ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ପୋଲିସ୍ ଉପରେ ଆକ୍ରମଣ ଉଦ୍ୟମ । ସାଧାରଣ ଲୋକଙ୍କୁ ସୁରକ୍ଷା ଦେଉଥିବା ପୋଲିସ୍ ଉପରେ ଆକ୍ରମଣ ହୋଇଛି । ଜଣେ ମହିଳା ଏସ୍ଆଇଙ୍କୁ ଗତ ୨ ତାରିଖ ରାତିରେ ଆକ୍ରମଣ ଉଦ୍ୟମ ହୋଇଥିବା ସହିଦ ନଗର ଥାନାରେ ଅଭିଯୋଗ ହୋଇଛି । ଗତ ୨ ତାରିଖ ରାତି ପ୍ରାୟ ସାଢ଼େ ଗୋଟାଏ ବେଳେ ମହିଳା ଥାନା ଏସ୍ଆଇ ଶୁଭଶ୍ରୀ ନାୟକ ଡ୍ୟୁଟି ସାରି ଫେରୁଥିବା ବେଳେ ସାଇନ୍ସ ପାର୍କ ନିକଟରେ ଏହି ଘଟଣା ଘଟିଥିବା ନିଜ ଏଫ୍ ଆଇଆରରେ ଲେଖିଛନ୍ତି ।
ସେ ନିଜ କାର୍ରେ କ୍ୱାର୍ଟରକୁ ଫେରୁଥିବା ବେଳେ ଅନ୍ୟ ଏକ କାରରେ କିଛି ଦୁର୍ବୃତ୍ତ ତାଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ । ଏହା ସହିତ ମାରଣାସ୍ତ୍ର ଦେଖାଇ ଭୟଭୀତ କରିଥିଲେ ଏବଂ ପୋଲିସ୍ ବୋଲି ଜାଣି ତାଙ୍କୁ ଡରାଇଥିଲେ ବୋଲି ଶୁଭଶ୍ରୀ ସହିଦ ନଗର ଥାନାରେ ଦେଇଥିବା ଏତଲାରେ ଉଲ୍ଲେଖ କରିଛନ୍ତି । ଦୁର୍ବୃତ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଶୁଭ୍ରଶ୍ରୀ । ଏପଟେ ସିସିଟିଭି ଯାଞ୍ଚ ଚାଲିଛି । ପୋଲିସ ତଦନ୍ତ କରୁଛି । ଖୁବଶଘ୍ର ଅପରାଧି ଧରାପଡିବେ ବୋଲି ଭୁବନେଶ୍ୱର ଡିସିପି ପ୍ରତୀକ ସିଂ ସୂଚନା ଦେଇଛନ୍ତି ।