ଉତ୍କଳ ବିଶ୍ବବିଦ୍ୟାଳୟରେ ୭୪ତମ ସାଧାରଣତନ୍ତ୍ର ଦିବସ ପାଳିତ…


ନୂତନ ଭାରତକୁ ଗଢ଼ିପାରିଛି ଭାରତରତ୍ନ ଡ.ବାବାସାହେବ ଆମ୍ବେଦକରଙ୍କ ଦ୍ୱାରା ପ୍ରଣୀତ ଭାରତୀୟ ସମ୍ବିଧାନ


ଭୁବନେଶ୍ବର: ଉତ୍କଳ ବିଶ୍ବବିଦ୍ୟାଳୟରେ ୭୪ତମ ସାଧାରଣତନ୍ତ୍ର ଦିବସ ସମାରୋହ ପାଳିତ ହୋଇଯାଇଛି। ବାଣୀବିହାର ନୂଆ ପ୍ରଶାସନିକ ଭବନ ସମ୍ମୁଖରେ ଆୟୋଜିତ ଏକ ବର୍ଣ୍ଣାଢ଼୍ୟ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ ଜାତୀୟ ପତାକା ଉତ୍ତୋଳନ କରି କହିଥିଲେ ଯେ ଆମ ପାଇଁ ଏହି ଦିନଟି କେବଳ ଗୁରୁତ୍ୱପୂର୍ଣ୍ଣ ନୁହଁ, ଆମେ ଏହି ଦିନଟିକୁ ନେଇ ବହୁତ ଗୌରବ୍ୱାନୀତ ମନେକରୁ। ଏହି ଦିନ ଆମ ପାଇଁ ଐତିହାସିକ ଦିନ, କାରଣ ଏହି ଭଳି ଏକ ଶୁଭଦିନ ଅର୍ଥାତ ୨୬ ଜାନୁଆରୀ ୧୯୫୦ ମସିହାରେ ପୃଥିବୀର ସବୁଠାରୁ ବୃହତ ଏବଂ ଶକ୍ତିଶାଳୀ ସମ୍ବିଧାନ ଲୋକାର୍ପିତ ହୋଇଥିଲା ଏବଂ କାର୍ଯ୍ୟକାରୀ ହେବାର ସୌଭାଗ୍ୟ ଲାଭ ମଧ୍ୟ କରିଥିଲା। ଭାରତର ଏହି ଉଚ୍ଚତର ଧର୍ମନିରପେକ୍ଷ ଗଣତାନ୍ତ୍ରିକ ବ୍ୟବସ୍ଥା ଆଜି ଦେଶକୁ ଅଧିକ କ୍ରିୟାଶୀଳ ଓ ଗତିଶୀଳ କରିପାରିଛି। ଏହି ଦିନ ହିଁ ଆମ ନାଗରିକଙ୍କ ମୌଳିକ ଅଧିକାର ଏବଂ ସୁରକ୍ଷାକୁ ଆଧାର କରି ମୁକ୍ତ ସମାଜ ଗଠନ କରିବା ପାଇଁ ସଂକଳ୍ପ କରିଥିଲେ। ଆମର ପୂର୍ବସୁରୀଙ୍କ ଆଦର୍ଶ, କର୍ତ୍ତବ୍ୟନିଷ୍ଠା, କାର୍ଯ୍ୟଦକ୍ଷତା, ନିରପେକ୍ଷ ଚିନ୍ତା ଓ ଚେତନାକୁ ଉଜ୍ଜୀବିତ କରିବା ଏବଂ ଏହାକୁ କାର୍ଯ୍ୟରେ ପାଳନ କରିବା ଆମର ସ୍ୱଧର୍ମ। ଭାରତରତ୍ନ ଡ.ବାବାସାହେବ ଆମ୍ବେଦକରଙ୍କ ଦ୍ୱାରା ପ୍ରଣୀତ ଭାରତୀୟ ସମ୍ବିଧାନ ଏବଂ ମହାତ୍ମାଗାନ୍ଧୀଙ୍କର ଅସହଯୋଗ ଆନ୍ଦୋଳନ ଏହି ନୂତନ ଭାରତକୁ ଗଢ଼ିପାରିଛି।

ପଣ୍ଡିତ ଜବାହରଲାଲ ନେହରୁ, ଡ.ରାଜେନ୍ଦ୍ର ପ୍ରସାଦ, ଡ.ସର୍ବପଲ୍ଲୀ ରାଧାକ୍ରିଷ୍ଣନ, ଲାଲବାହାଦୂର ଶାସ୍ତ୍ରୀଙ୍କ ଭଳି ପ୍ରମୁଖ ବିଶିଷ୍ଟ ବ୍ୟକ୍ତିଗଣ ଭାରତବର୍ଷକୁ ଏକ ସର୍ବଶ୍ରେଷ୍ଠ ଗଣତାନ୍ତ୍ରିକ ରାଷ୍ଟ୍ର ନିର୍ମାଣ କରିବା ପାଇଁ ଯେଉଁ ପରିକଳ୍ପନା କରିଥିଲେ, ତାହା ଅନେକାଂଶରେ ସଫଳ ହୋଇପାରିଛି। ତେବେ ଆମକୁ ଆହୁରି ଅଧିକ କିଛି କରିବାକୁ ଅଛି ଏବଂ ଆହୁରି ଆଗକୁ ଯିବାର ଅଛି। କଥାରେ ଅଛି ବଡ଼ପାଦ ପକାଇବା ପୂର୍ବରୁ ଛୋଟ ଛୋଟ ପାଦ ଆଗକୁ ବଢ଼ାଇବା ଦରକାର। ଆମେ ହଠାତ ବଡ଼ ପାଦ ପକାଇ ପାରିବା ନାହିଁ। ତେଣୁ ଏହି ପରିପ୍ରେକ୍ଷୀରେ ଆମର ଶିକ୍ଷା ଓ ଶିକ୍ଷାୟତନ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ଏହା ଏକ ଶସ୍ତ୍ର, ଯାହା ମାଧ୍ୟମରେ ହିଁ ଆମେ କେବଳ ଆମର ଶିକ୍ଷାନୁଷ୍ଠାନକୁ ନୁହଁ, ଆମ ରାଜ୍ୟ, ଦେଶ ଏବଂ ଉଭୟଙ୍କୁ ଆହୁରି ବିକଶିତ କରିପାରିବା। ଶିକ୍ଷା ଜୀବନକୁ ସରସ, ସୁନ୍ଦର ଓ ଶକ୍ତିଶାଳୀ କରେ। ଶିକ୍ଷା ମଣିଷକୁ ଶୃଙ୍ଖଳିତ ମାର୍ଗର ନିର୍ମାଣ କରିଥାଏ। ମଣିଷ ପାଖରେ ଲୁଚି ରହିଥିବା ଜ୍ଞାନକୌଶଳକୁ ପରିପ୍ରକାଶ କରେ ଏବଂ ସମାଜରେ ଜୀବନଯାପନ ପାଇଁ ଆଦର୍ଶ ସୃଷ୍ଟି କରେ। ସାମାଜିକ ବ୍ୟବସ୍ଥାଗୁଡ଼ିକୁ ଅଧ୍ୟୟନ ଓ ସେସବୁ ମାଧ୍ୟମରେ ସମାଜ ଅନୁପ୍ରାଣିତ ହୋଇଥାଏ। ତେଣୁ ଆଜିର ଏହି ଦିନରେ ଆମକୁ ବହୁତ ଶିକ୍ଷା ମିଳିଛି। ଶୃଙ୍ଖଳିତ ଜୀବନଯାପନ ଧାରା, ସ୍ୱାସ୍ଥ୍ୟ ସଚେତନତା, ନୂତନ ଜ୍ଞାନକୌଶଳର ପରିଭାଷା ଏବଂ ଡିଜିଟାଇଜେନସନ ମାଧ୍ୟମରେ ହିିଁ ଶିକ୍ଷାଦାନକୁ ଦୃଢ଼ିଭୂତ କରିହେବ। ଶେଷରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସାମାଜିକ ମୂଲ୍ୟବୋଧ, ସୁନାଗରିକ ଗଢ଼ିବା ପାଇଁ ପରିବେଶ ତିଆରି କରିବା ହେଉଛି ଆମର ମୁଖ୍ୟ ଆହ୍ୱାନ ଏବଂ ଲକ୍ଷ୍ୟ। ଛାତ୍ରଛାତ୍ରୀଙ୍କ ସୁରକ୍ଷା ସହ ପରିବେଶର ସୌନ୍ଦର୍ଯ୍ୟକରଣ ପାଇଁ ଆମେ ସମସ୍ତେ ମିଳିମିଶି ଚେଷ୍ଟା କରିବା। ଆସନ୍ତୁ ଏବେ ନୂଆ ଶିକ୍ଷାନୀତି ୨୦୨୦ର ଆଧାର କରି ଏହି ବିଶ୍ୱବିଦ୍ୟାଳୟର ମାନ ବୃଦ୍ଧି କରିବା। ଭାରତର ଏହି ଶିକ୍ଷା ମାନଚିତ୍ରରେ ଉତ୍କଳ ବିଶ୍ୱବିଦ୍ୟାଳୟକୁ ଉଚ୍ଚ ସ୍ଥାନରେ ସ୍ଥାନୀତ କରିବା। ଏହା ଆମପାଇଁ ଏକ ସଂକଳ୍ପବଦ୍ଧ ହେବା ଉଚିତ। ନୂତନ ଶିକ୍ଷାନୀତିର ଉଦେଶ୍ୟ ଓ ଅଭିଲେଖକୁ ଗ୍ରହଣ କରି ବିଶ୍ୱବିଦ୍ୟାଳୟ ତାର ଗବେଷଣା ଓ ଭିତ୍ତିଭୂମି ଓ ବାତାବରଣକୁ ଅଧିକ ସୁଦୃଢ଼ କରିବା ପାଇଁ ଏକତ୍ରିତ ହେବା ଦରକାର। ସଂକଳ୍ପବଦ୍ଧ ଭାବେ ଆମେ ସମସ୍ତେ ଚିନ୍ତା କରିବା କଥା ଆମ ବିଶ୍ୱବିଦ୍ୟାଳୟକୁ କେମିତି ଆଗକୁ ବଢ଼ାଇବା। ଏହି ବର୍ଷ ମଧ୍ୟ ୨ ମାସ ଭିତରେ ମଧ୍ୟ ନାକ ପିଅରଟିମକୁ ଆମେ ସମ୍ମୁଖୀନ ହେବା ପାଇଁ ନିଜର ପ୍ରସ୍ତୁତିକୁ ଅଧିକ ଫଳପ୍ରଦ କରିବାକୁ ସଂକଳ୍ପ କରିବା। ଆମ ଯୁବ ଶକ୍ତି ଆମର ଭବିଷ୍ୟତ। ଆମର ସେମାନଙ୍କୁ ଶିକ୍ଷା ଦେବା ଏବଂ ଶିକ୍ଷାୟତନର ଶୃଙ୍ଖଳିତ ବାତାବରଣ ସୃଷ୍ଟି କରିବା ହିଁ ଆମର ଅନୁଶୀଳନକୁ ସମୃଦ୍ଧ କରିପାରିବ। ଏ ଦିଗରେ ଆମେ ସମସ୍ତେ ସଚେତନ ହେବା ଉଚିତ। ସମସ୍ତେ ନିଜ ନିଜର କର୍ତ୍ତବ୍ୟ ପାଳନ ସହିତ ସାଧାରଣତନ୍ତ୍ର ଦିବସର ମୂଲ୍ୟବୋଧକୁ ହୃଦୟଙ୍ଗମ କରିବା ଉଚିତ। ବିଶ୍ୱବିଦ୍ୟାଳୟର ବିକାଶ ଓ ସମୃଦ୍ଧି କରିବା ପାଇଁ ଆମେ ସମସ୍ତେ ସହଯୋଗର ହାତ ବଢ଼ାଇବା ଦରକାର। ସମସ୍ତେ ଏକାଠି ହୋଇ ଉତ୍କଳ ବିଶ୍ୱବିଦ୍ୟାଳୟ ବା ଆମ ବିଶ୍ୱବିଦ୍ୟାଳୟ କିପରି ଆହୁରି ଆଗକୁ ବଢ଼ିପାରିବ, ବିଭିନ୍ନ ଦିଗରେ ସେଥିପାଇଁ ପ୍ରଚେଷ୍ଟ କରିବା। ଶେଷରେ ମୁଁ ସମସ୍ତଙ୍କୁ କହିବି, ଏକତା ହିଁ ବଳ ବୋଲି କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ ପ୍ରକାଶ କରିଥିଲେ।
ପିଜି କାଉନସିଲ ଅଧ୍ୟକ୍ଷ ପ୍ରଫେସର ଦୁର୍ଗା ଶଙ୍କର ପଟ୍ଟନାୟକଙ୍କ ସଂଯୋଜନାରେ ଆୟୋଜିତ ଏହି ଭବ୍ୟ ସମାରୋହରେ କୁଳସଚିବ ଡ. ଅଭୟ କୁମାର ନାୟକ, ୱାର୍ଡେନ ପ୍ରଫେସର ପ୍ରବୋଧ କୁମାର ହୋତା, ରୁସା ସଂଯୋଜକ ପ୍ରଫେସର ସୁଶାନ୍ତ କୁମାର ବଡ଼ମାଳି, ଡିଏସପି କରୁଣାକର ଜେନା, ମୁଖ୍ୟ ସୁରକ୍ଷା ଅଧିକାରୀ ସୁକାନ୍ତ କୁମାର ନାୟକ ପ୍ରମୁଖ ଯୋଗଦେଇଥିଲେ। ୟୁନିଭର୍ସିଟି ହାଇସ୍କୁଲ ଛାତ୍ରଛାତ୍ରୀମାନେ ଦେଶାତ୍ମବୋଧକ ସଙ୍ଗୀତ ଗାନ କରିଥିଲେ। ଉତ୍କଳ ବିଶ୍ବବିଦ୍ୟାଳୟ ଛାତ୍ରଛାତ୍ରୀମାନେ ଜାତୀୟ ପତାକା ସହ ଶୋଭଯାତ୍ରାରେ ମୁଖ୍ୟଫାଟକ ପର୍ଯ୍ୟନ୍ତ ଯାଇଥିଲେ। ଏହି ଭବ୍ୟ ସମାରୋହରେ ଉତ୍କଳ ବିଶ୍ବବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ, କର୍ମଚାରୀ ଓ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ।

nis-ad
Leave A Reply

Your email address will not be published.