ଉତ୍କଳ ବିଶ୍ବବିଦ୍ୟାଳୟ ପଦାର୍ଥ ବିଜ୍ଞାନ ବିଭାଗର ‘ସୁବର୍ଣ୍ଣ ଜୟନ୍ତୀ‘ ଉଦଘାଟିତ…


ଭୁବନେଶ୍ବର: ପଦାର୍ଥ ବିଜ୍ଞାନ ହେଉଛି ସବୁ ବିଜ୍ଞାନର ଜନନୀ । ପଦାର୍ଥ ବିଜ୍ଞାନର ନୂତନ ଗବେଷଣା ହିଁ ବୌଦ୍ଧିକ ସଂସ୍କୃତିର ବିକାଶ ଏବଂ ଏହା ସମାଜ କଲ୍ୟାଣର ସାଧନ କରିପାରିବ। ଦେଶରେ ବିଜ୍ଞାନ ଏବଂ ନବସୃଜନର ଅଭିବୃଦ୍ଧି ଦିଗରେ ଉତ୍କଳ ବିଶ୍ବବିଦ୍ୟାଳୟ ପଦାର୍ଥ ବିଜ୍ଞାନ ବିଭାଗର ଏକ ବଡ଼ ଯୋଗଦାନ କରିବାର ସାମର୍ଥ୍ୟ ରହିଛି ବୋଲି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରକାଶ କରିଛନ୍ତି।
ଉତ୍କଳ ବିଶ୍ବବିଦ୍ୟାଳୟ ପଦାର୍ଥ ବିଜ୍ଞାନ ବିଭାଗର ସୁବର୍ଣ୍ଣ ଜୟନ୍ତୀ ଉତ୍ସବକୁ ଉଦଘାଟନ କରି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ଗତ ପାଞ୍ଚ ଦଶନ୍ଧି ଧରି ଉତ୍କଳ ବିଶ୍ୱବିଦ୍ୟାଳୟର ପଦାର୍ଥ ବିଜ୍ଞାନ ବିଭାଗ ବିଶ୍ୱରେ ବୈଜ୍ଞାନିକ ବିକାଶରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି। ପୂର୍ବରୁ ପଦାର୍ଥ ବିଜ୍ଞାନୀ ନିଜ ପରୀକ୍ଷାଗାରରେ ଗବେଷଣା କରୁଥିବା କିଛି ନୂତନ ଜ୍ଞାନକୌଶଳ ପାଇଁ ଲୋକମାନେ ସେମାନଙ୍କ ନିକଟରେ ପହଞ୍ଚୁଥିଲେ। ‌ଏବେ ସମୟ ବଦଳିଛି, ପଦାର୍ଥ ବିଜ୍ଞାନୀମାନଙ୍କୁ ସମାଜ ଓ ଲୋକମାନଙ୍କ ପାଇଁ କାମ କରିବାକୁ ଆଗେଇ ଆସିବା ଦରକାର ବୋଲି ଶ୍ରୀ ପ୍ରଧାନ ପ୍ରକାଶ କରିଥିଲେ। ନୂତନ ଶିକ୍ଷା ନୀତିରେ ବିଭିନ୍ନ ବିଷୟ ସହିତ ପଦାର୍ଥ ବିଜ୍ଞାନର ପ୍ରଯୁକ୍ତିବିଦ୍ୟା ଓ ଗବଷଣାମୂଳକ ପାଇଁ ଥିବା ଅଭିନବ ଚିନ୍ତାଧାରାକୁ ଦର୍ଶାଇଥିଲେ।
କାର୍ଯ୍ୟକ୍ରମରେ କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ ମୁଖ୍ୟଅତିଥି ଭାବେ ଯୋଗଦେଇ କହିଥିଲେ ଯେ ପଦାର୍ଥ ବିଜ୍ଞାନ ସହ ଗଣିତ, ଇଂରାଜୀ, ରସାୟନ ବିଜ୍ଞାନ ବିଷୟରେ ଆନ୍ତଃ ସମ୍ପର୍କ ରହିଛି। ଏହି ସବୁ ବିଷୟ ପରସ୍ପର ସହ ଜଡ଼ିତ। ଉତ୍କଳ ବିଶ୍ବବିଦ୍ୟାଳୟ ଆନ୍ତଃ ବିଷୟକ ଗବେଷଣା ଉପରେ ଗୁରୁତ୍ବ ଦେଉଛି ବୋଲି କୁଳପତି ପ୍ରକାଶ କରିଥିଲେ।
ଏହି ଅବସରରେ ଉତ୍କଳ ବିଶ୍ବବିଦ୍ୟାଳୟ ପଦାର୍ଥ ବିଜ୍ଞାନ ବିଭାଗ ଏବଂ ବାଣୀବିହାର ପଦାର୍ଥ ବିଜ୍ଞାନ ପୁରାତନ ଛାତ୍ର ସଂଘ ପକ୍ଷରୁ ଜାତୀୟସ୍ତରୀୟ ଆଲୋଚନାଚକ୍ର ‘ଆଡଭାନସେସ୍‌ ଇନ୍ ଫିଜିକ୍ସ’ ଆୟୋଜିତ ହୋଇଥିଲା। ଏଥିରେ ପୁନେସ୍ଥିତ ଆଇଜରର ପ୍ରଫେସର ସୁନୀଲ ମୁଖୀ କ୍ବାଣ୍ଟମ ଫିଜିକ୍ସ ଉପରେ ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ପ୍ରଫେସର ଅରୁଣ ପତି କ୍ୱାନଟମ୍ କମ୍ପୁଟିଙ୍ଗ୍ ସମ୍ପର୍କ ରେ ସମ୍ୟକ୍ ବିବରଣୀ ଉପସ୍ଥାପନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପୁରାତନ ଛାତ୍ରସଂଘ ସଭାପତି ପ୍ରଫେସର ଲମ୍ବୋଦର ପ୍ରସାଦ ସିଂ ,ପ୍ରଫେସର ଆର.ଶ୍ରୀଆନନ୍ଦ, ପ୍ରଫେସର ମଦନ ରାଓ, ପ୍ରଫେସର ଅଶୋକ ଦାସ ପ୍ରମୁଖ ଉପସ୍ଥିତ ଥିଲେ। ବାଣୀବିହାର ପଦାର୍ଥ ବିଜ୍ଞାନ ପୁରାତନ ଛାତ୍ର ସଂଘଉପସଭାପତି ଦୁର୍ଗା ପ୍ରସାଦ ସିଂହ ସ୍ବାଗତ ଭାଷଣ ଦେଇଥିଲେ। ଉତ୍କଳ ବିଶ୍ବବିଦ୍ୟାଳୟ ପଦାର୍ଥ ବିଜ୍ଞାନ ବିଭାଗ ମୁଖ୍ୟ ଡ.ପ୍ରଫୁଲ୍ଲ କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।
ଦୁଇଦିନ ଧରି ଚାଲିବାକୁ ଥିବା ଏହି ଜାତୀୟସ୍ତରୀୟ ଆଲୋଚନାଚକ୍ରରେ ରାଜ୍ୟ ତଥା ଦେଶର ବିଭିନ୍ନ ସ୍ଥାନରୁ ପଦାର୍ଥ ବିଜ୍ଞାନୀ, ଗବେଷକ, ଶିକ୍ଷକ, ଛାତ୍ରଛାତ୍ରୀ ଯୋଗଦେଇଛନ୍ତି। ପ୍ରଫେସର ମୃତ୍ୟୁଞ୍ଜୟ ମହାପାତ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

nis-ad
Leave A Reply

Your email address will not be published.