ବିଚ୍‌ ରାସ୍ତାରେ ପୂର୍ବତନ ସରପଞ୍ଚଙ୍କୁ ନିର୍ଧୂମ ମାଡ଼

ଯାଜପୁର: ସୀମା ଟପିଲା ବର୍ବରତା । ବିଚ୍‌ ରାସ୍ତାରେ ଖୁଲମଖୁଲା ଗୁଣ୍ଡାଗର୍ଦ୍ଦି କଲେ କିଛି ଯୁବକ । ପୂର୍ବତନ ସରପଞ୍ଚ ଥିବା ଜଣେ ବୃଦ୍ଧଙ୍କୁ ଅଶାଳୀନ ଭାଷାରେ ଗାଳିଗୁଲଜ କରିବା ସହ ନିସ୍ତୁକ ପିଟିଛନ୍ତି। ବୃଦ୍ଧଜଣକ ଗୁରୁତର ଅବସ୍ଥାରେ କଟକରେ ଚିକିତ୍ସିତ ହୋଇ ଘରକୁ ଫେରିଛନ୍ତି। ଏହା ପ୍ରାୟ ୩ ଦିନ ତଳର ଘଟଣା ହୋଇଥିବା ବେଳେ ତାହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଏହି ଘଟଣାରେ ୩ ଜଣଙ୍କୁ ଗିରଫ କରାଯାଇଛି। ଆକ୍ରମଣର ଶିକାର ହୋଇଥିବା ବୃଦ୍ଧଜଣକ ହେଲେ ଯାଜପୁର ଜିଲ୍ଲା ତରପଦାର ପୂର୍ବତନ ସରପଞ୍ଚ ଲକ୍ଷ୍ମୀଧର ସାହୁ ।

କିଛି ଦିନ ପୂର୍ବେ ଲକ୍ଷ୍ମୀଧର ଯାଜପୁର କୋର୍ଟକୁ ଯାଉଥିବା ବେଳେ କିଛି ଯୁବକ ତାଙ୍କ ଯାଜପୁର ଥାନା ଅନ୍ତର୍ଗତ ରାମ୍ବାଗ ଛକରେ ଅଟକାଇଥିଲେ। ଏହାପରେ ଅଶାଳୀନ ଭାଷାରେ ପ୍ରବଳ ଗାଳିଗୁଲଜ କରିବା ସହ ବେଲ୍ଟରେ ନିର୍ଧୂମ ପିଟିବା ସହ ଗୋଇଠା, ବିଧା ବି ମାରିଥିଲେ।  ଯିଏ ଉଦ୍ଧାର କରିବାକୁ ଆସିବ, ତାକୁ ବି ଏପରି ଅବସ୍ଥା ଭୋଗିବାକୁ ପଡ଼ିବ ବୋଲି ବି ଧମକ ଦେଲେ। ଫଳରେ ଭୟରେ କେହି ଲକ୍ଷ୍ମୀଧରଙ୍କୁ ଉଦ୍ଧାର କରିବାକୁ ଆସି ନ ଥିବା ବେଳେ ଏନେଇ ପୁଲିସ୍‌କୁ ଖବର ଦେଇଥିଲେ।

କିଛି ସମୟ ପରେ ପୁଲିସ୍‌ ପହଞ୍ଚି ଲକ୍ଷ୍ମୀଧରଙ୍କୁ ଉଦ୍ଧାର କରିଥିଲା। ଅତ୍ୟଧିକ ମାଡ଼ ଯୋଗୁ ତାଙ୍କ ଅବସ୍ଥା ଗୁରୁତର ହୋଇ ପଡ଼ିଥିଲା। ପ୍ରଥମେ ତାଙ୍କୁ ଯାଜପୁର ମେଡିକାଲ ଓ ପରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ୨ ଦିନ ଚିକିତ୍ସିତ ହେବା ପରେ ସେ ଗତକାଲି ଘରକୁ ଫେରିଛନ୍ତି।

ଏନେଇ ଯାଜପୁର ଥାନାରେ ଅଭିଯୋଗ ହେବା ପରେ ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରି ୩ ଜଣଙ୍କୁ ଗିରଫ କରିଛି।

ଏନେଇ ପୂର୍ବତନ ସରପଞ୍ଚ ଲକ୍ଷ୍ମୀଧର ସାହୁ କହିଛନ୍ତି, ରାମ୍ବାଗ ଛକରେ ଗାଁର କିଛି ଯୁବକ ଅଟକାଇ ଅଶାଳୀନ ଭାଷାରେ ଗାଳିଗୁଲଜ କରିଥିଲେ। ପ୍ରାୟ ୮, ୧୦ ଜଣ ନିଶାସକ୍ତ ଅବସ୍ଥାରେ ଥିବା ବେଳେ ମୋତେ ନିର୍ଧୂମ ପିଟିଥିଲେ। ଖବର ପାଇ ସ୍ଥାନୀୟ ଲୋକେ ଓ ପୁଲିସ୍‌ ପହଞ୍ଚି ମୋତେ ଉଦ୍ଧାର କରିଥିଲେ। କଟକ ମେଡିକାଲରେ ଚିକିତ୍ସିତ ହୋଇ ଘରକୁ ଫେରିଛି।

nis-ad
Leave A Reply

Your email address will not be published.