ମକର ଯାତ୍ରାରେ ସିଂହନାଥ ପୀଠରେ ଦଳାଚକଟା ଘଟଣା, ସମ୍ପନ୍ନ ହେଲା ମୃତ ଅଞ୍ଜନାଙ୍କ ଶେଷକୃତ୍ୟ…

ବାଙ୍କୀ: ସ୍ତବ୍ଧ ପରିବେଶ। କାହା ପାଟିରୁ ଶବ୍ଦ ଟିକେ ବାହାରୁନି। କଣ କହିବେ କିଛି ଭାବିପରୁନାହାନ୍ତି। ସତେ ଯେମିତି କି ସତକୁ କିଏ ସ୍ବିକାର କରିବାକୁ ରାଜି ନୁହଁନ୍ତି। ଗତ ଶନିବାର ମକର ସଂକ୍ରାନ୍ତି ପାଇଁ ଚାରିଆଡ ଥିଲା ଚଳଚଞ୍ଚଳ। ହେଲେ ଏତିକି ବେଳେ କଟକ ଜିଲ୍ଲା ବଡ଼ମ୍ବା ବ୍ଲକ୍‌ର ପ୍ରସିଦ୍ଧ ସିଂହନାଥ ପୀଠରେ ଘଟିଥିବା ଅଭାବନୀୟ ଘଟଣା । ପୀଠରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ଆଉ ଗହଳି ଏତେ ବଢିଯାଇଥିଲା ଯେ ଦଳାଚକଟାରେ ଜଣେ ମହିଳାଙ୍କର ମୃତ୍ୟୁ ଘଟିଥିଲା।

ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ଯ ପ୍ରସିଦ୍ଧ ମକର ମେଳାରେ ପୀଠରେ ପ୍ରବଳ ଜନସମାଗମ ହୋଇଥାଏ। ହେଲେ ପୀଠକୁ ଯିବା ପାଇଁ ପୂର୍ବରୁ ଡଙ୍ଗା ହିଁ ଏକମାତ୍ର ବାଟ ଥିଲା। କିନ୍ତୁ ଟି ସେତୁ ନିର୍ମାଣ ହେବା ପରେ ପୀଠକୁ ସିଧାସଳଖ ବାଟ ଫିଟି ଥିଲା। କୋଭିଡ କଟକଣା ପରେ ଚଳିତ ବର୍ଷ ବିନା ବାଧାରେ ଯାତ୍ରା ଆୟୋଜନ ହେଉଥିବା ବେଳେ ଜନସମାଗମକୁ ନେଇ ପ୍ରଶାସନ ଆକଳନ କରି ପାରିଲାନି। ଯାହାଦ୍ବାରା ଭିଡ ନିୟନ୍ତ୍ରଣ ପାଇଁ ପର୍ଯ୍ୟାପ୍ତ ପୋଲିସ ଓ ପ୍ରଶାସନିକ ଅଧିକାରୀଙ୍କୁ ନିୟୋଜିତ କରାଗଲା ନାହିଁ। ଫଳରେ ସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଗଲା।

ଶ୍ରଦ୍ଧାଳୁମାନଙ୍କ ମଧ୍ୟରେ ଠେଲାପେଲା ଆରମ୍ଭ ହୋଇଯାଇଥିଲା। ପରିସ୍ଥିତି ଏପରି ହୋଇଥିଲା ଯେ ଭକ୍ତମାନେ ମନ୍ଦିର ବାହାରକୁ ଆସିପାରି ନ ଥିଲେ କି ଟି-ସେତୁରେ ଥିବା ଭକ୍ତ ଭିତରକୁ ଯାଇପାରି ନ ଥିଲେ। ଏହାପରେ ଦଳାଚକଟା ଆରମ୍ଭ ହୋଇଯାଇଥିଲା। ଏତିକି ବେଳେ ଟି-ସେତୁ ପାହାଚର ଅନତି ଦୂରରେ ବାଙ୍କୀ ପାଥପୁର ଅଞ୍ଚଳର ଅଞ୍ଜନା ସ୍ବାଇଁ (୫୨)ଙ୍କ ସମେତ ୫୦ରୁ ଅଧିକ ଶିଶୁ, ମହିଳା, ପୁରୁଷ ଓ ବୃଦ୍ଧବୃଦ୍ଧା ତଳେ ପଡ଼ି ଯାଇଥିଲା। ଲୋକଙ୍କ ଗୋଡ଼ ତଳେ ବହୁ ସମୟ ପର୍ଯ୍ୟନ୍ତ ଅଞ୍ଜନା ଚାପି ହୋଇ ରହିଯାଇଥିଲା ବେଳେ ଦଳାଚକଟାରେ ପଡ଼ି ଯାଇଥିବା ବହୁ ଲୋକ ଅଣନିଃଶ୍ବାସୀ ହୋଇପଡ଼ିଥିଲେ। ଏବଂ ତାଙ୍କର ମୃତ୍ୟୁ ଘଟିଥିଲା। ଏହି ଘଟଣା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକବ୍ୟକ୍ତ କରିଛନ୍ତି। ମୃତକଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ୫ ଲକ୍ଷ ଟଙ୍କାର ଅନୁକମ୍ପା ମୂଳକ ସହାୟତା ଘୋଷଣା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି।

କିଏ ଜାଣିଥିଲା ଏମିତି ଅଘଟଣ ଘଟିବ। ପ୍ରଭୁଙ୍କ ଦର୍ଶନ କରି ଆଶିର୍ବାଦ ନେବାକୁ ଯାଇଥିବା ଅଞ୍ଜନା ଯେ ସବୁଦିନ ପାଇଁ ସେହି ପ୍ରଭୁଙ୍କ ଚରଣକୁ ଚାଲିଯିବେ ସେକଥା କିଏ ଜାଣିଥିଲା। ତେବେ ଏହି ଘଟଣାପରେ ପରେ ପ୍ରଶାସନ ପକ୍ଷରୁ ପୀଠରେ ୧୪୪ ଧାରା ଜାରି କରାଯାଇଛି। ଆଉ ଦୁଇ ଦିନ ଯାତ୍ରା ହେବାକୁ ଥିଲାବେଳେ ତାହାକୁ ବନ୍ଦ କରି ଦିଆଯାଇଛି।

nis-ad
Leave A Reply

Your email address will not be published.