ଭୁବନେଶ୍ୱର Embassy କ୍ଲବ ସମ୍ମୁଖରେ ଭଙ୍ଗାରୁଜା ଘଟଣା: ୩୪ ଜଣଙ୍କୁ ଗିରଫ

ଭୁବନେଶ୍ୱର: କିଛି ଦିନ ବ୍ୟବଧାନ ପରେ ପୁଣି ଥରେ ରାଜଧାନୀର ଛାତି ଉପରେ ଆତଙ୍କରାଜ ଖେଳାଇଲେ ଦଳେ ଯୁବକ । ଏକ ବାର୍‌ରେ ପ୍ରବେଶ ଅନୁମତି ନ ମିଳିବାରୁ ତାଣ୍ଡବ ରଚାଇଲେ। ଏକ ବସ୍‌ ସମେତ ଅନ୍ୟ କିଛି ଗାଡ଼ିରେ ଆସି ବ୍ୟାପକ ଭଙ୍ଗାରୁଜା କଲେ। ଚନ୍ଦ୍ରଶେଖରପୁର ଥାନାଠାରୁ ମାତ୍ର ଅଳ୍ପ ଦୂରରେ ଏହି ଘଟଣା ଘଟିଥିବା ବେଳେ ସେଠାରେ ଉପସ୍ଥିତ ପୁଲିସ୍‌ କର୍ମଚାରୀ ନିରବଦ୍ରଷ୍ଟା ସାଜିଥିଲା।

ଗଣମାଧ୍ୟମରେ ଏହା ଚର୍ଚ୍ଚାର ବିଷୟ ପାଲଟିବା ପରେ ପୁଲିସ୍‌ ଏଥିରେ ସମ୍ପୃକ୍ତ ୩୪ ଜଣଙ୍କୁ ଗିରଫ କରିଛି। ହେଲେ ଏକ ରାଜନୈତିକ ଦଳର ଜଣେ ଛାତ୍ର ନେତା ଏହି ଘଟଣାର ମାଷ୍ଟର ମାଇଣ୍ଡ ହୋଇଥିବା ଅନୁମାନ କରାଯାଉଥିବା ବେଳେ ତାଙ୍କୁ କିନ୍ତୁ ଧରିବାରେ ସଫଳ ହୋଇନି ପୁଲିସ୍‌ ।

ଏପରି ଛାତିଥରା ଘଟଣା ଗତ ଶନିବାର ରାତିରେ ରାଜଧାନୀ ଛାତି ଉପରେ ଚନ୍ଦ୍ରଶେଖରପୁର ଅଞ୍ଚଳର ଥିବା ଏକ କ୍ଲବ ସମ୍ମୁଖରେ ଘଟିଥିଲା। ଛାତ୍ରନେତାଜଣକ ଏକ ବାର୍‌ରେ ପ୍ରବେଶ କରିବାକୁ ଇଚ୍ଛୁକ ଥିବା ବେଳେ ତାଙ୍କୁ କିନ୍ତୁ ଅନୁମତି ମିଳି ନ ଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ସେ ନିଜର କିଛି ସହଯୋଗୀଙ୍କୁ ଫୋନ୍‌ କରିଥିଲେ। କିଛି ସମୟ ମଧ୍ୟରେ ଏକ ବସ୍‌ ସମେତ ଆଉ କିଛି ଗାଡ଼ିରେ ବହୁ ଯୁବକ ଅସି ରୁଣ୍ଡ ହେଲେ। ଏହାପରେ ବାର୍‌ ସମ୍ମୁଖରେ ଆରମ୍ଭ ହୋଇଗଲା ତାଣ୍ଡବ ।

ପ୍ରଥମେ ନିକଟସ୍ଥ ଇଲେକ୍ଟ୍ରି ଖୁଣ୍ଟ ତାରକୁ ସର୍ଟସର୍କିଟ କରି ଦେଇଥିଲେ। ଫଳରେ ତାହା ବ୍ଲାଷ୍ଟ ହୋଇ ଲାଇନ୍‌ କଟିଗଲା। ଏହାପରେ ସେମାନେ ପ୍ରାୟ ୪୦ ମିନିଟରୁ ଅଧିକ ସମୟ ଆତଙ୍କ ରାଜ ଚଳାଇଥିଲେ। ବ୍ୟାପକ ଭଙ୍ଗାରୁଜା କରିବା ସହ ପିଟାପିଟି ବି କରିଥିବା ଜଣାଯାଇଛି।

ଖବର ପାଇ ସେଠାରେ ଏକ ପିସିଆର ଭ୍ୟାନ୍‌ ଥିବା ସତ୍ତ୍ୱେ ପୁଲିସ୍‌ କର୍ମଚାରୀ କିନ୍ତୁ ଉଗ୍ର ରୂପ ଧାରଣ କରିଥିବା ଯୁବକଙ୍କୁ କାବୁ କରି ପାରି ନ ଥିଲେ। ତାଣ୍ଡବ ଲୀଳା ରଚିବା ପରେ ସେମାନେ ନିଜ ନିଜ ବାଟରେ ଚାଲି ଯାଇଥିଲେ।

୨ ଦିନ ପରେ ଆଜି ଏନେଇ ଗଣମାଧ୍ୟମରେ ଜୋରଦାର ଚର୍ଚ୍ଚା ହେବା ପରେ ପୁଲିସ୍‌ ତତ୍ପରତା ପ୍ରକାଶ କରି ୩୪ ଜଣଙ୍କୁ ବାନ୍ଧି ସାରିଛି। ହେଲେ ଏହି ନାଟକର ମୁଖ୍ୟ ଖଳନାୟକ ଏବେ ବି ପୁଲିସ୍‌ ପଞ୍ଝା ବାହାରେ। ସେ କିଏ ଓ କାହିଁକି ଏପରି ଘଟଣା ଘଟାଇଲେ ସେ ନେଇ କିଛି ସଠିକ୍‌ ସୂଚନା ମିଳିନି।

ସୂଚନାଯୋଗ୍ୟ, କିଛି ଦିନ ପୂର୍ବେ ଜଣେ ଲେଡି ସବ୍‌ ଇନ୍ସପେକ୍ଟରଙ୍କୁ ସାଇନ୍ସ ପାର୍କ ନିକଟରେ କିଛି ଯୁବକ ଗାଡ଼ିରେ ପିଛା କରି ଆକ୍ରମଣ କରିବାକୁ ଗୋଡ଼ାଇଥିଲେ। ଏହି ଘଟଣା ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ପୁଲିସ୍‌ ୩ ଜଣଙ୍କୁ ଗିରଫ କରିଥିଲା। ଏହାର କିଛି ଦିନର ବ୍ୟବଧାନ ପରେ ପୁଣି ଥରେ ରାଜଧାନୀର ରାଜରାସ୍ତାରେ ଏପରି ଆତଙ୍କରାଜ ଖେଳାଇଛନ୍ତି କିଛି ଯୁବକ।

ବର୍ତ୍ତମାନ ବିଶ୍ୱକପ୍‌ ହକି ନିମନ୍ତେ ଚାରିଆଡ଼େ ସୁରକ୍ଷାକୁ କଡ଼ାକଡ଼ି କରାଯାଉଥିବା ବେଳେ କଡ଼ା ପଇଁତରା ମାରୁଛି ପୁଲିସ୍‌। ଏପରିକି ବିଭିନ୍ନ ସ୍ଥାନରେ ଚେକିଂ, ବ୍ଲକିଂ, ପାଟ୍ରୋଲିଂ, ଫୁଟ୍‌ ପାଟ୍ରୋଲିଂ ଆଦି ପ୍ରକ୍ରିୟାରେ ପୁଲିସ୍‌ ଯାଞ୍ଚ କରୁଛି। ଏହାସତ୍ତ୍ୱେ ଅସାମାଜିକ ଯୁବକଙ୍କୁ କାହିଁକି ଅଟକା ଯାଇ ପାରୁନି ତାହା ଜଣାପଡ଼ୁନି।

nis-ad
Leave A Reply

Your email address will not be published.