ଜୋଶୀମଠରେ ଘର ହରାଉଥିବା ଲୋକଙ୍କୁ ମାସିକ ୫ ହଜାର ଲେଖାଏ ଭଡ଼ା ସହ ୬ ମାସ ପର୍ଯ୍ୟନ୍ତ ପାୱାର୍‌ ବିଲ୍‌ ଛାଡ଼ ଘୋଷଣା କଲେ ସରକାର…

ଡେରାଡୁନ: ଉତ୍ତରାଖଣ୍ଡର ଯୋଶୀମଠ ଓ ଆଖପାଖ ଅଞ୍ଚଳରେ ମାଟି ଦବିବା ସହ ଘରମାନଙ୍କରେ ଫାଟ ଦେଖାଯିବା ଘଟଣା ବାସିନ୍ଦାଙ୍କ ମନରେ ଆତଙ୍କ ସୃଷ୍ଟି କରିଛି। ଏନେଇ ପ୍ରଶାସନ ତା’ର ତତ୍ପରତା ପ୍ରକାଶ କରିଥିବା ବେଳେ ଶୁକ୍ରବାର ଉତ୍ତରାଖଣ୍ଡର ସରକାର ଏକ ଗୁରୁତ୍ବପୂର୍ଣ୍ଣ ଘୋଷଣା କରିଛନ୍ତି।
ସରକାର ଯୋଶୀମଠରେ ଘର ହରାଉଥିବା ମାଲିକମାନଙ୍କୁ ମାସିକ ଭଡ଼ା ବାବଦରେ ୫ ହଜାର ଟଙ୍କା ପ୍ରଦାନ କରିବାର ନିଷ୍ପତ୍ତି ନେଇଥିବା ବେଳେ ନଭେମ୍ବର ମାସରୁ ନେଇ ୬ ମାସ ପର୍ଯ୍ୟନ୍ତ ପାୱାର୍‌ ବିଲ୍‌ (ବିଦ୍ୟୁତ ବିଲ୍) ଛାଡ଼ କରିବାର ବି ଘୋଷଣା କରିଛନ୍ତି।
ଯୋଶୀମଠ ବାସିନ୍ଦାମାନଙ୍କର ଥଇଥାନ ସକାଶେ ସରକାର ପୂର୍ଣ୍ଣ ଚେଷ୍ଟା କରୁଛନ୍ତି। ସହରରରେ ମୋଟ ୪୫୦୦ କୋଠା ରହିଥିବା ବେଳେ ବଡ଼ ବିପଦ ଆଶଙ୍କା କରି ଏସ୍‌ଡିଆର୍‌ଏଫ୍‌ ଏବଂ ଏନ୍‌ଡିଆର୍‌ଏଫ୍‌ ଟିମ୍‌ ମୁତୟନ କରାଯିବ‌ା ସହ ପୂର୍ବରୁ ଯୋଶୀମଠକୁ ‘ଭୂସ୍ଖଳନ ପ୍ରବଣ’ ଅଂଚଳ ଘୋଷଣା କରାଯାଇଛି।

ଉଲ୍ଲେଖଯୋଗ୍ୟ, ଚୀନ୍-ଭାରତ ମଧ୍ୟବର୍ତ୍ତୀ ସୀମାରେଖା ଏଲ୍‌ଏସି ନିକଟସ୍ଥ ଉତ୍ତରାଖଣ୍ଡର ଯୋଶୀମଠ ଦବୁଥିବା ପରିପ୍ରେକ୍ଷୀରେ ଉକ୍ତ ଅଞ୍ଚଳରୁ ବହୁସଂଖ୍ୟାରେ ଯବାନଙ୍କୁ ସ୍ଥାନାନ୍ତରିତ କରାଯାଇଛି ବୋଲି ସେନାମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ ଗୁରୁବାର କହିଛନ୍ତି। ତେବେ କେତେ ସୈନ୍ୟଙ୍କୁ ସ୍ଥାନାନ୍ତରିତ କରାଯାଇଛି ସେ ବିଷୟରେ ପାଣ୍ଡେ ବିଶଦ ସୂଚନା ଦେଇ ନ ଥିବା ବେଳେ କହିଛନ୍ତି ଯେ ଯୋଶୀମଠ ଆଖପାଖରେ ଥିବା ପ୍ରାୟ ୨୦ଟି ସାମରିକ କୋଠା ସାମାନ୍ୟ ବା ମଧ୍ୟମ ଧରଣର କ୍ଷତିଗ୍ରସ୍ତ ହୋଇଛି। ପାଣ୍ଡେ କହିଛନ୍ତି ସୁରକ୍ଷା ଦୃଷ୍ଟିରୁ ଦରକାର ହେଲେ ଅଧିକ ଯବାନଙ୍କୁ ସ୍ଥାନାନ୍ତର କରାଯିବ। କିନ୍ତୁ ଆମର ସମ୍ଭାବ୍ୟ ଶତ୍ରୁ ଆକ୍ରମଣ ପାଇଁ ପ୍ରସ୍ତୁତିରେ କିଛି ତ୍ରୁଟି ହେବ ନାହିଁ ବୋଲି ସେ କହିଛନ୍ତି।

nis-ad
Leave A Reply

Your email address will not be published.