ସୁନ୍ଦରଗଡ଼ଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମ ଜନ ଶୁଣାଣି କାର୍ଯ୍ୟକ୍ରମ…

ସୁନ୍ଦରଗଡ଼ : ସୁନ୍ଦରଗଡ଼ ପ୍ରଶାସନ ପକ୍ଷରୁ ଜିଲ୍ଲା ମୁଖ୍ୟାଳୟସ୍ଥିତ ସଦଭାବନା ଭବନଠାରେ ସୋମବାର ଯୁଗ୍ମ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ମନୋଜ ସତ୍ୟବାନ ମହାଜନ ଏବଂ ଏସପି ସାଗରିକା ନାଥ ଏଥିରେ ଯୋଗଦେଇ ବିଭିନ୍ନ ବ୍ଲକରୁ ସମସ୍ୟା ନେଇ ଆସିଥିବା ସାଧାରଣ ଲୋକଙ୍କ ଅଭିଯୋଗ ଶୁଣିଥିଲେ।

ଏହି ଜନଶୁଣାଣିରେ ମୋଟ ୭୮ଟି ଅଭଯୋଗ ଆସିଥିବା ବେଳେ ସେଥିମଧ୍ୟରେ ୬୨ଟି ବ୍ୟକ୍ତିଗତ ଏବଂ ୧୬ଟି ଗୋଷ୍ଠୀଗତ ସମସ୍ୟା ରହିଥିଲା। ସେଥିମଧ୍ୟରୁ ଜନ ଶୁଣାଣି ସ୍ଥଳରେ ହିଁ ୩୩ଟି ଅଭିଯୋଗର ସମାଧାନ କରାଯାଇଥିଲା। ଅନ୍ୟ ଅଭିଯୋଗଗୁଡ଼ିକର ବିଚାରକରି ତୁରନ୍ତ ସମସ୍ୟାର ସମାଧାନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା।

ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ବ୍ଲକରୁ ଆସିଥିବା ଲୋକମାନେ ନୂତନ ରାସ୍ତା ନିର୍ମାଣ ସହିତ ରାସ୍ତା ମରାମତି, ଜମିଜମା, ପାନୀୟ ଜଳ ଯୋଗାଣ, ରାସନ କାର୍ଡ, ନିଯୁକ୍ତି, ଭତ୍ତା, ରାଜସ୍ଵ ଗାଁ ଘୋଷଣା ଓ ଆବାସ ଯୋଜନା ଆଦି ସମସ୍ୟା ନେଇ ଜନ ଶୁଣାଣିରେ ଉପସ୍ଥାପନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଚିକିତ୍ସା ସହାୟତା ପାଇଁ ଆସିଥିବା ୭ଜଣଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ମୋଟ ୪୭ ହଜାର ଏବଂ ୪ ଜଣଙ୍କୁ ରେଡକ୍ରସ ସୋସାଇଟିରୁ ୨୬ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା।

ଏହି ଜନ ଶୁଣାଣି କାର୍ଯ୍ୟକ୍ରମରେ ସୁନ୍ଦରଗଡ଼ ଅତିରିକ୍ତ ଜିଲ୍ଲାପାଳ ରବି ନାରାୟଣ ସାହୁ ଓ ଅଭିମନ୍ୟୁ ବେହେରା, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ସରୋଜ କୁମାର ମିଶ୍ର, ଉପଜିଲ୍ଲାପାଳ ଦାଶରଥୀ ସରାବୁ, ଡେପୁଟି କଲେକ୍ଟର କୁନ୍ତୀରାଣୀ ନାଏକ, ପିଡି ଡୁଡା ତଥା ଡିଏମଏଫ ସିଇଓ ରୀତା ଡାଙ୍ଗଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀମାନେ ଯୋଗ ଦେଇଥିଲେ।
ବିଶ୍ୱରଂଜନ ହୋତା
ସୁନ୍ଦରଗଡ଼

nis-ad
Leave A Reply

Your email address will not be published.