ଆମ ମେଡିକାଲ ଆମକୁ ଫେରାଇ ଦିଅ…

କେନ୍ଦ୍ରାପଡ଼ା: ‘ଆମ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ୫ କିମି ଦୂରକୁ ଉଠାଇ ନେଲେ। ଫଳରେ ଏହା ଉପରେ ନିର୍ଭରଶୀଳ ଥିବା ପ୍ରାୟ ଦେଢ଼ ଲକ୍ଷ ଲୋକ  ପ୍ରଭାବିତ ହେଉଛନ୍ତି। ସ୍ୱାସ୍ଥ୍ୟସେବା ପାଇବାକୁ ଖୁବ୍‌ ହୀନସ୍ତା ହେଉଛନ୍ତି। ତେଣୁ ତୁରନ୍ତ ଆମ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପୁରୁଣା ସ୍ଥାନକୁ ଫେରାଇ ଆଣିବା ସହ ନୂଆ ଜାଗାରେ ଏକ ମେଡିକାଲ କଲେଜ ସ୍ଥାପନ କର । ନଚେତ ଆନ୍ଦୋଳନକୁ ଜୋରଦାର କରାଯିବ।’ କେନ୍ଦ୍ରାପଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟ ଅନ୍ୟତ୍ର ସ୍ଥାନାନ୍ତର ପ୍ରତିବାଦରେ ଆଜି ୨୪ ଘଣ୍ଟିଆ କେନ୍ଦ୍ରାପଡା ପୌରାଞ୍ଚଳ ବନ୍ଦ ଡାକରା ଦେଇ ଏପରି ଚେତାବନୀ ଦେଇଛନ୍ତି ଆନ୍ଦୋଳନକାରୀ।

“କେନ୍ଦ୍ରାପଡା ମେଡିକାଲ ବଞ୍ଚାଅ କ୍ରିୟାନୁଷ୍ଠାନ କମିଟି” ପକ୍ଷରୁ ଆଜି ସକାଳ ୬ଟାରୁ ୨୪ ଘଣ୍ଟିଆ ବନ୍ଦ ଡ଼ାକରା ଦିଆଯାଇଛି। ସହର ମଧ୍ୟରେ ଥିବା ଜିଲା ମୁଖ୍ୟ ଚିକିତ୍ସାଳୟକୁ ୫ କିମି ଦୂର ଇଚ୍ଛାପୁର ସ୍ଥିତ ଶ୍ୟାମଗୁଡ଼ିଆକୁ ପ୍ରାୟ ମାସେ ହେବ ସ୍ଥାନାନ୍ତର କରାଯାଇଛି। ଫଳରେ ପୌରାଞ୍ଚଳ ଲୋକେ ସ୍ୱାସ୍ଥ୍ୟସେବା ପାଇବାରୁ ବଞ୍ଚିତ ହେଉଥିବା କ୍ରିୟାନୁଷ୍ଠାନ କମିଟି ଅଭିଯୋଗ କରିଛି । ଆଜିର ବନ୍ଦକୁ ବିଭିନ୍ନ ବ୍ୟବସାୟିକ ସଂଘ, ରାଜନୈତିକ ଦଳ ଓ ସାମାଜିକ ସଂଗଠନ ସମର୍ଥନ କରି ରାସ୍ତାକୁ ଓହ୍ଲାଇଛନ୍ତି।  ବନ୍ଦ ଯୋଗୁ ସହରରେ ଦୋକାନବଜାର ବନ୍ଦ ଥିବା ବେଳେ ଯାନବାହନ ଚଳାଚଳ ବି ବାଧାପ୍ରାପ୍ତ ହୋଇଛି।

ଆନ୍ଦୋଳନରେ ସାମିଲ ହୋଇଥିବା କଂଗ୍ରେସର ବରିଷ୍ଠ ନେତା ଗଣେଶ୍ୱର ବେହେରା କହିଛନ୍ତି, ମେଡିକାଲ ସ୍ଥାନାନ୍ତର ନୁହେଁ, ଆମେ ମେଡିକାଲ କଲେଜ ଦାବି କରିଥିଲୁ। ସ୍ଥାନାନ୍ତର ହେତୁ ଲୋକେ ସ୍ୱାସ୍ଥ୍ୟ ସେବା ପାଇବାରେ ବହୁ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ସରକାର ତୁରନ୍ତ ସମସ୍ୟାର ସମାଧାନ ପାଇଁ ଘୋଷଣା କରି ଆଲୋଚନା କରନ୍ତୁ, ନଚେତ ଆନ୍ଦୋଳନ ତୀବ୍ରତର ହେବ ।

ରାଜ୍ୟ ସରକାର କେନ୍ଦ୍ରାପଡ଼ାବାସୀଙ୍କୁ ଠକିଛନ୍ତି। ମେଡିକାଲକୁ ବନ୍ଦ କରି ତାହାକୁ ଏକ ଭୂତ କୋଠିରେ ପରିଣତ କରିଛନ୍ତି।  ଇଚ୍ଛାପୁର ଏକ ପଞ୍ଚାୟତ ହୋଇଥିବା ବେଳେ ମୁଖ୍ୟ ସହରରୁ ସେଠାକୁ କିପରି ମେଡିକାଲ ଉଠାଇ ନେଲେ ବୋଲି ପ୍ରଶ୍ନ କରିଛନ୍ତି ବିଜେପି ନେତା ତେଜେଶ୍ୱର ପରିଡ଼ା।

କେନ୍ଦ୍ରାପଡ଼ାରେ ଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବେଡ ସମସ୍ୟା ରହୁଥିବା ବେଳେ ବହୁ ଡିପାର୍ଟମେଣ୍ଟ ଖୋଲା ଯାଇ ପାରୁ ନ ଥିଲା। ତେଣୁ ଶ୍ୟାମଗୁଡ଼ିଆରେ  ଏକ ୬ ମହଲା କୋଠା କରାଯାଇ ସେଠାକୁ ସବୁ ଡିପାର୍ଟମେଣ୍ଟକୁ ଉଠାଇ ନିଆଯାଇଛି। ଗତ ଜାନୁଆରୀ ୯ ତାରିଖରୁ ଏହି ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ ହୋଇଛି। ଏଥିସହ ବହୁ ନୂଆ ୟୁନିଟ ବି ସେଠାରେ ଖୋଲା ଯାଇଛି। ହେଲେ କେନ୍ଦ୍ରାପଡ଼ା ସହରରୁ ଦୂର ହେଉଥିବା କହି ମେଡିକାଲକୁ ପୁରୁଣା ସ୍ଥାନକୁ ଫେରାଇ ଆଣିବା ଦାବିରେ ଆନ୍ଦୋଳନକୁ ଜୋରଦାର କରାଯାଉଛି।

ରାଜ୍ୟର ଅଧିକାଂଶ ଜିଲ୍ଲାରେ ମେଡିକାଲ କଲେଜ ହେଉଥିବା ବେଳେ କେନ୍ଦ୍ରାପଡ଼ା ପ୍ରତି କାହିଁକି ବୈମାତୃକ ମନୋଭାବ ପୋଷଣ କରାଯାଉଛି। ଆମ ହସ୍ପିଟାଲ ଆମକୁ ଫେରାଇ ଦିଅ, ନଚେତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଲଗାତାର ଧାରଣ ଦିଆଯିବ ବୋଲି ଚେତାବନୀ ଦେଇଛନ୍ତି ଆନ୍ଦୋଳନକାରୀ।ଆସନ୍ତାକାଲି ସକାଳ ୬ଟା ଯାଏ ଏହି ଆନ୍ଦୋଳନ ଚାଲିବ । ଇତି ମଧ୍ୟରେ ଏହି ସମସ୍ୟାର ସମାଧାନ କରା ନ ଗଲେ ଏହାପରେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି  ଚେତାବନୀ ଦେଇଛନ୍ତି ଆନ୍ଦୋଳନକାରୀ।

nis-ad
Leave A Reply

Your email address will not be published.