ଅମଳ ଧାନକୁ ନଷ୍ଟ କରୁଛନ୍ତି ହାତୀପଲ, ଚିନ୍ତାରେ ଚାଷୀ, ପ୍ରତିକାର ଦାବି

ବୁଗୁଡ଼ା : ଦକ୍ଷିଣ ଘୁମୁସର ବନଖଣ୍ଡ ଅଧିନସ୍ଥ ବୁଗୁଡ଼ା ବନାଞ୍ଚଳର ପଞ୍ଚୁଭୁତି ସେକ୍ସନ ଉଦୟପୁର ବିଟ୍ ନିକଟସ୍ଥ କରସିଙ୍ଗି ଗାଁର ବଞ୍ଜର ଗହିରମାଳରେ ବୁଧବାର ମଧ୍ଯରାତ୍ରରେ ବଣୁଆ ହାତୀ ପଲର ଉପଦ୍ରବ ଦେଖିବାକୁ ମିଳିଛି । ଚାଷୀମାନେ ଆଠ ଟିକିଆ ହାତୀ ପାଲକୁ ଦେଖି ସେମାନଙ୍କୁ ଘୋଉଡାଇବା ପାଇଁ ବହୁ ଚେଷ୍ଟା କରିଥିଲେ ମଧ୍ୟ ସଫଳ ହୋଇପାରି ନଥିବା ଫଳରେ ସେମାନେ ପ୍ରାୟ ୧୮ ଭରଣ ଜମି ଦଳା ଚକୁଟା କରିବା ସହ ପାଚିଲା ଧାନକୁ ଖାଇ ନଷ୍ଟ କରିଦେଲେ । ବୁଗୁଡା ବନାଞ୍ଚଳରେ ବାରମ୍ବାର ଏଭଳି ଘଟଣା ଘଟି ଆସୁଥିବା ନେଇ ଚାଷୀମାନେ ଅଭିଯୋଗ କରି ଆସୁଥିଲେ ମଧ୍ୟ ବନ ବିଭାଗ ତରଫରୁ କୌଣସି ପଦକ୍ଷେପ ନିଆଯାଉ ନଥିବା ଚାଷୀମାନେ କହିଛନ୍ତି । ଅନ୍ୟପକ୍ଷରେ ରାତ୍ରକାଳୀନ ପେଟ୍ରୋଲିଂ ଅଭାବରୁ ବନାଞ୍ଚଳରେ ହାତୀପଲର ଉପସ୍ଥିତି ନେଇ ବନ ବିଭାଗ ଅଜଣା ରହୁଛି ଏବଂ ଏନେଇ ଲୋକେ ସୂଚନା ଦେଲେ ମଧ୍ୟ ପ୍ରତିକାର ବ୍ଯବସ୍ଥା ପ୍ରତି ବନ ବିଭାଗ ପଛଘୁଞ୍ଚା ଦେଉଥିବାରୁ କ୍ଷତି ସହିବାକୁ ପଡୁଛି ବୋଲି ଚାଷୀମାନେ ଆକ୍ଷେପ କରିଛନ୍ତି । ଯଦିଓ ବନ୍ଯପ୍ରାଣୀଙ୍କ ଦ୍ରାରା ହେଉଥିବା କ୍ଷୟକ୍ଷତିର ଆକଳନ କରି ବନ ବିଭାଗ ବେଳେବେଳେ ଯୋଗାଇ ଦେଉଥିବା ସହାୟତା ରାଶି ସମୁଦ୍ରକୁ ଶଙ୍ଖେ ପାଣି ଭଳି ହେଉଛି ବୋଲି ଚାଷୀଙ୍କ ଅଭିଯୋଗ ରହିଛି । ବନ ବିଭାଗର ଉଦାସୀନତା ସାଙ୍ଗକୁ ହାତୀପଲର ଉପଦ୍ରବ ଚାଷୀଙ୍କ ଆର୍ଥିକ ମେରୁଦଣ୍ଡକୁ ଭାଙ୍ଗି ଦେଉଛି । ଫଳରେ ଚାଷ କାମ ଛାଡି ଦାଦନ ଖଟିବା ଶ୍ରେୟସ୍କର ବୋଲି ଚାଷୀମାନେ ଅଭିମାନରେ କହୁଛନ୍ତି । ତେବେ ସ୍ଥାନୀୟ ବନ ବିଭାଗ ଚାଷୀକୂଳର ସ୍ବାର୍ଥ ରକ୍ଷା ଲାଗି ଯତ୍ନଶୀଳ ହେବାକୁ ସାଧାରଣରେ ଦାବି ହେଉଛି ।

nis-ad
Leave A Reply

Your email address will not be published.