ସୁନ୍ଦରଗଡ଼ ସହର ପରିକ୍ରମା କଲା ହକି ବିଶ୍ୱକପ୍ ଟ୍ରଫି…

ଓଡ଼ିଶୀ, ଆଦିବାସୀ ଲୋକନୃତ୍ୟ, ବେଲୁନ୍ ସୋ’ ଏବଂ ୱାଟର କ୍ୟାନନ ସାଲ୍ୟୁଟ ପାଲଟିଲା ଆକର୍ଷଣ

ଟାଙ୍ଗରପାଲି ବ୍ଲକରେ ବିଶ୍ୱକପ୍ ଟ୍ରଫିକୁ ନେଇ ଜନସାଧାରଣଙ୍କ ଭିତରେ ଉତ୍ସାହ

ସୁନ୍ଦରଗଡ଼ : ହକିର ଗଡ଼ ସୁନ୍ଦରଗଡ଼ ଜିଲ୍ଲାରେ ବିଶ୍ୱକପ୍ ଟ୍ରଫି ଟୁରକୁ ନେଇ ବିଶେଷ ଉତ୍ସାହ ଦେଖିବାକୁ ମିଳିଛି। ମଙ୍ଗଳବାର ଦିନ ସୁନ୍ଦରଗଡ଼ ସହରରେ ଆୟୋଜିତ ଶୋଭାଯାତ୍ରାରେ ସ୍ଥାନୀୟ ଜନସାଧାରଣ, ଛାତ୍ରଛାତ୍ରୀ, ଯୁବପିଢ଼ି ଏବଂ ପ୍ରଶାସନିକ ଅଧିକାରୀମାନେ ଯୋଡ଼ିହୋଇ ବିଶ୍ୱକପ୍ ଟ୍ରଫିକୁ ଆନନ୍ଦ ଉଲ୍ଲାସର ସହ ସ୍ୱାଗତ କରିଛନ୍ତି। ବିଶ୍ୱକପ ଟ୍ରଫିକୁ ଆଜି ସୁନ୍ଦରଗଡ଼ ସହର ପରିକ୍ରମା କରାଯାଇଥିଲା। ସୁନ୍ଦରଗଡ଼ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ମାନ୍ୟବର ଅଧ୍ୟକ୍ଷ ଶ୍ରୀଯୁକ୍ତ ବିନୟ ଟପ୍ପୋ, ମାନ୍ୟବର ବିଧାୟିକା ଶ୍ରୀମତୀ କୁସୁମ ଟେଟେ, ଜିଲ୍ଲାପରିଷଦର ଅଧ୍ୟକ୍ଷା ସୁଶ୍ରୀ କୁନ୍ତୀ ପ୍ରଧାନ ଶୋଭାଯାତ୍ରାରେ ସାମିଲ ହୋଇ ଟ୍ରଫିକୁ ସ୍ୱାଗତ କରିଥିଲେ।

ଏହି ଟ୍ରଫିକୁ ସୁନ୍ଦରଗଡ଼ସ୍ଥିତ ସମଲେଇ ମନ୍ଦିରକୁ ନିଆଯାଇଥିଲା। ସେଠାରେ ପାରମ୍ପରିକ ରୀତିନୀତିରେ ଟ୍ରଫିକୁ ପୂଜାର୍ଚ୍ଚନା କରାଯାଇଥିଲା। ମହେଶଡିହିଠାରୁ ଆରମ୍ଭ ହୋଇଥିବା ଏହି ଟ୍ରଫି ଟୁର୍ କାର୍ଯ୍ୟକ୍ରମ ବସ ଷ୍ଟାଣ୍ଡ, ଡିଆରଡିଏ ଛକ, ଗାଙ୍ଗପୁର ରାଜପ୍ରାସାଦ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ରିଜର୍ଭ ପୋଲିସ ପଡ଼ିଆ, କୋର୍ଟ ଛକ, ସୁନ୍ଦରଗଡ଼ ମେଡିକାଲ କଲେଜ ଓ ହସ୍ପିଟାଲ ଏବଂ ବୀରମିତ୍ର ମେମୋରିଆଲ ଗେଟ୍ ଆଦି ପ୍ରମୁଖ ସ୍ଥାନ ପରିକ୍ରମା କରିଥିଲା। ସବୁଠି ଟ୍ରଫିକୁ ଉତ୍ସାହର ସହିତ ସ୍ୱାଗତ କରାଯାଇଥିଲା। ଏହି ଟ୍ରଫି ଟୁରରେ ଜିଲ୍ଲାପାଳ ଡାକ୍ତର ପରାଗ ହର୍ଷଦ ଗାଭାଲି, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ମନୋଜ ସତ୍ୟବାନ ମହାଜନ ଏବଂ ଅତିରିକ୍ତ ଗଣଶିକ୍ଷା ସଚିବ ଶ୍ରୀଯୁକ୍ତ ଭୈରବ ସିଂ ପଟେଲ ସାମିଲ ହୋଇଥିଲେ। ସେମାନେ ବିଶ୍ୱକପ ଟ୍ରଫିକୁ ସ୍ୱାଗତ କରିଥିଲେ।

ଏହି ଟ୍ରଫିକୁ ସ୍ଵାଗତ କରିବା ପାଇଁ ପ୍ରମୁଖ ଛକରେ ସ୍ଥାନୀୟ ଜନସାଧାରଣ, ଛାତ୍ରଛାତ୍ରୀ, ଯୁବପିଢି, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ବେଶ୍ ଉତ୍ସାହର ସହ ଉପସ୍ଥିତ ଥିଲେ। ଅଭିନବ ଢଙ୍ଗରେ ସେମାନେ ଟ୍ରଫିକୁ ସ୍ୱାଗତ କରିଥିଲେ। ଟ୍ରଫିକୁ ସ୍ୱାଗତ କରିବା ଲାଗି ବିଭିନ୍ନ ଛକରେ ଓଡ଼ିଶୀ ନୃତ୍ୟ, ସଂକୀର୍ତ୍ତନ, ଆଦିବାସୀ ନୃତ୍ୟ ଆଦି ପ୍ରଦର୍ଶନ କରାଯାଇଥିଲା। ଡିଜେ ସାଉଣ୍ଡରେ ସହର ଝୁମିଥିଲା। ଏଲଇଡିରେ ସୁନ୍ଦରଗଡ଼ର ହକିକୁ ନେଇ ବିଭିନ୍ନ ଭିଡିଓ ପ୍ରଦର୍ଶିତ ହୋଇଥିଲା। ଏହାସହ ଛାତ୍ରଛାତ୍ରୀମାନଙ୍କ ପକ୍ଷରୁ ମାନବ ଶୃଙ୍ଖଳ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ଫଳରେ ସୁନ୍ଦରଗଡ଼ ସହରରେ ଏକ ଉତ୍ସବର ପରିବେଶ ସୃଷ୍ଟି ହୋଇଥିଲା।

ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟଠାରେ ସିଡିଏମଓ ଡାକ୍ତର ସରୋଜ କୁମାର ମିଶ୍ର, ହସ୍ପିଟାଲର କର୍ମଚାରୀ ଏବଂ ନର୍ସିଂ ଛାତ୍ରଛାତ୍ରୀମାନେ ଟ୍ରଫିକୁ ସ୍ୱାଗତ କରିଥିଲେ। ସହିତ ନର୍ସିଂ ଛାତ୍ରଛାତ୍ରୀମାନେ ଉପସ୍ଥିତ ରହି ଟ୍ରଫିକୁ ସ୍ୱାଗତ କରିଥିଲେ। ସୁନ୍ଦରଗଡ଼ ସରକାରୀ ମେଡିକାଲ କଲେଜ ଏବଂ ହସ୍ପିଟାଲର ଛାତ୍ରଛାତ୍ରୀମାନେ ମଧ୍ୟ ଟ୍ରଫିକୁ ସ୍ୱାଗତ କରିଥିଲେ।

ଚଳିତ ହକି ବିଶ୍ୱକପରେ ୧୬ଟି ଦେଶ ଭାଗ ନେଇଛନ୍ତି। ତେଣୁ ସବୁ ଦେଶର ହକି ତାରକାମାନଙ୍କୁ ଉତ୍ସାହିତ କରିବା ଲାଗି ରିଜର୍ଭ ପୋଲିସ ପଡ଼ିଆଠାରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ବିଭିନ୍ନ ଦେଶର ଜାତୀୟ ପତାକା ଦେଖାଇ ଟ୍ରଫିକୁ ସ୍ୱାଗତ କରିଥିଲେ। ସୁନ୍ଦରଗଡ଼ରେ ବିଶ୍ୱକପ୍ ଟ୍ରଫି ଟୁର୍ ବେଳେ ଭବାନିପୁର ଫୁଟବଲ ପଡ଼ିଆଠାରେ ଏକ ଚିତ୍ତାକର୍ଷକ କାର୍ଯ୍ୟକ୍ରମ କରାଯାଇଥିଲା। ସ୍ଥାନୀୟ ସ୍କୁଲ ଛାତ୍ରଛାତ୍ରୀମାନେ ହକି ବିଶ୍ୱକପ୍ ଥିମ ସଙ୍ଗରେ ଚମତ୍କାର ନୃତ୍ୟ ପରିବେଷଣ କରିଥିଲେ। ସେହିପରି ବେଲୁନ୍ ସୋ’ ଏବଂ ଅଗ୍ନିଶମ ବାହିନୀର ୱାଟର କ୍ୟାନନ ସାଲ୍ୟୁଟ ବିଶେଷ ଆକର୍ଷଣ ହୋଇଥିଲା। ସନ୍ଧ୍ୟାରେ ଜିଲ୍ଲା ସଂସ୍କୃତି ଭବନଠାରେ ସ୍ଥାନୀୟ କଳାକାରମାନଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

ଟ୍ରଫି ଟୁରରେ ଜିଲ୍ଲା ପରିଷଦର ଉପାଧ୍ୟକ୍ଷ ଶ୍ରୀଯୁକ୍ତ କମଲ ଲାକ୍ରା, ସୁନ୍ଦରଗଡ଼ ପୌରପାଳିକା ଅଧ୍ୟକ୍ଷା ଶ୍ରୀମତୀ ତନୟା ମିଶ୍ର, ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ଅଭିମନ୍ୟୁ ବେହେରା, ଉପଜିଲ୍ଲାପାଳ ଶ୍ରୀଯୁକ୍ତ ଦାଶରଥୀ ସରାବୁ, ସୁନ୍ଦରଗଡ଼ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ଶ୍ରୀଯୁକ୍ତ ରାମକୃଷ୍ଣ ଗଣ୍ଡ, ସୁନ୍ଦରଗଡ଼ ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀ ମଧୁସ୍ମିତା ସିଂ, ସଦର ବିଡିଓ ବିନୟ କୁମାର ପଟେଲ, ଟାଙ୍ଗରପାଲି ବିଡିଓ ଐଶ୍ୱର୍ଯ୍ୟା ଭୂୟାଁ, ଜିଲ୍ଲା ହକି ଆସୋସଏସନର କର୍ମକର୍ତ୍ତା, ବରିଷ୍ଠ କୋଚ ଏବଂ ଖେଳାଳିମାନେ ସାମିଲ ହୋଇଥିଲେ।

ସେହିପରି ଟାଙ୍ଗରପାଲି ବ୍ଲକରେ ବିଶ୍ୱକପ୍ ଟ୍ରଫିକୁ ଉତ୍ସାହ ଉଦ୍ଦୀପନାର ସହ ସ୍ୱାଗତ କରାଯାଇଛି। ଟାଙ୍ଗରପାଲିର ଯୋଗୀମାଲସ୍ଥିତ ହକି ଅଭ୍ୟାସ କେନ୍ଦ୍ରଠାରେ ସ୍ଥାନୀୟ ଖେଳାଳିମାନେ ହାତରେ ହକି ଷ୍ଟିକ୍ ଧରି ଟ୍ରଫିକୁ ସ୍ୱାଗତ କରିଥିଲେ। ଟ୍ରଫି ଟୁରରେ ଛାତ୍ରଛାତ୍ରୀ, ଆଶା ଓ ଅଙ୍ଗନବାଡ଼ି କର୍ମୀ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ଏବଂ ସ୍ଥାନୀୟ ପ୍ରଶାସନିକ ଅଧିକାରୀମାନେ ସାମିଲ ହୋଇଥିଲେ। ବୁଧବାର ଦିନ ବିଶ୍ୱକପ୍ ଟ୍ରଫି ବାଲିଶଙ୍କରା ଏବଂ ସବଡେଗା ବ୍ଲକ୍ ପରିକ୍ରମା କରିବ। ଏଥିପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ୨୪ ତାରିଖ ପର୍ଯ୍ୟନ୍ତ ଏହି ଟ୍ରଫି ଜିଲ୍ଲାର ସମସ୍ତ ବ୍ଳକ ଏବଂ ପୌରପାଳିକାକୁ ଯିବ।

nis-ad
Leave A Reply

Your email address will not be published.