୬ ମାସ ପରେ ପୁଣି ଥରେ ଦବିଲା ବ୍ରିଜ୍‌

ଆନନ୍ଦପୁର : ପୂର୍ତ୍ତ ବିଭାଗର ପାରିବା ପଣିଆ ପଦାରେ ପଡ଼ିଲା। ୬ ମାସ ତଳେ ବ୍ରିଜ୍‌ ମରାମତି କରାଇଥିଲା। ଏବେ ପୁଣି ଥରେ ଦବି ଯାଇଛି ବ୍ରିଜ୍‌। ତେଣୁ ଆଉ ଥରେ ମରାମତି ପାଇଁ ବୁଧବାର ବ୍ରିଜ୍‌ ଉପରେ ଯାତାୟତ ନକରିବାକୁ ପରାମର୍ଶ ଦେଇଛି। ଏପରି ଚିତ୍ର ଆସିଛି ଖଣିଖାଦାନ ଭରା କେନ୍ଦୁଝର ଜିଲ୍ଲାରୁ। ଆନନ୍ଦପୁର ଉପଖଣ୍ଡର ଲାଇଫ୍‌ଲାଇନ୍‌ କୁହାଯାଉଥିବା ବୈତରଣୀ ବ୍ରିଜ୍‌ର ବାରମ୍ୱାର ମରାମତିକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଆଉ ପୂର୍ତ୍ତ ବିଭାଗର କାମକୁ ନେଇ ସନ୍ଦେହ ପ୍ରକଟ କରିଛନ୍ତି।

ଆନନ୍ଦପୁରର ଏହି ବୈତରଣୀ ସେତୁ ଉପରେ ଭଦ୍ରକ, ମୟୂରଭଞ୍ଜ, ଭୁବନେଶ୍ୱର, କଟକ ଓ କେନ୍ଦୁଝର ଜିଲ୍ଲାର ଲୋକମାନେ ନିର୍ଭର କରନ୍ତି। ପ୍ରତିଦିନ ଶହଶହ ଗାଡ଼ି ଯିବା ଆସିବା କରିଥାଏ। କିନ୍ତୁ ୩୦ରୁ ୩୫ ବର୍ଷ ତଳେ ପୂର୍ତ୍ତ ବିଭାଗ ନିର୍ମାଣ କରିଥିବା ଏହି ବ୍ରିଜ୍‌ ଏବେ ଆନନ୍ଦପୁରବାସୀଙ୍କୁ ଦେଉଛି ଜାତନା। ରକ୍ଷଣା ବେକ୍ଷଣା ଅଭାବରୁ ବ୍ରିଜ୍‌ ଦବୁଛି। ଏନେଇ ଅଭିଯୋଗ ହେବା ପରେ ୬ ମାସ ତଳେ ପୂର୍ତ୍ତ ବିଭାଗ ମରାମତି କରିଥିଲା। ଆନ୍ଧ୍ରପ୍ରଦେଶର ଏକ ଠିକା ସଂସ୍ଥା ମାଧ୍ୟମରେ ବ୍ରିଜ୍‌ ମରାମତି କରିଥିଲା ପୂର୍ତ୍ତ ବିଭାଗ। ମରାମତି ପରେ ବ୍ରିଜ୍‌ ସର୍ବସାଧାରଣଙ୍କ ଯିବା ଆସିବା ପାଇଁ ଖୋଲିଥିଲା।

ବୈତରଣୀ ବ୍ରିଜ୍‌ ମରାମତି ପରେ ଦୁଃଖ ସରିଗଲା ବୋଲି ଆନନ୍ଦପୁରବାସୀ ଭାବିଥିଲେ। ହେଲେ ଏବେ ବ୍ରିଜ୍‌ର ଦୁଇ ପିଲର ପୁଣି ଦବି ଯାଇଛି। କୌଣସି ଦୁର୍ଘଟଣା ଘଟିବା ଆଗରୁ ଭାରୀ ଯାନ ପ୍ରବେଶ ଉପରେ କଟକଣା ଲଗାଇଛି ପ୍ରଶାସନ। ସେଥିପାଇଁ ବ୍ରିଜ୍‌ର ଉଭୟ ପାର୍ଶ୍ୱରେ ପୁଲିସ୍‌ ମୁତୟନ କରାଯାଇଛି। ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଥିବାରୁ ବ୍ରିଜ୍‌ ମରାମତି କରିବା ପାଇଁ ପୂର୍ତ୍ତ ବିଭାଗ ନିଷ୍ପତ୍ତି ନେଇଛି। ମରାମତି ପାଇଁ ଆସନ୍ତାକାଲି ଅର୍ଥାତ ବୁଧବାର ଦିନବେଳା ବ୍ରିଜ୍‌ରେ ଯାତାୟତକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି। ସେଥିପାଇଁ ଡାକବାଜି ଯନ୍ତ୍ର ମାଧ୍ୟମରେ ପ୍ରଚାର କରାଯାଇଛି। ବୁଧବାର ବ୍ରିଜ୍‌ ଉପରେ ନଯିବା ପାଇଁ ସ୍ଥାନୀୟ ଲୋକଙ୍କୁ କୁହାଯାଇଛି।

ସ୍ଥାନୀୟ ବୁଦ୍ଧିଜୀବୀ ଶମ୍ଭୁନାଥ ରାଉତ କହିଛନ୍ତି, ବୈତରଣୀ ନଦୀ ଉପରେ ହୋଇଥିବା ସେତକୁ ଦୀର୍ଘ ବର୍ଷ ଧରି ପୂର୍ତ୍ତ ବିଭାଗ ବାରମ୍ୱାର ମରାମତି କରୁଛି। କ’ଣ ମରାମତି କରାଯାଉଛି ଆମେ ଜଣିପାରୁନାହୁଁ। ମୋତେ ଆଶ୍ଚର୍ଯ୍ୟ ଲାଗୁଛି, ବିଭାଗୀୟ ଅଧିକାରୀମାନେ କିଭଳି ଭାବେ ଟେଣ୍ଡର କରୁଛନ୍ତି ଓ କିଭଳି ଭାବେ ମରାମତି କରୁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ଶମ୍ଭୁନାଥ।

ଅନ୍ୟ ଜଣେ ସ୍ଥାନୀୟ ବାସିନ୍ଦା କିରଣ ପାଢ଼ୀ କହିଛନ୍ତି, ବୈତରଣୀ ନଦୀ ଉପରେ ହୋଇଥିବା ବ୍ରଜ୍‌ଟି ହେଉଛି ଆନନ୍ଦପୁରର ପ୍ରମୁଖ ସେତୁ। ଗତ ୬ ମାସ ଭିତରେ ଏହି ବ୍ରିଜ୍‌ ଦୁଇ ଥର ଦବି ଗଲାଣି। ବିଭାଗୀୟ ଅପାରଗତା ଯୋଗୁଁ ଏପରି ହେଉଛି ବୋଲି ଶ୍ରୀ ପାଢ଼ୀ କହିଛନ୍ତି।

nis-ad
Leave A Reply

Your email address will not be published.