ଆମର କାର୍ଯ୍ୟ ପାଇଁ ଆମେ ଯତ୍ନବାନ ଓ ପ୍ରତିବଦ୍ଧ- ଆଇଜି ଡ. ଦୀପକ କୁମାର

ସମ୍ବଲପୁର: ଗତ ୧୨ ତାରିଖରେ ସମ୍ବଲପୁର ଜିଲା ଅଦାଲତ ପରିସରରେ ପଶ୍ଚିମ ଓଡ଼ିଶା ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଆନ୍ଦୋଳନ ସମୟରେ ଘଟିଥିବା ଅପ୍ରିତିକର ଘଟଣାକୁ ନେଇ ସୁପ୍ରିମକୋର୍ଟ କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଉକ୍ତ ଘଟଣାକୁ ନେଇ ସୁପ୍ରିମକୋର୍ଟ ବିଭିନ୍ନ ପକ୍ଷଙ୍କୁ ବୁଧବାର ନିଜର ପକ୍ଷ ରଖିବା ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ। ଏହି କ୍ରମରେ ଓଡ଼ିଶା ପୁଲିସକୁ ମଧ୍ୟ ନିଜ ପକ୍ଷ ରଖିବା ନିମନ୍ତେ ନିର୍ଦ୍ଦେଶ ଦିଆଯାଇଥିଲା। ଏହି ସର୍ମ୍ପକରେ ଗଣମାଧ୍ୟମ ପ୍ରତିନିଧି ମାନଙ୍କ ସହିତ ଆଲୋଚନା ସମୟରେ ଉତ୍ତରାଞ୍ଚଳ ପୁଲିସ ରେଞ୍ଜ ଆଇଜି ଡ. ଦୀପକ କୁମାର କହିଛନ୍ତି ଯେ, ଅନ୍ୟ ପକ୍ଷମାନଙ୍କ ସହିତ ଆମେ ମଧ୍ୟ ଆଜି ସୁପ୍ରିମକୋର୍ଟରେ ଉପସ୍ଥିତ ରହିଥିଲୁ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଅପେକ୍ଷା କରାଯାଇଛି। ସୁପ୍ରିମକୋର୍ଟ ନଭେମ୍ବର ୧୪ ଓ ୨୮ରେ ନିର୍ଦ୍ଦେଶ ଜାରି କରି ଅଦାଲତର ସୁଚାରୁ ରୂପେ କାର୍ଯ୍ୟ, ମୋକଦ୍ଦମାକାରୀଙ୍କ ହିତ ରକ୍ଷା, ଶାନ୍ତି ଶୃଙ୍ଖଳା ବଜାୟ ପାଇଁ ଯାହା ପଦକ୍ଷେପ ଦରକାର ନେବା ପାଇଁ କହିଥିଲେ।

ଏବେ ମଧ୍ୟ ଅଦାଲତ ପରିସର ତଥା ଆଖାପାଖ ଅଞ୍ଚଳରେ ୧୪୪ ଧାରା ବଳବତ୍ତର ରହିଛି। ଶାନ୍ତି ଶୃଙ୍ଖଳା ବଜାୟ ରଖିବା, ଅଦାଲତର କାର୍ଯ୍ୟ ସୁଚାରୁ ରୂପେ ଜାରି ରଖିବା, ମୋକଦ୍ଦମାକାରୀଙ୍କ ହିତ ଯେଭଳି ହାନି ନ ହେବ ଆଦି ବିଷୟକୁ ନେଇ ଆମେ ପ୍ରଶାସନ ତରଫରୁ ଯତ୍ନବାନ ରହିଛୁ ଏବଂ ଆମେ ଆମର କାର୍ଯ୍ୟ ପାଇଁ ପ୍ରତବଦ୍ଧ। ଏବେ ମଧ୍ୟ ପୁଲିସ ବଳ ମୁତୟନ କରାଯାଇଛି ଏବଂ ସମସ୍ତ ପ୍ରକ୍ରିୟା ଯେଭଳି ସାଧାରଣ ରୂପେ ଚାଲିବ ସେଥିପ୍ରତି ବିଶେଷ ଧ୍ୟାନ ଦେଉଛୁ। ଯାହା ବି ଅଭିଯୋଗ ଆସିଛି, ସେଗୁଡିକର ତଦନ୍ତ ଚାଲିଛି ଏବଂ ତଦନ୍ତ ସମୟରେ ପ୍ରମାଣର ଆଧାରରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ କରାଯିବ। ତଦନ୍ତ ସମୟରେ କ୍ଷୟକ୍ଷତିର ମଧ୍ୟ ଅନୁଧ୍ୟାନ କରାଯାଉଛି।

nis-ad
Leave A Reply

Your email address will not be published.