କରୋନା ପରିସ୍ଥିତି ନେଇ ଆସନ୍ତାକାଲି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ…

ଭୁବନେଶ୍ୱର: ଚୀନରେ କରୋନା ସଂକ୍ରମଣ ବଢ଼ିବା ପରେ ଓଡ଼ିଶାରେ ଘାରିଲାଣି ଚିନ୍ତା। କରୋନା ପରିସ୍ଥିତି ନେଇ ଆସନ୍ତାକାଲି ଅପରାହ୍ନ ସାଢ଼େ ୪ଟାରେ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସ୍ୱାସ୍ଥ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟ ସଚିବଙ୍କ ସହ ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀ ଏହି ସମୀକ୍ଷାରେ ଉପସ୍ଥିତ ରହିବେ। ଏହାସହ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ, ମେଡ଼ିକାଲ୍ କଲେଜ କର୍ତ୍ତୃପକ୍ଷ ମଧ୍ୟ ଏହି ବୈଠକରେ ଉପସ୍ଥିତ ରହିବେ। ଆଗାମୀ ଦିନ ପାଇଁ କୋଭିଡ ମୁକାବିଲା ରଣନୀତି ନେଇ ଏଥିରେ ଆଲୋଚନା ହେବ।

ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର କହିଛନ୍ତି, କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶକ୍ରମେ କୋଭିଡ ମୁକାବିଲା ବ୍ୟବସ୍ଥାର ତଦାରଖ ପାଇଁ ଆସନ୍ତାକାଲି ସାରା ଦେଶରେ ମକଡ୍ରିଲ ହେବ। ଜିଲ୍ଲା ସ୍ତରରେ ହସ୍ପିଟାଲ ଓ ମେଡ଼ିକାଲ କଲେଜରେ ବେଡ଼, ଅକ୍ସିଜେନ  ଆଇସିୟୁ, କୋଭିଡ କୀଟ, ଔଷଧ, ଭେଣ୍ଟିଲେଟର, ପିପିଇ କୀଟ ସହ ମ୍ୟାନପାୱାର ନେଇ ମକଡ୍ରିଲ ହେବ। ଏହି ତଥ୍ୟକୁ କେନ୍ଦ୍ର ସରକାରଙ୍କ କୋଭିଡ ପୋର୍ଟାଲରେ ଅପଲୋଡ଼ କରିବେ ଜିଲ୍ଲା ପ୍ରଶାସନ। ଏବେ ସରକାରୀ ହସ୍ପିଟାଲ ଓ ମେଡ଼ିକାଲ କଲେଜରେ କୋଭିଡ ପାଇଁ ଆଇସସୋଲେସନ୍ ବେଡ୍ ରଖାଯାଇଛି। ଯଦି କୋଭିଡ ସଂଖ୍ୟା ବଢ଼େ, ପର୍ଯ୍ୟାୟ କ୍ରମେ ବେଡ୍ ସଂଖ୍ୟା ପୁନଶ୍ଚ ବଢ଼ାଯିବ।

ସେହିପରି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର କହିଛନ୍ତି, କୋଭିଡ ମୁକାବିଲା ପାଇଁ ଗତକାଲି ସବୁ ସିଡିଏମଓ, ମେଡିକାଲ୍ କଲେଜ ସୁପରିଟେଣ୍ଡଣ୍ଟଙ୍କ ସହ ମକଡ୍ରିଲ ହୋଇଥିଲା। ଆମର ମ୍ୟାନପାୱାର କେତେ ଅଛନ୍ତି ସେନେଇ ବିଶେଷ ଆଲୋଚନା ହୋଇଥିଲା। ଯଦି ଅଧିକ ମ୍ୟାନପାୱାର ଆବଶ୍ୟକ ପଡେ ତାହା ମଧ୍ୟ ପ୍ରସ୍ତୁତ ରଖିବାକୁ ନିଷ୍ପତ୍ତି ହୋଇଛି। ଏହାସହ ସବୁ ସରକାରୀ ହସ୍ପିଟାଲରେ ଆଇସୋଲେସନ ବେଡ଼ କାର୍ଯ୍ୟକ୍ଷମ କରାଯାଇଛି। ଅକ୍ସିଜେନ ବ୍ୟବସ୍ଥା ଥିବା ବେଡ଼ ଅଧିକ ରଖାଯାଇଛି। ଟେଷ୍ଟିଂ ଓ ଟ୍ରିଟମେଣ୍ଟ ପାଇଁ ଯେଉଁ ଆବଶ୍ୟକୀୟ ଉପକରଣ ଦରକାର ତାହା ମହଜୁଦ ରହିଛି। ସବୁ ବ୍ୟବସ୍ଥାର ତର୍ଜମା କରି ଆସନ୍ତାକାଲି କେନ୍ଦ୍ର ସରକାରଙ୍କୁ ରିପୋର୍ଟ ଦେବେ ରାଜ୍ୟ ସରକାର।

ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଆହୁରି କହିଛନ୍ତି, ହକି ବିଶ୍ଵକପ ପାଇଁ ଆହୁରି ସମୟ ଅଛି। ସେତେବେଳେ ପରିସ୍ଥିତିକୁ ଦେଖି ବ୍ୟବସ୍ଥା କରାଯିବ। ତେଣୁ ଏବେଠାରୁ ଆକଳନ କରି କିଛି ନିଷ୍ପତ୍ତି ନେବା ଭୁଲ ହେବ। ହକି ଖେଳାଳିଙ୍କ ପ୍ରତି ଯେଉଁ ଏସ୍‌ଓପି ଅଛି, ହକି ଇଣ୍ଡିଆ ଏବଂ ଭାରତ ସରକାରଙ୍କ ଗାଇଡଲାଇନ ଅନୁସାରେ କାମ ହେବ।

୩ ଦିନ ପୂର୍ବରୁ ନାଜାଲ ଟିକାକୁ ଅନୁମତି ଦିଆଯାଇଛି। ଗୋଟିଏ ନାଜାଲ୍ ଟିକାରେ ଦୁଇଟି ଡୋଜ ଥାଏ। ପ୍ରଥମେ ଘରୋଇ ହସ୍ପିଟାଲରେ ଏହା ଦିଆଯିବ। ରାଜ୍ୟକୁ ନାଜାଲ ଟିକା ଆସିଛି ନା ନାହିଁ ସେନେଇ ଡ୍ରଗସ କଣ୍ଟ୍ରୋଲ ବୋର୍ଡକୁ ତଥ୍ୟ ମଗାଯାଇଛି ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି।

nis-ad
Leave A Reply

Your email address will not be published.