିଥିଲେ।
କେନ୍ଦ୍ର ସରକାରଙ୍କ ଜାତୀୟ ସେବା ଯୋଜନା ଆଞ୍ଚଳିକ-କେନ୍ଦ୍ର ନିର୍ଦେଶିକା ସୁଶ୍ରୀ ସରିତା ପଟେଲ – ଜାତୀୟ ସେବା ଯୋଜନାର ସ୍ବେଚ୍ଛାସେବୀ ଭାବେ ଛାତ୍ରଛାତ୍ରୀମାନେ ନିଜର ଜୀବନକୁ ଗଢିବା ସହିତ ସମାଜର ବିକାଶରେ ସମର୍ପିତ ହେବାକୁ ଆହ୍ବାନ ଦେଇଥିଲେ। ଏନଏସଏସ ସଂଯୋଜକ ଡ.ବ୍ରଜ ନାରାୟଣ ପାତ୍ର ସ୍ବାଗତ ଭାଷଣ ଦେଇଥିବାବେଳେ ଏନ ଏସ୍ ଏସ୍ କାର୍ଯ୍ୟକ୍ରମ ଅଧିକାରୀ ଡ. କୀର୍ତ୍ତି ରଞ୍ଜନ ମଲ୍ଲିକ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।
ତିନିଦିନ ଧରି ଚାଲିବାକୁ ଥିବା ଏହି ଶିବିରରେ ଉତ୍କଳ ବିଶ୍ୱବିଦ୍ୟାଳୟ ଅଧିନସ୍ଥ ୯ଟି ଜିଲାର ୧୨୦ ଜଣ ଜାତୀୟ ସେବା ଯୋଜନାର ସ୍ବେଛା ସେବୀ ତଥା ୧୫ ଜଣ ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମ ଅଧିକାରୀ ଯୋଗ ଦେଇଛନ୍ତି।
ଖୋର୍ଦ୍ଧା ଜିଲ୍ଲା ଜାତୀୟ ସେବା ଯୋଜନା ଆଞ୍ଚଳିକ-କେନ୍ଦ୍ରର ଯୁବ ଅଧିକାରୀ ନକୁଳ ଚନ୍ଦ୍ର ଦେହୁରୀ, ଜିଲ୍ଲା ସଂଯୋଜକ ଜୟଶ୍ରୀ ଵାଲା ମଲ୍ଲିକ, ରବି ନାରାୟଣ ପାତ୍ର, ଅଧ୍ୟାପକ ରଘୁନାଥ ମଣ୍ଡଳପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିବା ସହ ସ୍ବେଚ୍ଛାସେବୀମାନଙ୍କୁ ଉତ୍ସାହିତ କରିଥିଲେ। ଉତ୍କଳ ବିଶ୍ୱବିଦ୍ୟାଳୟ ଜାତୀୟ ସେବା ଯୋଜନାର କର୍ମକର୍ତ୍ତା କାର୍ଯ୍ୟକ୍ରମଟିରେ ସହଯୋଗ କରିଥିଲେ।