ଜଙ୍ଗଲରୁ ହାତଗୋଡ଼ ବନ୍ଧା ଅବସ୍ଥାରେ ଶିଶୁ ଉଦ୍ଧାର…

କୋଇଡ଼ା: ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ଥାନା ଅନ୍ତର୍ଗତ ଲାଲହାଟିଙ୍ଗ ବସ୍ତିରୁ ଗତକାଲି ଏକ ୬ ବର୍ଷର ଶିଶୁକୁ ୩ ଜଣ ଯୁବକ ଅପହରଣ କରି ନେଇଥିବା ବେଳେ ଆଜି ତାକୁ ହାତଗୋଡ଼ ବନ୍ଧା ଅବସ୍ଥାରେ ମେଣ୍ଢାମୁରୁଣି ଜଙ୍ଗଲରୁ ଉଦ୍ଧାର କରାଯାଇଛି। ଏହା ସହିତ ୩ ଅଭିଯୁକ୍ତଙ୍କୁ ପୁଲିସ୍ ଗିରଫ କରିଛି। ସେମାନଙ୍କ ଘର କୋଇଡ଼ା ଅଞ୍ଚଳରେ ବୋଲି ଜଣାଯାଇଛି।

ଗତକାଲି ପିଲାଟି ଘର ବାହାରେ ଖେଳୁଥିବା ବେଳେ ଅଭିଯୁକ୍ତମାନେ ଆସି ତାକୁ ଚକୋଲେଟ୍ ଦେବେ ବୋଲି କହିଥିଲେ ଓ ବାଇକ୍‌ରେ ବସାଇ ନେଇ ଯାଇଥିଲେ। ପରିବାର ଲୋକେ ଶିଶୁଟିକୁ  ନ ପାଇବାରୁ ଖୋଜାଖୋଜି କରିଥିଲେ। ହେଲେ ପାଇ ନଥିଲେ। ଏନେଇ ସେମାନେ ଥାନାରେ ଅଭିଯୋଗ କରିଥିଲେ। ବିଳମ୍ବିତ ରାତିରେ ଅଭିଯୁକ୍ତମାନେ ଶିଶୁଟିର ପରିବାର ଲୋକଙ୍କୁ ଫୋନ୍‌ କରିଥିଲେ ଓ ଦୁଇ ଲକ୍ଷ ଟଙ୍କା ଦାବି କରିଥିଲେ। ଟଙ୍କା ନ ଦେଲେ ଶିଶୁଟିକୁ ଜୀବନରୁ ମାରି ଦେବେ ବୋଲି ଧମକ ଦେଇଥିଲେ।

ପରିବାର ଲୋକେ ଏନେଇ ପୁଲିସକୁ ଜଣାଇଥିଲେ। ପୁଲିସ୍ ଫୋନ୍‌ କଲ୍‌ ଟ୍ରାକ୍ କରି ମେଣ୍ଢାମୁରୁଣି ଜଙ୍ଗଲରୁ ଶିଶୁଟିକୁ ଆଜି ହାତଗୋଡ଼ ବନ୍ଧା ଅବସ୍ଥାରେ ଉଦ୍ଧାର କରିଥିଲା। ଏହାସହ ଅପହରଣ କରିଥିବା ୩ ଜଣ ଯୁବକଙ୍କୁ ଗିରଫ କରିଥିଲା। ପୁଲିସ୍ ସେମାନଙ୍କ ବାଇକ୍‌କୁ ମଧ୍ୟ ଜବତ କରିଛି। ଜଣେ ଅଭିଯୁକ୍ତଙ୍କ ଘର ଶିଶୁଟିର ଘର ପାଖରେ ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି।

nis-ad
Leave A Reply

Your email address will not be published.