ପ୍ରାଣୀ ସଂକ୍ରାମକ ରୋଗକୁ ହଟାଇବାକୁ ଜିଲ୍ଲାରେ ଜାରି ହେଲା ହେଲପ ଲାଇନ ନମ୍ବର…

ଫୁଲବାଣୀ :-ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ, କନ୍ଧମାଳଙ୍କ ସୂତ୍ରରୁ ପ୍ରକାଶ ଯେ, ଜିଲ୍ଲାର ପଡ଼ୋଶୀ ଜିଲ୍ଲା ମାନଙ୍କରେ ଏବେ ଗାଈଗୋରୁଙ୍କ ଠାରେ ଲମ୍ପି ସ୍କିନ୍ ଡିଜିଜ୍ ବା ଚର୍ମବିଣ୍ଡି ରୋଗ ଦେଖାଦେଉଛି । ଏହା ଏକ ଭୂତାଣୁ ଜନିତ ରୋଗ ଓ କାତ୍ରିପକ୍ବ ନାମକ ଭାଇରସ୍ ଦ୍ବାରା ବ୍ୟାପିଥାଏ । ମଶା, ଡାଆଁଶ ଓ ଟିକ୍କମାନେ ଏହି ରୋଗର ବାହକ ଭାବେ କାର୍ଯ୍ୟ କରନ୍ତି । ଘା’, ରକ୍ତ, ଲାଳ, ସିଙ୍ଘାଣି ଓ ଶୁକ୍ଳ ଦ୍ବାରା ଏହି ରୋଗ ଗୋଟିଏ ପଶୁର ଶରୀରରୁ ଅନ୍ୟ ପଶୁର ଶରୀରକୁ ସଂକ୍ରମିତ ହୋଇଥାଏ । ଏହି ରୋଗ ହେଲେ ଗାଈଗୋରୁଙ୍କ ମୁଣ୍ଡ, ବେକ, ଗୋଡ଼ ଓ ପଦ୍ମା ଆଦିରେ ଆବୁ ବାହାରିଲା ପରି ‘ ଫୁଲା ’ ଦେଖାଯାଏ । ଆବୁ ଗୁଡ଼ିକ ଗୋଲାକାର, ଦେଖିବାକୁ କଳା ରଙ୍ଗର ଓ ଛୁଇଁଲେ ଟାଣ ଲାଗିଥାଏ। ଛୋଟ ଆକୃତିର ଆବୁଗୁଡ଼ିକ ଆପେ ମିଳେଇଯାଏ କିନ୍ତୁ ଅପେକ୍ଷାକୃତ ବଡ଼ ଆବୁଗୁଡ଼ିକ ଗାଈଗୋରୁଙ୍କ ଶରୀରରେ କିଛି ମାସ ପର୍ଯ୍ୟନ୍ତ ରହିଥାଏ। ଆକ୍ରାନ୍ତ ଗାଈଗୋରୁଙ୍କ ଶରୀରରେ ତାପମାତ୍ରାରେ ବୃଦ୍ଧି ଘଟି ସେମାନେ ଜ୍ଵରରେ ପଡ଼ନ୍ତି ଓ ଚାଲିବାରେ କଷ୍ଟ ଅନୁଭବ କରିଥାନ୍ତି । ତେବେ ଆଶୁଚିକିତ୍ସା ପ୍ରଦାନ କଲେ ଏହି ରୋଗ ସମ୍ପୂର୍ଣ ଆରୋଗ୍ୟସାଧ୍ୟ । ଏ ରୋଗରେ ପ୍ରାୟତଃ ଗାଈଗୋରୁଙ୍କ ମୃତ୍ୟୁ ହୁଏ ନାହିଁ । ତେଣୁ ଭୟଭୀତ ନ ହୋଇ ନିଜେ ପାଳିଥିବା ଗାଈଗୋରୁଙ୍କ ଯତ୍ନ ନେବାକୁ କନ୍ଧମାଳ ସି.ଡି.ଭି.ଓ. ଅନୁରୋଧ କରିଛନ୍ତି । ଯଦିଓ ଆମ ଜିଲ୍ଲାରେ ଏହି ରୋଗ ଦେଖା ଦେଇନି ତଥାପି ଖୁବ୍ ଶିଘ୍ର ଦେଖାଦେବାର ସମ୍ଭାବନା ରହିଛି । ଆମ ପଡ଼ୋଶୀ ଜିଲ୍ଲା ଗଞ୍ଜାମ, ଗଜପତି ଓ ନୟାଗଡ଼ରେ ଏହି ରୋଗ ଦେଖାଦେଇ ଥିବାରୁ ଖଜୁରୀପଡ଼ା, ଚକାପାଦ, ଦାରିଙ୍ଗିବାଡ଼ି, ଘୁ. ଉଦୟଗିରି, ରାଇକିଆ ଓ ବାଲିଗୁଡ଼ା ବ୍ଳକରେ ପ୍ରତିଷେଧକ ଟୀକା ଓ ଔଷଧ ମହଜୁଦ୍ ଅଛି ବୋଲି ସେ ଜଣାଇଛନ୍ତି । ପ୍ରତି ବ୍ଲକରେ ରାପିଡ୍ ରେସ୍ପନ୍ସ ଟିମ୍ ,ଗାଡ଼ି ଓ ଗୋଷ୍ଠୀ ପ୍ରାଣୀ ଚିକିତ୍ସା ଅଧିକାରୀ ମାନେ ସଜାଗ ମଧ୍ୟ ଅଛନ୍ତି ।ଗାଈ ଗୋରୁଙ୍କ ଠାରେ ଏଭଳି ଲକ୍ଷଣ ଦେଖାଦେଲେ ନିକଟସ୍ଥ ଗୋଷ୍ଠୀ ପ୍ରାଣୀ ଚିକିତ୍ସା ଅଧିକାରୀ କିମ୍ବା ସି.ଡି.ଭି.ଓ. କାର୍ଯ୍ୟାଳୟର କଣ୍ଟ୍ରୋଲ୍ ରୁମ୍ ନମ୍ବର ୯୪୩୭୪୬୧୫୦୮ କିମ୍ବା ଆନିମଲ୍ ହେଲ୍ପ ଲାଇନ୍ ନମ୍ବର ୧୯୬୨ ସହ ଯୋଗାଯୋଗ କରିବାକୁ ଅନୁରୋଧ କରାଯାଇଛି । ରୋଗରେ ଆକ୍ରାନ୍ତ ହୋଇଥିଲେ ଔଷଧ ଦିଆଯିବ ନଚେତ୍ ପ୍ରତିଷେଧକ ଟୀକା ଦିଆଯିବ । ଆକ୍ରାନ୍ତ ଗୋରୁଗାଈଙ୍କୁ ସୁସ୍ଥ ପଶୁଙ୍କ ଠାରୁ ଆମ ଦୂରରେ ରଖିବା ସହିତ ନୂଆକରି ଆଣିଥିବା ଗୋରୁଗାଈଙ୍କୁ ଅତି କମ୍‌ରେ ତିନି ସପ୍ତାହ ପର୍ଯ୍ୟନ୍ତ ଅଲଗା ରଖିବାକୁ ସେ ନିବେଦନ କରିଛନ୍ତି । ପ୍ରତି ବ୍ଲକରେ ଉପଲବ୍ଧ ଭ୍ରାମ୍ୟମାଣ ପ୍ରାଣୀଚିକିତ୍ସା ସେବାର ସୁଯୋଗ ନେବା ସହିତ ସମସ୍ତଙ୍କ ସହଯୋଗ ରହିଲେ ଏହି ସଂକ୍ରାମକ ରୋଗକୁ ଆମ ଜିଲ୍ଲାରୁ ହଟାଯାଇପାରିବ ବୋଲି ସେ ଆଶା କରିଛନ୍ତି।

nis-ad
Leave A Reply

Your email address will not be published.