ସାରା ସଂସାରର ସବୁଠାରୁ ସୁନ୍ଦର ଶବ୍ଦ – ବୋଉ..

ଭୁବନେଶ୍ୱର: ବୋଉ ଅର୍ଥାତ୍ ସାରା ସଂସାର ସବୁଠୁ ସୁନ୍ଦର ଶବ୍ଦ, ସୁନ୍ଦର ଡାକ । ତେଣୁ ପ୍ରତ୍ୟେକ ଗର୍ବିତ ସ୍ୱାଭିମାନି ଓଡ଼ିଆ କୁହନ୍ତୁ ଯେ ମୋ’ ବୋଉ ସବୁଠୁ ସୁନ୍ଦର, ସବୁଠୁ ନିଆରା । ସମସ୍ତେ ପ୍ରୟାସ କରନ୍ତୁ ସୁମଧୁର ଶବ୍ଦ ଓ ଭାବଭରା ବୋଉ ଡାକକୁ ବଞ୍ଚାଇ ରଖିବାକୁ । ଜୟଦେବ ଭବନ ପରିସରରେ ଅନୁଷ୍ଠିତ ଅଷ୍ଟମ ବୋଉ ଦିବସ ଅବସରରେ ବିଶିଷ୍ଟ ଅତିଥିମାନେ ଏଭଳି ଭାବ ପ୍ରକାଶ କରିବା ସହ ବୋଉ ପାଇଁ ସମର୍ପିତ ଓ ଉତ୍ସର୍ଗୀକୃତ ହେବାକୁ ଓଡ଼ିଆ ସନ୍ତାନମାନଙ୍କୁ ଆହ୍ୱାନ ଦେଇଛନ୍ତି ।

ଅତିଥିମାନେ କହିଛନ୍ତି ଯେ, ଅଧିକାଂଶ ପ୍ରଚଳିତ ଭାଷାରେ ‘ଜନନୀ’ର ପ୍ରତିଶବ୍ଦ ‘ମ’ ଅକ୍ଷରଯୁକ୍ତ ରହିଥିଲେ ହେଁ, ଓଡ଼ିଆ ସେ ଭିତରେ ନିଆରା । ଆମର ଭାଷା, ଭାବ ଓ ବିଭବର ଏକ ଲକ୍ଷଣୀୟ ବୈଶିଷ୍ଟ୍ୟ ‘ବୋଉ” । ତେବେ ଆଧୁନିକ ଜୀବନଧାରାର ପ୍ରବାହରେ ବୋଉ ସମ୍ବୋଧନର ମାଧୁର୍ଯ୍ୟ ତଥା ଉଚ୍ଚାଟକ ମହକ କ୍ରମଶଃ ହଜିବାରେ ଲାଗିଛି । ତେଣୁ ବୋଉ ଡାକର ପଛରେ ରହିଥିବା ଆତ୍ମୀୟ ପରମ୍ପରା ଓ ସମର୍ପିତ ଆନ୍ତରିକତାକୁ ପୁନର୍ଜୀବୀତ କରିବାକୁ ହେବ- ଯାହା  ‘ବୋଉ ଫାଉଣ୍ଡେସନ’ ଟ୍ରଷ୍ଟ ସଗର୍ବେ ନିର୍ବାହ କରିଆସୁଛି । ଆମେ ସମସ୍ତେ ନିଜସ୍ତରରେ ସଜାଗ ହେବା ସହ ବୋଉ ଡାକର ମହତ୍ତ୍ୱକୁ ବୁଝିବାକୁ ହେବ ବୋଲି ମତ ପ୍ରକାଶ ପାଇଥିଲା ।

ଶ୍ରୀମତୀ ସୁଲୋଚନା ରାଉତ ସ୍ମାରକୀ ‘ବୋଉ ପ୍ରଣାମ’ ସମ୍ମାନ ପ୍ରାପ୍ତ ପରେ ମଞ୍ଚମଣ୍ଡନ କରିଥିବା ବୋଉମାନଙ୍କ ଗହଣରେ ଭରା ପ୍ରେକ୍ଷାଳୟ ସୁମରିଥିଲା ବୋଉଙ୍କୁ । ଶଙ୍ଖ, ହୁଳହୁଳି ଓ ପୁଷ୍ପବୁଷ୍ଟିରେ ବୋଉମାନଙ୍କୁ ବନ୍ଦାପନା କରାଯାଇଥିଲା । ଗର୍ବିତ ଓ ସମର୍ପିତ ସନ୍ତାନମାନଙ୍କ ବୋଉ ସଙ୍ଗୀତ, ବୋଉକଥା, ବୋଉଗାଥାରେ ସମସ୍ତେ ଝୁରିଥିଲେ ବୋଉର ଗୁଣକୁ । ବୋଉର ବର୍ତ୍ତମାନକୁ ସୁମରିବା ସହ ଅବର୍ତ୍ତମାନରେ ବି ସେମାନଙ୍କ ଅଭୁଲା ଛୁଆଁକୁ ମନେପକାଇ ଥିଲେ ସମସ୍ତେ । ଆଖି ଦୁଇଟି ସ୍ୱତଃ ଓଦା ହୋଇଯିବା ଭିତରେ ପରବର୍ତ୍ତୀ ପିଢ଼ିଙ୍କ ନିକଟରେ ନିବେଦନ କରାଯାଇଥିଲା ବୋଉ ଡାକର ମହତ୍ତ୍ୱକୁ ବଞ୍ଚେଇ ରଖିବାକୁ । ସର୍ବଶ୍ରୀମତୀ ବୋଉ ନିରୁପମା ଆଚାର୍ଯ୍ୟ, ସୁଧାରାଣୀ ଦାସ, ଡାକ୍ତର ସିନ୍ଧୁ ନନ୍ଦିନୀ ତ୍ରିପାଠୀ, ଊଷାରାଣୀ ପରିଜା, ସରୋଜିନୀ ରାଉତରାୟ, ମିନତି ପଟ୍ଟନାୟକ, ଡ. ସାଧନା ନାୟକ, ସୀତା ପରମାଣିକ, ଅରୁଣବାଳା ପାଇକରାୟ, ବାସନ୍ତି ସାହୁ ଓ ଅନ୍ନପୂର୍ଣ୍ଣା ମହାନ୍ତି ପ୍ରମୁଖ ବୋଉଙ୍କୁ ସମ୍ମାନିତ କରାଯିବା ସହ ବନ୍ଦାପନା କରାଯାଇଥିଲା । ବୋଉ ପ୍ରଣାମ କାର୍ଯ୍ୟକ୍ରମକୁ ସ୍ୱର୍ଗତ ସୁଲୋଚନା ରାଉତଙ୍କ ସୁକନ୍ୟା ଡ. ରୀନା ରାଉତରାୟ ପରିଚାଳନା କରିଥିଲେ ।

‘ମନେପଡ଼େ ବୋଉ…’ କାର୍ଯ୍ୟକ୍ରମ ପର୍ଯ୍ୟାୟରେ ମୁଖ୍ୟ ଅତିଥି ପ୍ରଫେସର ଶାନ୍ତନୁ ଆଚାର୍ଯ୍ୟ ଓ ମଞ୍ଚମୁଖ୍ୟ ଦାଶ ବେନହୁରଙ୍କ ସମେତ ବୋଉ ଫାଉଣ୍ଡେସନ ଅଧ୍ୟକ୍ଷ ଶରତ ଭୂୟାଁ, ମ୍ୟାନେଜିଂ ଟ୍ରଷ୍ଟି ଆତ୍ମଜା ମହାନ୍ତିଙ୍କ ଉପସ୍ଥିତିରେ ଡ. ପ୍ରଭାତୀ ମିଶ୍ରଙ୍କ ସମ୍ପାଦିତ ପୁସ୍ତକ ‘ବୋଉ’ ଉନ୍ମୋଚ ହୋଇଥିଲା । ସେହିପରି ବୋଉ ଭାବକୁ ନେଇ ପ୍ରାରମ୍ଭିକ ସଙ୍ଗୀତ ବର୍ଷା ପଣ୍ଡା ଗାନ କରିଥିବାବେଳେ ପର୍ଯ୍ୟାୟକ୍ରମେ ଡ. ମିତାଲି ଚିନରା, ଛନ୍ଦା ମିଶ୍ର, ଏନ୍‌. ଶ୍ରୀନିବାସ ରାଓ, ଇପ୍ସିତା ମହାନ୍ତି, କୁମାରୀ ପ୍ରତିଭା ପ୍ରଧାନ ଓ ସୌରଭ ନାୟକ ପ୍ରମୁଖ ସୁମଧୁର ସଙ୍ଗୀତ ପରିବେଷଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅଶ୍ରୁମୋଚନ ମହାନ୍ତି, ବୈଷ୍ଣବ ମହାନ୍ତି, ଅର୍ଚ୍ଚନା ନାୟକ, ଜ୍ଞାନ ହୋତା, ସ୍ୱରାଜ ମିଶ୍ର, ରକ୍ଷକ ନାୟକ, ପବିତ୍ର ରାଉତରାୟ, ଡା. ଆଲୋକ କାନୁନଗୋ, ବଳଦେବ ମହାରଥା ପ୍ରମୁଖ ବୋଉ ସମ୍ପର୍କରେ ଭାବବ୍ୟକ୍ତ କରିଥିଲେ । ବୋଉ ହାତରନ୍ଧା ପିଠା, ପୁରୀ, ଖେଚୁଡ଼ି ଆଦିରେ ସମସ୍ତେ ମୁଗ୍ଧ ହୋଇଥିଲେ । ଧନ୍ୟବାଦ ଅର୍ପଣ କରିଥିଲେ ଆତ୍ମଜା ମହାନ୍ତି ।

nis-ad
Leave A Reply

Your email address will not be published.