ବିଶ୍ୱକପ୍ ଅବସରରେ ସୁନ୍ଦରଗଡ଼ରେ ଜିଲ୍ଲାସ୍ତରୀୟ ହକି ପ୍ରତିଯୋଗିତା…

: ପୁରୁଷ ଓ ମହିଳା ବର୍ଗରେ ସେମିଫାଇନାଲକୁ ଗଲେ ୮ଟି ଟିମ୍

ମହିଳା ବର୍ଗରେ – କୁତ୍ରା, ନୂଆଗାଁ, ରାଜଗାଙ୍ଗପୁର ଏବଂ ଲାଠିକଟା ବ୍ଲକ
ପୁରୁଷ ବର୍ଗରେ – ସୁନ୍ଦରଗଡ଼, ବାଲିଶଙ୍କରା, କୁତ୍ରା ଏବଂ ଲେଫ୍ରିପଡ଼ା ବ୍ଲକ

ସୁନ୍ଦରଗଡ଼ : ହକି ବିଶ୍ୱକପ ଅବସରରେ ସୁନ୍ଦରଗଡ଼ ଜିଲ୍ଲାବ୍ୟାପି ବିଭିନ୍ନ କ୍ରୀଡ଼ା କାର୍ଯ୍ୟକ୍ରମ କରାଯାଉଛି। ଗ୍ରାମପଞ୍ଚାୟତ ସ୍ତରରୁ ଆରମ୍ଭ ହୋଇଥିବା ପ୍ରତିଯୋଗିତା ଏବେ ଜିଲ୍ଲା ସ୍ତରରେ ପହଞ୍ଚିଛି। ସୁନ୍ଦରଗଡ଼ସ୍ଥିତ ଭବାନିପୁର ହକି ଅଭ୍ୟାସ କେନ୍ଦ୍ରଠାରେ ଉଭୟ ପୁରୁଷ ଓ ମହିଳା ବର୍ଗରେ ଚାଲିଥିବା ଜିଲ୍ଲାସ୍ତରୀୟ ହକି ପ୍ରତିଯୋଗିତାର ପୁଲ୍ ମ୍ୟାଚରେ ମୋଟ ୨୯ଟି ଟିମ୍ ଭାଗ ନେଇଥିଲେ। ସେଥିମଧ୍ୟରୁ ୮ଟି ଟିମ୍ ସେମିଫାଇନାଲ ପ୍ରବେଶ କରିଛନ୍ତି।

ମହିଳା ବର୍ଗରେ ୧୨ଟି ଟିମ୍ ପୁଲ୍ ମ୍ୟାଚ ଖେଳିଥିଲେ। ସେମାନଙ୍କ ଭିତରୁ କୁତ୍ରା, ନୂଆଗାଁ, ରାଜଗାଙ୍ଗପୁର ଏବଂ ଲାଠିକଟା ବ୍ଲକ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ସେହିପରି ପୁରୁଷ ବର୍ଗରେ ଭାଗ ନେଇଥିବା ମୋଟ ୧୭ଟି ଟିମ ଭିତରୁ ସୁନ୍ଦରଗଡ଼, ବାଲିଶଙ୍କରା, କୁତ୍ରା ଏବଂ ଲେଫ୍ରିପଡ଼ା ବ୍ଲକ ସେମିଫାଇନାଲକୁ ଯାଇଛନ୍ତି।

ପୁରୁଷ ଓ ମହିଳା ବର୍ଗରେ ଜାନୁଆରି ୧୮ରେ ସେମିଫାଇନାଲ ଏବଂ ୧୯ରେ ଫାଇନାଲ ମ୍ୟାଚ ଆୟୋଜନ କରାଯିବ। ରାଉରକେଲା ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଏହିସବୁ ମ୍ୟାଚ ଖେଳାଯିବ। ଏଥିପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଉଛି।
ହକି ବିଶ୍ୱକପକୁ ଅଧିକ ଆକର୍ଷଣୀୟ ଏବଂ ସ୍ମରଣୀୟ କରିବା ଲାଗି ସ୍ଥାନୀୟ ଜନସାଧାରଣଙ୍କୁ ଯୋଡ଼ି ପ୍ରଶାସନ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ କରାଯାଉଛି। ବିଶେଷକରି ଯୁବପିଢ଼ିଙ୍କ ଭିତରେ ଉତ୍ସାହ ସୃଷ୍ଟି କରିବା ପାଇଁ ହକି ଏବଂ ଫୁଟବଲ ସହ ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତା କରାଯାଉଛି।

ହକିର ଗଡ଼ ସୁନ୍ଦରଗଡ଼ ଜିଲ୍ଲାରେ ଗ୍ରାମପଞ୍ଚାୟତ ସ୍ତରରୁ ହକି ଟୁର୍ଣ୍ଣାମେଣ୍ଟ ଆୟୋଜନ କରାଯାଇଥିଲା। ଏଥିରେ ପୁରୁଷ ଓ ମହିଳା ବର୍ଗରେ ୮୧୩ଟି ଟିମ୍ ଭାଗ ନେବା ଲାଗି ପଞ୍ଜୀକରଣ କରିଥିଲେ। ପଞ୍ଚାୟତସ୍ତରୀୟ ପରେ ବ୍ଲକ ଏବଂ ଜିଲ୍ଲାସ୍ତରୀୟ ମ୍ୟାଚ ଖେଳାଯାଉଛି।

nis-ad
Leave A Reply

Your email address will not be published.