ବୁଗୁଡ଼ା ବ୍ଲକର ସ୍ମାର୍ଟସ୍କୁଲ ଦେଖି ଅସନ୍ତୋଷ ପ୍ରକାଶ କଲେ ଗଞ୍ଜାମ ପ୍ରକଳ୍ପ ନିର୍ଦ୍ଦେଶକ…

ବୁଗୁଡ଼ା : ସ୍ମାର୍ଟ ସ୍କୁଲ ନାଆଁରେ ହରିଲୁଟ୍ l ଠିକାଦାର ସାଜିଥିଲେ ବିଡ଼ିଓ l କୌଣସି ବିଦ୍ୟାଳୟରେ ଏ ପର୍ଯ୍ୟନ୍ତ ସବୁ କାମ ସମ୍ପୂର୍ଣ୍ଣ ହୋଇନି l ବିଶେଷକରି ଅଧିକାଂଶ ବିଦ୍ୟାଳୟରେ ଶୌଚାଳୟ ନଥିବା ଫଳରେ ଅକଥନୀୟ ଦୁର୍ଦଶା ଭୋଗୁଛନ୍ତି ଛାତ୍ରୀ l ଆଜି ଗଞ୍ଜାମ ଜିଲ୍ଲା ପ୍ରକଳ୍ପ ନିର୍ଦେଶକ କୀର୍ତ୍ତି ଭାସନ ବୁଗୁଡ଼ା ବ୍ଲକକୁ ଅଚାନକ ଗ୍ରସ୍ତରେ ଆସି ଫନି କ୍ଷତିଗ୍ରସ୍ତଙ୍କୁ ଆବାସ ଯୋଜନାରେ ସାମିଲ କରିବା ପାଇଁ ଚାଲିଥିବା ଜିଓ ଟ୍ୟାଗ୍ କାର୍ଯ୍ୟର ତଦାରଖ କରିବା ସହ ବିଭିନ୍ନ ସ୍ମାର୍ଟ ସ୍କୁଲ ବୁଲି ଦେଖିଥିଲେ । ତେବେ ତୃତୀୟ ପର୍ଯ୍ୟାୟରେ କାମ ଚାଲିଥିବା ଅରଖପୁର ସ୍ମାର୍ଟ ସ୍କୁଲ କାର୍ଯ୍ୟ ଧିମା ଚାଲିଥିବା ବେଳେ ପ୍ରଥମ ପର୍ଯ୍ୟାୟରେ କାମ ସରି ଉଦଘାଟନ ସରିଥିବା ବାଲିପଦର ଓ ଘୋଡାପଡା ସ୍ମାର୍ଟ ସ୍କୁଲ ଦେଖି ଗଭୀର ଅସନ୍ତୋଷ ବ୍ୟକ୍ତ କରିଥିଲେ l ପ୍ରତ୍ୟେକ ବିଦ୍ୟାଳୟରେ ସ୍ମାର୍ଟ କ୍ଲାସ ରୁମ, ଲାଇବ୍ରେରୀ, ଲ୍ଯାବୋରେଟରୀ , ସ୍ମାର୍ଟ ଶୌଚାଳୟ, ସ୍ୱଚ୍ଛ ପାନୀୟ ଜଳ ବ୍ୟବସ୍ଥା ସାଙ୍ଗକୁ ସ୍କୁଲ ପରିବେଶ ଚକାଚକ୍ କରିବା ପାଇଁ ପ୍ରତ୍ୟେକ ବିଦ୍ୟାଳୟକୁ ୪୫ ଲକ୍ଷ ଟଙ୍କା ଲେଖାଏଁ ସରକାର ଅନୁଦାନ ଦେଇଥିବା ବେଳେ ନିଅଣ୍ଟିଆ ହେଲେ ପଞ୍ଚାୟତ ତରଫରୁ ବଳକା ଟଙ୍କା ଖର୍ଚ୍ଚ କରି ପାରିବେ ବୋଲି ଗାଇଡ଼୍ ଲାଇନ୍ ରହିଥିଲା l ତେବେ ସମ୍ପୂର୍ଣ୍ଣ କାମ ନ ସରୁଣୁ ତରବରିଆ ଭାବେ ଏ ସବୁ ଉଦଘାଟନ ହୋଇଥିବା ବେଳେ ଏବେ ଉଦଘାଟନ ହେବାର ବର୍ଷେ ପରେ ମଧ୍ୟ କୌଣସି ସ୍କୁଲର କାମ ସମ୍ପୂର୍ଣ୍ଣ ହୋଇ ନଥିବା ଦେଖିବାକୁ ପାଇଥିଲେ l କେଉଁଠି ଶୌଚାଳୟ ନଥିବାରୁ ଛାତ୍ରଛାତ୍ରୀମାନେ ବିଲମାଳ ଓ ପୋଖରୀକୁ ଶୌଚ ହେବାକୁ ଯାଉଥିବା ବେଳେ କେଉଁଠି ପିଲାଙ୍କୁ ପାନୀୟ ଜଳ ମିଳୁନି । ଏଥିସହ କୌଣସି ସ୍କୁଲରେ ଆବଶ୍ୟକ ଶିକ୍ଷକ ମଧ୍ୟ ନାହାନ୍ତି l ବୁଗୁଡ଼ା ବ୍ଲକ ଅନ୍ତର୍ଗତ ବାଲିପଦର ହାଇସ୍କୁଲକୁ ପ୍ରଥମ ପର୍ଯ୍ୟାୟରେ ସ୍ମାର୍ଟ ସ୍କୁଲ ଯୋଜନାରେ ସାମିଲ କରାଯାଇ ଗତ ବର୍ଷ ନଭେମ୍ବର ୧୬ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦଘାଟନ ହୋଇଯାଇଥିଲେ ହେଁ ୨ଟି ୨ଟି ସ୍ମାର୍ଟ ଶ୍ରେଣୀ ଗୃହ, ଲାଇବ୍ରେରୀ ଓ ପାନୀୟ ଜଳ ବ୍ୟବସ୍ଥା ହୋଇଥିବା ବେଳେ ବିଜ୍ଞାନାଗାରକୁ ଏ ପର୍ଯ୍ୟନ୍ତ ପିଲା ଯାଇ ନଥିବା ବେଳେ ଶୌଚାଳୟ କେବଳ ଛାତ ପଡି ରହିଛି l ତାଳସାକର ଗ୍ରାମର ମହାମାୟୀ ଉଚ୍ଚବିଦ୍ୟାଳୟକୁ ଦ୍ଵିତୀୟ ପର୍ଯ୍ୟାୟରେ ୫-ଟି ଯୋଜନାରେ ସାମିଲ କରାଯାଇ ୫ ମାସ ହେଲା ଉଦଘାଟନ ହୋଇଥିଲେ ହେଁ ସେଠି ପାନୀୟ ଜଳ ବ୍ୟବସ୍ଥା ଓ ସ୍ମାର୍ଟ ଶୌଚାଳୟ ଅଧା ପନ୍ତରିଆ ଅବସ୍ଥାରେ ରହିଥିବା ବେଳେ ଏଠି ମଧ୍ୟ ବିଜ୍ଞାନଗାର ଅସମ୍ପୂର୍ଣ୍ଣ ଅବସ୍ଥାରେ ରହିଛି l ଏହି ବ୍ଲକର ଅନ୍ତରପଡା ସାଙ୍କୁଲେଇ ବିଦ୍ୟାପୀଠକୁ ମଧ୍ୟ ଦ୍ଵିତୀୟ ପର୍ଯ୍ୟାୟରେ ୫-ଟି ଯୋଜନାରେ ସାମିଲ କରାଯାଇ ଉଦଘାଟନ ସରିଛି l ଏଠି ମଧ୍ୟ ଶୌଚାଳୟ ଅଧପନ୍ତରିଆ, ପାନୀୟ ଜଳ ବ୍ୟବସ୍ଥା ନାହିଁ, ଷ୍ଟେଜ ହୋଇଛି ହେଲେ ୬ ମାସ ଯାଇନି ଭାଙ୍ଗି ଗଲାଣି, ସାଇକଲ ଷ୍ଟାଣ୍ଡ ପାଇଁ କେବଳ ପିଲାର୍ ଉଠାଇ ଖାଡ଼ି ଛାଡି ଦିଆ ଯାଇଛି l ବିଜ୍ଞାନଗାର ମଧ୍ୟ ଉଦଘାଟନ ପରଠୁଁ ତାଲା ଖୋଲିନି l ସେହିପରି କଳମ୍ବ ପଞ୍ଚାୟତ ଅନ୍ତର୍ଗତ ଘୋଡାପଡା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଶ୍ରେଣୀ ଗୃହରେ ମନିଟର ଲାଗିନି l ଲାଇବ୍ରେରୀ ଓ ବିଜ୍ଞାନଗାର ଅସମ୍ପୂର୍ଣ ରହିଛି l ପାନୀୟ ଜଳ ବ୍ୟବସ୍ଥା ଠିକ ନଥିବା ବେଳେ ସ୍ମାର୍ଟ ଶୌଚାଳୟ ମୂଳରୁ ନାହିଁ l ଷ୍ଟେଜ ତିଆରି ହୋଇଛି ହେଲେ ସଭା ଗୋଟିଏ ବି ହୋଇନି ତାହା ଭାଙ୍ଗି ଗଲାଣି l ବିଦ୍ୟାଳୟରେ ପାଚେରୀ ନଥିବା ବେଳେ ଦୁଇ କଡ଼େ ଦୁଇଟି ପୋଖରୀ ରହିଛି ଏବଂ ଗୋଟିଏ ପୋଖରୀରୁ ନାଳ ବାହାର କରାଯାଇ ସ୍କୁଲ ଭିତରପଟ ଦେଇ ଧାନ ବିଲକୁ ପାଣି ଛଡା ଯାଉଛି l ପାଚେରୀ ନଥିବାରୁ ଗାଈଗୋରୁ ସମେତ ଲୋକଙ୍କ ଅବାଧ ପ୍ରବେଶ ଲାଗି ରହୁଥିବା ବେଳେ ପୋଖରୀରେ ବୁଡି କେତେବେଳେ କେଉଁ ପିଲାର ଜୀବନ ଯିବ ସେଥି ପ୍ରତି ସବୁବେଳେ ଆଶଙ୍କା ରହିଛି l ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଲା ଯେଉଁ ବୁକଲେଟ୍ ତିଆରି କରାଯାଇ ଜିଲ୍ଲପାଳଙ୍କୁ ଦିଆ ଯାଇଛି, ସେଥିରେ କୁଆଡେ ଏ ସମସ୍ତ ସ୍କୁଲରେ ସୁନ୍ଦର ଶୌଚାଳୟ ଥିବା ଫଟୋ ରହିଛି ଏବଂ କାମ ସମ୍ପୂର୍ଣ୍ଣ ହୋଇଯାଇଥିବା ନେଇ ପ୍ରଧାନ ଶିକ୍ଷକଙ୍କ ଠାରୁ ଦସ୍ତଖତ ନେଇ ୟୁସି ଦାଖଲ କରାଯାଇ ଥିବାବେଳେ ଅନ୍ୟ ଅଞ୍ଚଳର ସ୍ମାର୍ଟ ଶୌଚାଳୟର ଫୋଟ ଲଗାଇ ଜିଲ୍ଲା ଅଧିକାରୀଙ୍କୁ ପ୍ରାକ୍ତନ ବିଡ଼ିଓ ଭୁତାଇ ଥିବା ଏବେ ପିଡିଙ୍କ ନଜରକୁ ଆସିଛି l ତେବେ ଉପରିସ୍ଥ ଅଧିକାରୀଙ୍କୁ ଭୁଆଁ ବୁଲାଇ ଲକ୍ଷାଧିକ ଟଙ୍କା ହରିଲୁଟ କରିଥିବା ପ୍ରାକ୍ତନ ବିଡ଼ିଓ ତନ୍ମୟ ପାତ୍ରଙ୍କ ବିରୁଦ୍ଧରେ କି କାର୍ଯ୍ୟାନୁଷ୍ଠାନ ନେବେ ତାହା ଦେଖିବାକୁ ବାକି ରହିଲା l

nis-ad
Leave A Reply

Your email address will not be published.