ହକି ବିଶ୍ୱକପ ପାଇଁ ସୁନ୍ଦରଗଡ଼ରେ ଜିଲ୍ଲାସ୍ତରୀୟ ସାଂସ୍କୃତିକ ପ୍ରତିଯୋଗିତା ଆରମ୍ଭ…

ସୁନ୍ଦରଗଡ଼(୩/୧) : ହକି ପୁରୁଷ ବିଶ୍ୱକପ ଅବସରରେ ସୁନ୍ଦରଗଡ଼ରେ ଜିଲ୍ଲାସ୍ତରୀୟ ସାଂସ୍କୃତିକ ପ୍ରତିଯୋଗିତା ଆରମ୍ଭ ହୋଇଛି। ମଙ୍ଗଳବାର ଦିନ ଜିଲ୍ଲା ସଦର ମହକୁମାସ୍ଥିତ ସଂସ୍କୃତି ଭବନଠାରେ ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ସୁନ୍ଦରଗଡ଼ ଉପଖଣ୍ଡର ୯ଟି ବ୍ଲକରୁ 38 ଟି ସାଂସ୍କୃତିକ ଦଳ ଭାଗ ନେଇଥିଲେ। ସେମାନେ ଝୁମେର, କରମା, ଖଡିଆ, ଓରାମ, କିସାନ ନୃତ୍ୟ ସହିତ ପାଲା ଓ ସଂକୀର୍ତ୍ତନ ଆଦି ପ୍ରଦର୍ଶନ କରିଥିଲେ। ଏହି ସାଂସ୍କୃତିକ କାର୍ଯ୍ୟକ୍ରମ ଓ କଳାକାରମାନଙ୍କ ପାରମ୍ପରିକ ବେଶଭୂଷା ଦର୍ଶକଙ୍କୁ ବେଶ୍ ଆକର୍ଷିତ କରିଥିଲା।

ଏହି କାର୍ଯ୍ୟକ୍ରମରେ ସୁନ୍ଦରଗଡ଼ର ମାନ୍ୟବର ବିଧାୟିକା ଶ୍ରୀମତୀ କୁସୁମ ଟେଟେ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ କୁନ୍ତୀ ପ୍ରଧାନ, ଜିଲ୍ଲା ସଂସ୍କୃତି ଅଧିକାରୀ କୁଲଦୀପ ଖାଖା, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ନନ୍ଦିନୀ ମୁଣ୍ଡାରୀ ପ୍ରମୁଖ ଉପସ୍ଥିତ ରହି ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିଥିଲେ।

ଏହି ଅବସରରେ ବିଭିନ୍ନ ସାଂସ୍କୃତିକ ଦଳ ପକ୍ଷରୁ ହକିକୁ ନେଇ ସ୍ୱତନ୍ତ୍ର ନୃତ୍ୟ ଓ ସଙ୍ଗୀତ ପରିବେଷଣ କରାଯାଇଥିଲା। କଳାକାରମାନେ ହାତରେ ହକି ଷ୍ଟିକ୍ ଧରି ନୃତ୍ୟ ପରିବେଷଣ କରିବା ସହ ହକି ପୁରୁଷ ବିଶ୍ୱକପକୁ ସ୍ୱାଗତ କରିଥିଲେ।

ଆସନ୍ତା ୫ ତାରିଖରେ ରାଉରକେଲାସ୍ଥିତ ଭଞ୍ଜ ଭବନଠାରେ ଅନୁରୂପ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏଥିରେ ବଣାଇଁ ଏବଂ ପାନପୋଷ ଉପଖଣ୍ଡର ୩୬ଟି ସାଂସ୍କୃତିକ ଦଳ ଭିତରେ ପ୍ରତିଯୋଗିତା କରାଯିବ। ଉଭୟ ପ୍ରତିଯୋଗିତାରୁ ଚୟନ ହୋଇଥିବା ମୋଟ ୧୦ଟି ଦଳକୁ ନେଇ ଜାନୁଆରି ୭ରେ ଚୂଡ଼ାନ୍ତ ପ୍ରତିଯୋଗିତା ହେବ।

ଆଜିର ଏହି ସାଂସ୍କୃତିକ ପ୍ରତିଯୋଗିତାରେ ବିଚାରକ ଭାବେ ଓଡ଼ିଶା ସାହିତ୍ୟ ଏକାଡେମୀ ଓ ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ପ୍ରାପ୍ତ ନାଟ୍ୟକାର ତଥା ସଙ୍ଗୀତ ନିର୍ଦ୍ଦେଶକ ଭାସ୍କର ଚନ୍ଦ୍ର ମହାପାତ୍ର, ସଙ୍ଗୀତ ନିର୍ଦ୍ଦେଶକ ତଥା ଗାୟକ ଦୋଳ ଗୋବିନ୍ଦ ଗର୍ଡିଆ, ଓଡ଼ିଶୀ ନୃତ୍ୟଶିଳ୍ପୀ ସୁଦେଷ୍ଣା ରାଣୀ ରାଉତ, ସଙ୍ଗୀତ ବିଶାରଦ ସୁରେନ୍ଦ୍ର ସିଂ ପ୍ରମୁଖ ଯୋଗ ଦେଇଥିଲେ।

nis-ad
Leave A Reply

Your email address will not be published.