ଭାଷା ଗୋଟିଏ ଜାତିର ଶ୍ରେଷ୍ଠ ସମ୍ପଦ : ମୁଖ୍ୟମନ୍ତ୍ରୀ…

ଭୁବନେଶ୍ବର : ‘ଓଡ଼ିଆ ଭାଷା ଆଇନ’ ପୁସ୍ତକ ଆଜି ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଉନ୍ମୋଚିତ ହୋଇଯାଇଛି। ଓଡ଼ିଆ ଭାଷା ଆନ୍ଦୋଳନର ଆବାହକ ପବିତ୍ର ମହାରଥାଙ୍କ ଦ୍ବାରା ସମ୍ପାଦିତ ତଥା ପ୍ରକାଶିତ ଏହି ପୁସ୍ତକରେ ୧୯୪୮ରୁ ୨୦୧୯ ପର୍ଯ୍ୟନ୍ତ ଓଡିଆ ସରକାରୀ ଭାଷା ଆଇନ ପ୍ରସ୍ତାବଠାରୁ ଆରମ୍ଭ କରି ସଂଶୋଧିତ ଦଣ୍ଡବିଧାନ ପର୍ଯ୍ୟନ୍ତ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ବିଧେୟକ, ଅଧିନିୟମ, ବିଜ୍ଞପ୍ତି, ନଥି ଓ ଚିଠିପତ୍ର ସ୍ଥାନିତ ହୋଇଛି। ପୁସ୍ତକଟିରେ ସମୁଦାୟ ୨୦ଟି ବିଷୟ ସ୍ଥାନିତ ହୋଇଛି।
ଭିଡିଓ କନ୍‌ଫରେନ୍ସିଂ ଜରିଆରେ ପୁସ୍ତକଟିକୁ ଉନ୍ମୋଚନ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ଭାଷା ହେଉଛି ଗୋଟିଏ ଜାତିର ଶ୍ରେଷ୍ଠ ସମ୍ପଦ ଓ ସବୁଠାରୁ ବଡ଼ ପରିଚୟ। ଓଡ଼ିଆ ଭାଷା ବହୁ ପୁରୁଣା ଭାଷା ଏବଂ ଓଡ଼ିଆ ଭାଷାକୁ ନେଇ ଦେଶର ପ୍ରଥମ ଭାଷାଭିତ୍ତିକ ରାଜ୍ୟ ଓଡ଼ିଶା ଗଠିତ ହୋଇଥିଲା। ଯୁବ ସମାଜ ମଧ୍ୟରେ ଓଡ଼ିଆ ଭାଷା ପ୍ରତି ଆଦର ବୃଦ୍ଧି ପାଇଁ ସମସ୍ତେ ମିଳିମିଶି କାମ କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ବାନ ଦେଇଥିଲେ।
୨୦୩୬ରେ ସ୍ବତନ୍ତ୍ର ପ୍ରଦେଶ ଗଠନର ୧୦୦ ବର୍ଷ ପାଳନ କରାଯିବ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ଭାଷାର ସୁରକ୍ଷା ଓ ପ୍ରଚାର ପ୍ରସାର ପାଇଁ ରାଜ୍ୟ ସରକାର ଅନେକ ପଦକ୍ଷେପ ନେଇଛନ୍ତି ଏବଂ ଆଗକୁ ମଧ୍ୟ ନିଆଯିବ। ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ପ୍ରକାଶକ ସରୋଜ ବଳ ସ୍ବାଗତ ଭାଷଣ ଦେଇଥିଲେ ଓ ଭାଷା ଆନ୍ଦୋଳନର ଆବାହକ ଶ୍ରୀ ମହାରଥା ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ମୁଖ୍ୟ ଉପଦେଷ୍ଟା ଆର. ବାଲକ୍ରିଷ୍ଣନ, ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଓ ଉନ୍ନୟନ କମିସନର ପି. କେ. ଜେନା ଉପସ୍ଥିତ ଥିଲେ। ବିଶିଷ୍ଟ ଭାଷାବିତ୍ ଦେବୀ ପ୍ରସନ୍ନ ପଟ୍ଟନାୟକ, ଭଗବାନ ପ୍ରକାଶ, ପ୍ରମେୟର ସମ୍ପାଦକ ଗୋପାଳ ମହାପାତ୍ର, ପ୍ରଗତିବାଦୀର କାର୍ଯ୍ୟକାରୀ ସମ୍ପାଦକ ବିରୁପାକ୍ଷ ତ୍ରିପାଠୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ।

nis-ad
Leave A Reply

Your email address will not be published.