ଭୁବନେଶ୍ବର: ବିଦେଶରେ (ଜାପାନ, କୋରିଆ, ଆମେରିକା, ଫ୍ରାନ୍ସ, ବ୍ରାଜିଲ୍, ଜର୍ମାନି ଓ ଚୀନ୍) କରୋନା ଓମିକ୍ରନ୍ର ନୂଆ ଭାରିଆଣ୍ଟ ଖୁବ୍ ଶୀଘ୍ର ବ୍ୟାପୁଥିବା ବେଳ ରାଜ୍ୟ ସରକାର ଏ ସଂପର୍କରେ ଅବଗତ ହୋଇ ଜନସାଧାରଣଙ୍କ ପାଇଁ ଗାଇଡ୍ଲାଇନ୍ ଜାରି କରିଛନ୍ତି। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର କମିସନର ତଥା ସଚିବ ଶାଳିନୀ ପଣ୍ଡିତଙ୍କ ଅଧ୍ୟକ୍ଷତାରେ ଆଜି ଲୋକସେବା ଭବନରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସରକାର ଜନସାଧାରଣଙ୍କୁ ମାସ୍କ ପିନ୍ଧିବା, ହାତ ଧୋଇବା, ଲକ୍ଷଣ ଦେଖାଗଲେ ଗୃହରେ ଅନ୍ୟମାନଙ୍କ ଠାରୁ ଅଲଗା ରହିବା ଏବଂ ସର୍ବସାଧାରଣସ୍ଥଳରେ ଛେପ ନ ପକାଇବା ପାଇଁ ପରାମର୍ଶ ଦେଇଛନ୍ତି।
ବୈଠକରେ ଆଲୋଚନା ହୋଇଛି ଯେ, ଓମିକ୍ରନ୍ର ନୂଆ ଭାରିଆଣ୍ଟ ସେତେ ଭୟଙ୍କର ନୁହେଁ। କିନ୍ତୁ ସମସ୍ତଙ୍କୁ ସତର୍କ ରହିବାର ଆବଶ୍ୟକତା ରହିଛି। କରୋନାର ନୂତନ ଲହରକୁ ନେଇ ଚିନ୍ତିତ ହେବାର ଆବଶ୍ୟକତା ନାହିଁ। ରାଜ୍ୟ ସରକାର କୋଭିଡ ଟେଷ୍ଟିଂକୁ ଗୁରୁତ୍ବ ଦେଉଛନ୍ତି। ଏଥି ପାଇଁ ରାଜ୍ୟର ବିଭିନ୍ନ ଡାକ୍ତରଖାନାରେ ଟେଷ୍ଟିଂ ଜାରି ରହିଛି। ଜାତୀୟ ହାର ତୁଳନାରେ ଓଡ଼ିଶାରେ ଦୈନିକ ଅଧିକ ଟେଷ୍ଟିଂ କରାଯାଉଛି। ବର୍ତ୍ତମାନ ଓଡ଼ିଶାରେ ଦୈନିକ ୧୫୫୨ ଟେଷ୍ଟିଂ କରାଯାଉଥିବା ବେଳେ ଜାତୀୟ ହାର ହେଉଛି ୫୮୯। ସେହିପରି ନୂଆ ଭାଇରସ୍ ପାଇଁ ଭୁବନେଶ୍ବରର ଆଇଏଲ୍ଏସ୍ ଓ ଆରଏମ୍ଆରସି ଏବଂ ଏସ୍ସିବିରେ ଜିନୋମ ସିକ୍ବେନ୍ସିଂ କରାଯାଉଛି।
ସେହିପରି କୋଭିଡ ଚିକିତ୍ସା ଲାଗି ଏସ୍ସିବି, ଏମ୍କେସିଜି ଓ ବୁର୍ଲା ମେଡିକାଲରେ ୨୦ଟି ଲେଖାଏଁ ବେଡ ପ୍ରସ୍ତୁତ ରହିଛି। ଏଥିରେ ୧୫ଟି ଅକ୍ସିଜେନ ବେଡ୍ ଓ ୫ଟି ଆଇସିୟୁ ବେଡ୍ ସାମିଲ ରହିଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ସେଠାରେ ୨୦ଟି ଲେଖାଏଁ ବେଡ ସଂଖ୍ୟା ବୃଦ୍ଧି କରାଯାଇପାରେ। ଜିଲ୍ଲା ଡାକ୍ତରଖାନାଗୁଡ଼ିକରେ ୧୦ଟି ଲେଖାଏଁ ଅକ୍ସିଜେନ ସପୋର୍ଟ ଥିବା ବେଡର ବ୍ୟବସ୍ଥା କରାଯାଇଛି। ଭୁବନେଶ୍ବରସ୍ଥିତ କ୍ୟାପିଟାଲ୍ ହସ୍ପିଟାଲ, ରାଉରକେଲା ସରକାରୀ ହସ୍ପିଟାଲ ସମେତ ସମସ୍ତ ଜିଲ୍ଲା ମୁଖ୍ୟାଳୟରେ ଥିବା ଡାକ୍ତରଖାନାଗୁଡ଼ିକରେ ୨୦୨୨ ଡିସେମ୍ବର ୨୭ ତାରିଖ ସୁଦ୍ଧା ମକ୍ଡ୍ରିଲ୍ କରାଯିବ।