ଯୋଜନାର ନାଆଁ ହରିଲୁଟ…! “ରକ୍ଷଣାବେକ୍ଷଣ ବାବଦରେ ଟଙ୍କାଟିଏ ସୁଦ୍ଧା ନାହିଁ”: କାର୍ଯ୍ୟ ନିର୍ବାହୀ ଅଧିକାରୀ…

ମାଲକାନଗିରି // ବାଲିମେଳା : ମାନବିକ ଅଧିକାର ତଥା ସାମ୍ବିଧାନିକ ଅଧିକାର ଦୃଷ୍ଟିରୁ ଜନସାଧାରଣଙ୍କ ଖାଦ୍ୟ , ବସ୍ତ୍ର , ବାସଗୃହ , ଶିକ୍ଷା , ସ୍ବାସ୍ଥ୍ୟ ତଥା ଗମନାଗମନ ଭଳି ପ୍ରତ୍ୟେକ ମୌଳିକ ଆବଶ୍ୟକତା ସମେତ ବିଶୁଦ୍ଧ ପାନୀୟ ଜଳର ବ୍ୟବସ୍ଥାକୁ ନିଶ୍ଚିତ କରିବା ଦିଗରେ ସରକାର ଏବଂ ପ୍ରଶାସନ ଜନତାଙ୍କ ନିକଟରେ ଉତ୍ତରଦାୟୀ। ଓଡ଼ିଶା ପରିପ୍ରେକ୍ଷୀରେ ଦେଖିଲେ ଜଣାପଡେ ଯେ ନିରବଚ୍ଛିନ୍ନ ଭାବେ ଦୀର୍ଘ ୨୩ବର୍ଷର ଏହି ମୁକୁଟ ବିହୀନ ସମ୍ରାଟ ଅର୍ଥାତ୍ ନବୀନ ବାବୁଙ୍କ ସରକାର କେବଳ ବିଜ୍ଞାପନ ତଥା ସୌଜନ୍ୟମୂଳକ ବିକାଶ ମଧ୍ୟରେ ହିଁ ସୀମିତ। ଉକ୍ତ ସୌଜନ୍ୟ ମୂଳକ ବିକାଶ ମଧ୍ୟରୁ ସାମ୍ପ୍ରତିକ ସମୟରେ ବେଶ୍ ଚର୍ଚ୍ଚା ସାଉଁଟି ପାରିଥିବା ଯୋଜନା ହେଲା ମୋ ସରକାର – ୫T । ଯେଉଁ ଜରିଆରେ ପ୍ରତ୍ୟେକ ସରକାରୀ କାର୍ଯ୍ୟାଳୟ ସମ୍ମୁଖରେ ବଡ଼ ବଡ଼ ଅକ୍ଷରରେ ଲେଖାଯାଇଥାଏ , “ଜନସାଧାରଣ ହେଉଛନ୍ତି ଗଣତନ୍ତ୍ରର ଆତ୍ମା । ଗଣତନ୍ତ୍ରରେ ପ୍ରତିଟି ଅନୁଷ୍ଠାନ ଲୋକଙ୍କ କଲ୍ୟାଣ ପାଇଁ , ଲୋକଙ୍କ ପଇସାରେ , ଲୋକଙ୍କ ସେବା ଓ ସଶକ୍ତିକରଣ ପାଇଁ ସୃଷ୍ଟି କରାଯାଇଛି। ସମ୍ପୃକ୍ତ ଅନୁଷ୍ଠାନଟି ଲୋକଙ୍କ ସେବା ପାଇଁ ଅଛି । ଲୋକମାନେ ହିଁ ଏହାର ପ୍ରକୃତ ମାଲିକ । ଏଠାକୁ ଆସୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ଉତ୍ତମ ବ୍ୟବହାର ପ୍ରଦର୍ଶନ କରାଯିବା ସହ ବୃତ୍ତିଗତ ଏବଂ ସେବା ମନୋଭାବ ନେଇ ସେମାନଙ୍କ ସମସ୍ୟା ସମାଧାନ ପାଇଁ ପଦକ୍ଷେପ ଗ୍ରହଣ କରାଯିବ। ଲୋକମାନେ ହେଉଛନ୍ତି ପ୍ରକୃତ ସରକାର ଏବଂ ଏଠାରେ କାମ କରୁଥିବା ସମସ୍ତ କର୍ମଚାରୀ ଲୋକଙ୍କ ପଇସାରେ ହିଁ ବେତନ ପାଉଛନ୍ତି ।” ତେବେ ପ୍ରଶ୍ନ ଉଠୁଛି ପ୍ରକୃତରେ ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ବିଜ୍ଞାପିତ ଅଞ୍ଚଳ ପରିଷଦ , ବାଲିମେଳା କ’ଣ ଲୋକଙ୍କ ସେବାରେ କାମ କରୁଛି ନା ଅମଲା ଓ ଠିକାଦାର ମାନଙ୍କ ସେବାରେ.. !!


ପ୍ରଶ୍ନ ଉଠିବାର କାରଣ ହେଲା , ବିଗତ ୨୦୨୧ ଜୁନ ମାସରେ ବିଜ୍ଞାପିତ ଅଞ୍ଚଳ ବାଲିମେଳା ଆନୁକୂଲ୍ୟରେ ୪ଟି ଶୀତଳିକରଣ ଫିଲ୍ଟର ସ୍ଥାପନ କରାଯାଇଥିଲା ; ଗୋଟିଏ କାଳୀ ଛକ , ଗୋଟିଏ ଡ୍ରଗ ଲାଇନ୍ , ଗୋଟିଏ ବଜାରରେ ଓ ଅନ୍ୟଟି ଏନ୍.ଏ.ସି. ଅଫିସ୍ ରେ ଲଗାଯାଇଥିଲା। ମିଳିଥିବା ତଥ୍ୟ ମୁତାବକ ସମସ୍ତ ଆସବାବ ପତ୍ର ସମେତ ମୋଟ ୭,୫୭,୭୪୬ଟଙ୍କା ବ୍ୟୟ ଅଟକଳରେ ଯଦିଓ ଏ ସବୁ କାର୍ଯ୍ୟକ୍ଷମ ହେଲା କିନ୍ତୁ ବିଡ଼ମ୍ବନା ହେଉଛି ପ୍ରାୟ ୩ / ୪ ମାସ ମଧ୍ୟରେ ସମସ୍ତ ଯନ୍ତ୍ରପାତି କଳକବ୍ଜା ଠପ୍ , ଲୋକେ ପାନୀୟ ଜଳ ସୁବିଧାରୁ ବଞ୍ଚିତ ରହିଲେ । ଏହି ଘଟଣାକୁ ନେଇ ଉକ୍ତ ସମୟରେ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ରଥଙ୍କୁ ଯୋଗାଯୋଗ କରିବା ପରେ ସିଧା ସଳଖ ଭାବେ ସେ ଜନ ସାଧାରଣଙ୍କ ଭୁଲ୍ ଦର୍ଶାଇ ଜନ ସାଧାରଣ ପାଇପ୍ ଉପରେ ନିଆଁ ଲଗାଇ ଦେବା ସହ ପାଇପ୍ ଚୋରି କରି ନେଇ ଯାଉଥିବା କହିଥିଲେ । ଏହା ପରେ ଯଦିଓ ବାରମ୍ବାର ଅନୁରୋଧ କରାଯାଇଛି କିନ୍ତୁ ଏଯାବତ୍ କୌଣସି ସୁଫଳ ମିଳି ପାରିଲା ନାହିଁ। ବର୍ତ୍ତମାନ ଶ୍ରୀ ରଥଙ୍କ କହିବା ମୁତାବକ ରକ୍ଷଣାବେକ୍ଷଣ ବାବଦରେ କୌଣସି ଅର୍ଥ ମଞ୍ଜୁରୀ ନାହିଁ ।
ଅନ୍ୟପକ୍ଷରେ ଉକ୍ତ ସମ୍ପୂର୍ଣ୍ଣ ଘଟଣା ତଥା ବ୍ୟୟ ହୋଇଥିବା ଅର୍ଥରାଶିର ସୂଚନା ଅଧିକାର ଅଧିନିୟମ ଅନୁଯାୟୀ ମିଳିଥିବା ତଥ୍ୟ ସବୁଠାରୁ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଯେତିକି ବିଲ୍ ଦାଖଲ କରାଯାଇଛି ସେ ସମସ୍ତ ବିଲ୍ ” ଆଚାରୀ କ୍ଲଥ ଷ୍ଟୋର ” ତରଫରୁ ପ୍ରସ୍ତୁତ କରାଯାଇଛି। ଯେଉଁ ଦୋକାନର GST IN – 21AYNPA4833C1ZO ରହିଥିବା ବେଳେ ଠିକଣା ନବରଙ୍ଗପୁର ରୋଡ଼, ବୋରିଗୁମ୍ମା, କୋରାପୁଟ-୭୬୪୦୫୬ ରହିଛି । ତେବେ ପ୍ରଶ୍ନ ଉଠୁଛି ଗୋଟିଏ ସାଧାରଣ କପଡ଼ା ଦୋକାନରୁ କେଉଁ ପରିପ୍ରେକ୍ଷୀରେ 1HP ମୋଟର , ୧୦୦୦ଲିଟର ପାଣି ଟାଙ୍କି ଠାରୁ ଆରମ୍ଭ କରି ଏମ୍ ସିଲ , ଟ୍ୟାପ ଅଠା ପର୍ଯ୍ୟନ୍ତ 3 Phase ତାର ଠାରୁ ଆରମ୍ଭ କରି ସର୍ଭିସ୍ ତାର ସମେତ ଲୁହା ଷ୍ଟାଣ୍ଡ ମଧ୍ୟ ଉକ୍ତ ଦୋକାନରୁ ଅଣାଗଲା ? ସମ୍ପୃକ୍ତ ଠିକାଦାର ଯେଉଁ ସମୟରେ ଏଭଳି ବିଲ୍ ପୈଠ କରିଥିଲେ ସେତେବେଳେ ଏହାର ସତ୍ୟାସତ୍ୟ ପ୍ରକୃତରେ ଅନୁଷ୍ଠାନ ପକ୍ଷରୁ ଯାଞ୍ଚ୍ କରାଯାଇଛି କି ? ନା ବିଜ୍ଞାପିତ ଅଞ୍ଚଳ ପରିଷଦ ସହ ଠିକାଦାର ମାନଙ୍କ ମଧୁଚନ୍ଦ୍ରିକା ମଧ୍ୟରେ ଜନସାଧାରଣଙ୍କ ଟ୍ୟାକ୍ସ ପଇସା ଆତ୍ମସାତ କରିବାର ଏହା ଆନୁଷ୍ଠାନିକ ଉଦ୍ୟମ ତାହା ନିଶ୍ଚିତ ଭାବରେ ତଦନ୍ତ ସାପେକ୍ଷ । ଏଠାରେ ସୂଚନା ଥାଉକି ବାଲିମେଳା ବିଜ୍ଞାପିତ ପରିଷଦ ଦୁର୍ନୀତି ରେ ଉବୁଟୁବୁ କହିଲେ କିଛି ଭୁଲ ହେବ ନାହିଁ ତେଣୁ ସମସ୍ତ ଉର୍ଣ୍ଣୟନ ମୂଳକ କାର୍ଯ୍ୟ କୁ ଭିଜିଲାନ୍ସ ତଦନ୍ତ ପରିସର ଅନ୍ତର୍ଭୁକ୍ତ କରି ତଦନ୍ତ କରାଯିବା ସହିତ ସେଣ୍ଟ୍ରାଲ ଅଡିଡ଼ କରାଗଲେ ଅନେକ ଦୁର୍ନୀତି ପଦାକୁ ଆସିବ ବୋଲି ଅଞ୍ଚଳର ବୁଦ୍ଧି ଯିବି ତଥା ସାଧାରଣ ରେ ଦାବୀ ହେଉଛି l
ସେପଟେ ଘଟଣାକୁ ନେଇ ବୁଦ୍ଧିଜୀବୀ ମାନେ ତୀବ୍ର ଅସନ୍ତୋଷ ସହ ପ୍ରକାଶ କରିଛନ୍ତି ଯେ , ୭,୫୭,୭୪୬ଟଙ୍କା ଅର୍ଥରାଶି ବ୍ୟୟରେ ନିର୍ମିତ ପ୍ରକଳ୍ପ ଗୁଡ଼ିକର ମରାମତି ଓ ରକ୍ଷଣାବେକ୍ଷଣ ପାଇଁ ତୁରନ୍ତ ପ୍ରଶାସନ ଦାୟିତ୍ଵ ଗ୍ରହଣ କରନ୍ତୁ ଏବଂ ଏଭଳି ଚିନ୍ତା ଜନକ ବିଲ୍ ଦସ୍ତାବିଜ୍ ଗୁଡ଼ିକର ସତ୍ୟାସତ୍ୟକୁ ଉପଯୁକ୍ତ ଯାଞ୍ଚ୍ କରି ସମ୍ପୃକ୍ତ ଠିକାଦାରଙ୍କ ସହ ସ୍ଥାନୀୟ ପ୍ରଶାସନର ସମ୍ପୃକ୍ତ ଅଧିକାରୀ ମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ବୁଦ୍ଧିଜୀବି ମହଲରେ ଦାବି ଜୋର୍ ଧରିଛି ।

nis-ad
Leave A Reply

Your email address will not be published.