ରେଳ ବିଭାଗରେ ଚାକିରି କରାଇଦେବା ନାମରେ ୭ ଲକ୍ଷ ଠକେଇ ଅଭିଯୁକ୍ତ ଗିରଫ

ମାଲକାନଗିରି : ରେଳ ବିଭାଗରେ ଚାକିରି କରାଇଦେବା ନାମରେ ୭ ଲକ୍ଷ ଟଙ୍କା ଲୁଟ ଅଭିଯୋଗରେ ମାଲକାନଗିରି ପୋଲିସ ଦ୍ଵାରା ଜଣେ ଗିରଫ। ସୂଚନା ଅନୁଯାୟୀ ମାଲକାନଗିରି ଥାନା ଅନ୍ତର୍ଗତ ଏମଭି ୨ରେ ରହୁଥିବା ପ୍ରଜ୍ଞା ପ୍ରିୟଦର୍ଶିନୀ ନାମକ ମହିଳାଙ୍କୁ ରେଳ ବିଭାଗରେ ଚାକିରି କରାଇଦେବାର ପ୍ରଲୋଭନ ଦେଇଥିଲେ କୋରାପୁଟ ଜିଲ୍ଲାର ଜୟପୁର ଅଞ୍ଚଳର ସନ୍ତୋଷ ସାହୁ ନାମକ ବ୍ୟକ୍ତି। ତେବେ ଏଥିରେ ପ୍ରଜ୍ଞା ପ୍ରଲୋଭିତ ହୋଇ ଟଙ୍କା ଦେବାକୁ ରାଜି ହୋଇଥିଲେ। ପରେ ସନ୍ତୋଷ ସାହୁ ନାମକ ବ୍ୟକ୍ତି ପ୍ରଜ୍ଞାଙ୍କୁ ବିକ୍ରମ କୁମାର ଜେନା ନାମକ ବ୍ୟକ୍ତିଙ୍କ ସହ ମିଶାଇ ଥିଲେ। ଅଭିଯୁକ୍ତମାନେ ପ୍ରଜ୍ଞାଙ୍କୁ ନିଯୁକ୍ତି ପତ୍ର ପାଇଁ ପଶ୍ଚିମବଙ୍ଗ ଏବଂ ଦିଲ୍ଲୀରେ ଡାକ୍ତରୀ ପରୀକ୍ଷା ପାଇଁ ଡାକିଥିଲେ। ତା’ପରେ ଅଭିଯୁକ୍ତ ମାନେ ତାଙ୍କ ବିଶ୍ୱାସ ହାସଲ କରିବା ପାଇଁ ରେଳ ବିଭାଗର ବୋର୍ଡର ନକଲି ସିଲ୍ ଥିବା ନିଯୁକ୍ତି ପତ୍ର ଏବଂ ଅନ୍ୟାନ୍ୟ ଡକ୍ୟୁମେଣ୍ଟ୍ ପ୍ରସ୍ତୁତ କରିଥିଲେ। ଏହାପରେ ଅଭିଯୁକ୍ତ ମାନେ ପ୍ରଜ୍ଞାଙ୍କୁ ଚନ୍ଦ୍ରକାନ୍ତ ମହାନ୍ତିଙ୍କ ସହ ମିଶାଇ ଥିଲେ, ଯିଏକି ନିଜକୁ ଦିଲ୍ଲୀର ରେଳ କର୍ମଚାରୀ ବୋଲି ପରିଚୟ ଦେଇଥିଲେ। ଯାହାକୁ ନେଇ ପ୍ରଜ୍ଞା ଅଭିଯୁକ୍ତ ମାନଙ୍କ ଉପରେ ବିଶ୍ବାସ କରି ପ୍ରର୍ଯାୟ କ୍ରମେ ୭ ଲକ୍ଷ ଟଙ୍କା ଦେଇଥିଲେ। କିନ୍ତୁ ଟଙ୍କା ନେବା ପରେ ଅଭିଯୁକ୍ତ ମାନେ ପ୍ରଜ୍ଞାଙ୍କୁ ଚାକିରି କରାଇ ନଥିବା ସହ ଟଙ୍କା ମାଗିଲେ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିଥିଲେ। ଯାହାକୁ ନେଇ ପ୍ରଜ୍ଞା ମାଲକାନଗିରି ଥାନାର ଦ୍ଵାରସ୍ଥ ହୋଇ ଲିଖିତ ଅଭିଯୋଗ କରିଥିଲେ। ଯାହାକୁ ଆଧାର କରି ମାଲକାନଗିରି ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲେ ଏବଂ ଅଭିଯୁକ୍ତ ବିକ୍ରମ କୁମାର ଜେନାଙ୍କୁ ମାଲକାନଗିରିରୁ ଏକ ସ୍ଵତନ୍ତ୍ର ପୋଲିସ ଟିମ ଯାଇ ଭୁବନେଶ୍ବର ଅଞ୍ଚଳରୁ ବିକ୍ରମକୁ ଗିରଫ କରି ମାଲକାନଗିରି କୋର୍ଟରେ ହାଜର କରାଇଛି। ତେବେ ଗିରଫ ବ୍ୟକ୍ତି ଜଣଙ୍କ ବିଭିନ୍ନ ସ୍ଥାନରେ ଏହିପରି ଲୋକଙ୍କୁ ଚାକିରି ପ୍ରତିଶ୍ରୁତି ଦେଇ ଠକିଥିବା ନେଇ ସୂଚନା ମିଳିଛି। ପୋଲିସ ଏହି ଘଟଣାରେ କାହାର କାହାର ସମ୍ପୃକ୍ତି ଅଛି ସେନେଇ ତଦନ୍ତ ଜାରି ରହିଥିବା ଜଣା ପଡିଛି।

nis-ad
Leave A Reply

Your email address will not be published.