ବନ କର୍ମଚାରୀ-ଗ୍ରାମବାସୀ ପିଟାପିଟି, ରଣକ୍ଷେତ୍ର ପାଲଟିଲା ଚେକ୍‌ଗେଟ୍

ବଡ଼ମ୍ବା: କାଠ କଟାକୁ ନେଇ କଟକ ଜିଲ୍ଲା ବଡ଼ମ୍ବା ବନାଞ୍ଚଳର ଯୋଡ଼ାମ୍ବ ସଂରକ୍ଷିତ ଜଙ୍ଗଲର ଗୁଣ୍ଡଦ୍ୱାର ବନ ବିଭାଗ ଚେକ ଗେଟ୍‌ ପାଲଟିଲା ରଣକ୍ଷେତ୍ର। ଗ୍ରାମବାସୀ ଓ ବନ କର୍ମଚାରୀ ହାତାହାତି ହୋଇଛନ୍ତି। ଯେଉଁଥିରେ ୩ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ବଡ଼ମ୍ବା ରେଂଜର ଏବଂ ୨ ଗ୍ରାମବାସୀ ରହିଛନ୍ତି। ଜଣେ ବ୍ୟକ୍ତିଙ୍କ ମୁଣ୍ଡରେ ଗଭୀର କ୍ଷତ ହୋଇଛି। ତାଙ୍କ ନାଁ ସର୍ବେଶ୍ୱର ନାୟକ। ପୁଲିସ ନିକଟରେ ଉଭୟ ପକ୍ଷ ଫେରାଦ ହୋଇଛନ୍ତି। ଅଭିଯୋଗ ଆଧାରରେ ପୁଲିସ ୨ ମାମଲା ରୁଜୁ କରି ତଦନ୍ତ ଚଲାଇଛି।

ବଡ଼ମ୍ବା ରେଞ୍ଜର ସୁବ୍ରତ କୁମାର ବେହେରା କହିଛନ୍ତି, ସେ ଗତକାଲି ବଡ଼ମ୍ବା ରେଞ୍ଜ ଯୋଡ଼ାମ୍ବ ସଂରକ୍ଷିତ ଜଙ୍ଗଲରେ ପେଟ୍ରୋଲିଂ କରୁଥିବା ସମୟରେ କିଛି ଲୋକ କଞ୍ଚା ଗଛ କାଟି ନେଇ ଯାଉଥିଲେ। ଏଭଳି ନ କରିବାକୁ ତାଙ୍କୁ ଚେତାବନୀ ଦେଇ ଛାଡ଼ି ଦିଆଯାଇଥିଲା। ହେଲେ ଏହି ଲୋକମାନେ ସନ୍ଧ୍ୟାରେ ରେଞ୍ଜ ଅଫିସ୍‌ରେ ପହଞ୍ଚି ଝାମେଲା କରିଥିଲେ। ତାଙ୍କୁ ବୁଝାସୁଝା କରାଯାଇ ଘରକୁ ପଠାଇ ଦିଆଯାଇଥିଲା। ଆଜି ସକାଳୁ କଥା ବୁଝାଯିବ ବୋଲି କୁହାଯାଇଥିଲା। ସକାଳେ ଏହି ଲୋକେ ପୁଣି ପହଞ୍ଚି ଝାମେଲା କରିଥିଲେ ଓ ଫରେଷ୍ଟ ଗେଟ୍ ଆଗରେ ବସିଥିଲେ। ଏହି ସମୟରେ ସେ ପାଟ୍ରୋଲିଂ ନିମନ୍ତେ ଯାଉଥିବା ବେଳେ ୨୦ ଜଣ ଲୋକ ଆକ୍ରମଣ କରିଥିଲେ। ଫଳରେ ୭ ଜଣ ବନ କର୍ମଚାରୀଙ୍କ ସହ ସେ ଆହତ ହୋଇଛନ୍ତି। ବନ ବିଭାଗ ଗାଡ଼ିକୁ ଲୋକେ ଭାଙ୍ଗି ଦେଇଛନ୍ତି। ଗୋଟିଏ ପଥର ତାଙ୍କ ଆଖିରେ ବଜିଛି। ଏନେଇ ସେ ଥାନାରେ ଏତଲା ଦେଇଛନ୍ତି। ଯେଉଁମାନେ ଜଙ୍ଗଲରୁ କାଠ ଆଣୁଥିଲେ ସେମାନଙ୍କ ବିରୋଧରେ ବନ ବିଭାଗ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ।

ଏନେଇ ଆହତ ସର୍ବେଶ୍ୱର ନାଏକ କହିଛନ୍ତି, ଗତକାଲି ଜଙ୍ଗଲରୁ ସୁଖିଲା କାଠ ସଂଗ୍ରହ କରିବାକୁ ଯାଇଥିବା ବେଳେ ବନ ବିଭାଗ କର୍ମଚାରୀ ପହଞ୍ଚି କାତି ଓ କୁରୁଢି ନେଇଯିବା ସହ ସାଇକେଲ ଭାଙ୍ଗି ଦେଇଥିଲେ। ଆଜି ରେଞ୍ଚ ଅଫିସ୍‌କୁ କାତି ଓ କୁରୁଢ଼ି ଆଣିବାକୁ ଯାଇଥିବା ବେଳେ ରେଞ୍ଜ କର୍ମଚାରୀମାନେ ଚେକ୍‌ଗେଟ୍ ନିକଟରେ ସମସ୍ତଙ୍କୁ ମାଡ଼ ମାରି ଲହୁଲୁହାଣ କରିଛନ୍ତି। ଏନେଇ ତାଙ୍କ ପତ୍ନୀ ପ୍ରତିମା ନାଏକ ଥାନାରେ ଏତଲା ଦେଇଛନ୍ତି।

ଏନେଇ ଆଠଗଡ ଉପଖଣ୍ଡ ଆରଖି ଅଧିକ୍ଷକ ବିଜୟ କୁମାର ବିଶି କହିଛନ୍ତି, ଉଭୟ ପକ୍ଷର ଅଭିଯୋଗ ଆଧାରରେ ମାମଲା ରୁଜୁ କରାଯାଇଛି। ଉଭୟ ପକ୍ଷର ଲୋକମାନେ ମଧ୍ୟ ଏହି ଘଟଣାରେ ଆହତ ଅଛନ୍ତି। ଏହାର ତଦନ୍ତ ଜାରି ରହିଛି।

nis-ad
Leave A Reply

Your email address will not be published.