ଓଡ଼ିଶା ନର୍ସିଂ କର୍ମଚାରୀ ସଂଘର ଆଲୋଚନା ବିଫଳ

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ସହିତ ଓଡ଼ିଶା ନର୍ସିଂ କର୍ମଚାରୀ ସଂଘର ଆଲୋଚନା ବିଫଳ ହୋଇଛି। ନର୍ସିଂ କର୍ମଚାରୀମାନେ ଆସନ୍ତାକାଲି (୨୦୨୪ ସେପ୍ଟେମ୍ବର ୨୬) ଯାଏଁ ଜରୁରୀକାଳୀନ ସେବାରେ ନିୟୋଜିତ ହେବାକୁ ସ୍ଥିର କରିଛନ୍ତି। ଏହା ପରେ ସେପ୍ଟେମ୍ବର ୨୭ ତାରିଖ ଠାରୁ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ନର୍ସିଂ କର୍ମଚାରୀ ସଂଘ ତରଫରୁ ଗଣମାଧ୍ୟମକୁ ଏହି ସୂଚନା ଦିଆଯାଇଛି।

ସଂଘ ପକ୍ଷରୁ କୁହାଯାଇଛି ଯେ, ନର୍ସିଂ ଆନ୍ଦୋଳନ ନେଇ ଲୋକସେବା ଭବନରେ ଆଜି ଅପରାହ୍‌ଣରେ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ଏହି ବୈଠକରେ ସ୍ବାସ୍ଥ୍ୟ ସଚିବ ଏସ. ଅଶ୍ୱଥି, ନର୍ସିଂ ନିର୍ଦେଶକ, ସ୍ଵାସ୍ଥ୍ୟ ନିର୍ଦ୍ଦେଶକଙ୍କ ସମେତ ଓଡ଼ିଶା ନର୍ସିଂ କର୍ମଚାରୀ ସଂଘ ପ୍ରତିନିଧି ଉପସ୍ଥିତ ଥିଲେ। ନର୍ସିଂ କର୍ମଚାରୀଙ୍କ ଦାବି ସଂପର୍କରେ ଆଲୋଚନା ହୋଇଥିଲା। ସରକାର ନର୍ସିଂ କର୍ମଚାରୀଙ୍କ ଦାବିକୁ ମାନି ନଥିବାରୁ ଆନ୍ଦୋଳନ ଜାରି ରଖିବାକୁ ନିଷ୍ପତ୍ତି ନିଆଯାଇଛି।

ସୂଚନାଯୋଗ୍ୟ, ଓଡ଼ିଶା ନର୍ସିଂ କର୍ମଚାରୀ ସଂଘ ରାଜ୍ୟବ୍ୟାପୀ କାର୍ଯ୍ୟବନ୍ଦ ଆନ୍ଦୋଳନ ଡାକରା ଦେଇଛି। ନର୍ସିଂ କର୍ମଚାରୀମାନେ ଜରୁରିକାଳୀନ ରୋଗୀ ସେବାରେ କୌଣସି ପ୍ରକାର ବାଧା ନ ଦେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଅନ୍ୟପଟରେ ରାଜ୍ୟ ସରକାର ଏହି ଆନ୍ଦୋଳନ ପୂର୍ବରୁ ଚେତାବନୀ ଦେଇଛନ୍ତି। ଅଗଷ୍ଟ ମାସରୁ ଏସ୍‌ମା ଲାଗୁ ହୋଇଥିବାରୁ ଆନ୍ଦୋଳନକୁ ଓହ୍ଲାଇଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି। ରାଜ୍ୟ ନର୍ସିଂ ନିର୍ଦ୍ଦେଶକ ଡା. ଆର୍ତ୍ତବନ୍ଧୁ ନାୟକ ସବୁ ସିଡିଏମ୍ଓ, ମେଡିକାଲ କଲେଜର ଅଧ୍ୟକ୍ଷ ଓ ଆଚାର୍ଯ୍ୟ ହରିହର, କ୍ୟାପିଟାଲ ହସ୍ପିଟାଲ ଓ ଆରଜିଏଚ୍ ରାଉରକେଲାକୁ ପତ୍ର ଲେଖି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ଲାଗି କହିଛନ୍ତି।

ଅଗଷ୍ଟ ୭ ତାରିଖରୁ ରାଜ୍ୟରେ କାର୍ଯ୍ୟରତ ନର୍ସ, ପାରାମେଡିକ୍ସ, ଟେକ୍ନିସିଆନ୍ ଓ ଅନ୍ୟ ତୃତୀୟ ଓ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ପାଇଁ ଏସ୍‌ମା ଲାଗୁ ହୋଇଛି। ଏହା ୬ମାସ ପାଇଁ ବଳବତ୍ତର ରହିବ। ନିକଟରେ ନର୍ସିଂ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଦିଆଯାଇଥିବା ଦାବିପତ୍ରରେ ୨୫ ତାରିଖରୁ ଅଣଜରୁରିକାଳୀନ ସେବା ବନ୍ଦ କରିବା ନେଇ ଉଲ୍ଲେଖ କରିଛନ୍ତି। ତେଣୁ ଆନ୍ଦୋଳନକୁ ଓହ୍ଲାଉଥିବା କର୍ମଚାରୀଙ୍କ ବିରୋଧରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ନର୍ସିଂ ନିର୍ଦ୍ଦେଶାଳୟ ନିର୍ଦେଶ ଦେଇଛି। କେବଳ ସେତିକି ନୁହେଁ, କେଉଁ ନର୍ସିଂ ଅଫିସରମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି, ସେମାନଙ୍କ ସଂପର୍କରେ ନିର୍ଦ୍ଦେଶାଳୟକୁ ସୂଚନା ପ୍ରଦାନ କରିବା ଲାଗି କୁହାଯାଇଛି।

ରାଜ୍ୟ ସରକାରଙ୍କ ଚେତାବନୀ ପତ୍ର ସତ୍ତ୍ବେ ଓଡ଼ିଶା ନର୍ସିଂ କର୍ମଚାରୀ ସଂଘ ନିଜ ଜିଦ୍ରେ ଅଟଳ ରହିଛି। ସଂଘର ସାଧାରଣ ସଂପାଦକ ଅଶ୍ବିନୀ କୁମାର ଦାସ କହିଛନ୍ତି, ଦାବି ପୂରଣ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ସେ କହିଛନ୍ତି।

nis-ad
Leave A Reply

Your email address will not be published.