ପଦ୍ମପୁର ଉପନିର୍ବାଚନ ପାଇଁ ସରିଲା ପ୍ରଚାର…

ପଦ୍ମପୁର: ପଦ୍ମପୁର ଉପନିର୍ବାଚନ ପାଇଁ ସରିଲା ପ୍ରଚାର । ଶେଷ ମୁହୂର୍ତ୍ତରେ ଭୋଟରଙ୍କୁ ନିଜ ସପକ୍ଷରେ ମନାଇବାକୁ ପ୍ରାଣମୂର୍ଚ୍ଛା ଉଦ୍ୟମ କରିଛନ୍ତି ବିଭିନ୍ନ ଦଳର ପ୍ରାର୍ଥୀ ଓ ନେତା । ପ୍ରଚାରର ଶେଷ ଦିନରେ ବିଜେପି ପାଇଁ ପୁଣି  ପ୍ରଚାର ମଇଦାକୁ ଓହ୍ଲାଇଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସଭାମଞ୍ଚରୁ ରାଜ୍ୟ ସରକାରଙ୍କୁ ପୁଣି ଟାର୍ଗେଟ୍ କରିଥିଲେ କେନ୍ଦ୍ରମନ୍ତ୍ରୀ । ଭୁବନେଶ୍ବରରେ ପ୍ରେମମିଟ୍ କରି କେନ୍ଦ୍ରମନ୍ତ୍ରୀଙ୍କ ଆରୋପ ଅଭିଯୋଗର ଜବାବ୍ ରଖିଛି ବିଜେଡି । ସେପଟେ ଶେଷ ଦିନରେ  ପ୍ରଚାରକୁ ଜୋରଦାର କରିଥିଲେ ବିଜେଡି ଓ କଂଗ୍ରେସ ।

ପଦ୍ମପୁର ଉପନିର୍ବାଚନ ପାଇଁ ସରିଲା ପ୍ରଚାର । ଶେଷ ଦିନରେ ଭୋଟରଙ୍କୁ ମନାଇବାକୁ ପ୍ରାର୍ଥୀଙ୍କ ପ୍ରାଣମୂର୍ଚ୍ଛା ଉଦ୍ୟମ । ବିଜେପି ପାଇଁ ପୁଣି ପ୍ରଚାର ମଇଦାନକୁ ଓହ୍ଲାଇଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଝାରବନ୍ଧରେ ବିଶାଳ ଜନସଭାକୁ ସମ୍ବୋଧନ କରି ରାଜ୍ୟସରକାରଙ୍କୁ ପୁଣି ଥିରେ ଟାର୍ଗେଟ୍ କରିଥିଲେ କେନ୍ଦ୍ରମନ୍ତ୍ରୀ । କହିଥିଲେ ଏବେ ପଦ୍ମପୁର ପାଇଁ ସବୁ କାମ କରିଦେବାକୁ ପ୍ରତିଶ୍ରୁତି ଦେଉଥିବା ସରକାରଙ୍କ ୨୨ବର୍ଷର ହିସାବ କୁଆଡ଼େ ଗଲା । ୧୯୯୩ରୁ ପଦ୍ମପୁରକୁ ଜିଲ୍ଲା ଦାବି ଉଠିଥିବା ବେଳେ ଏବେ ସରକାର ୨୦୨୩ ଜିଲ୍ଲା କରିବୁ ବୋଲି କହୁଛନ୍ତି। ସେପଟେ ବିଧାନସଭାରେ ରାଜସ୍ବ ମନ୍ତ୍ରୀ କହୁଛନ୍ତି ପଦ୍ମପୁର ଜିଲ୍ଲାପାଇଁ କୌଣସି ପ୍ରସ୍ତାବ ନାହିଁ । ଏମିତିରେ ସରକାର କେବଳ ଭୋଟ ପାଇଁ ମିଛ ପ୍ରତିଶ୍ରୁତି ଦେଉଛନ୍ତି । କେନ୍ଦ୍ରୁପତ୍ର ଉପରେ ଜିଏସଟି ୧୮ ପ୍ରତିଶତ କଥା କହି କେନ୍ଦ୍ରକୁ ଦୋଷ ଦେଉଛନ୍ତି ହେଲେ ରାଜ୍ୟ ସରକାର ସେଥିରୁ ୯ ପ୍ରତିଶତ ଜିଏସଟି ନେଉଛନ୍ତି । ସେକଥା କାହିଁକି କହୁନାହାନ୍ତି ସରକାର । ୨୦୧୯ରେ  ବିଜେପୁର ଦାୟିତ୍ବ ନେବେ ବୋଲି କହିଥିଲେ । ଏବେ ବିଜେପୁର ପାଇଁ କ’ଣ କରିଛନ୍ତି କୁହନ୍ତୁ ?

ଏମିତି ପ୍ରଶ୍ନବାଣରେ ରାଜ୍ୟ ସରକାରଙ୍କୁ ନିଶାନା କରିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେପଟେ କେନ୍ଦ୍ରମନ୍ତ୍ରୀଙ୍କ ଏଭଳି ଆରୋପ ଅଭିଯୋଗର ଜବାବ୍ ରଖିଛି ବିଜେଡି । ବିଜେଡି ସାଂସଦ ସସ୍ମିତ୍ ପାତ୍ର କହିଛନ୍ତି କେନ୍ଦୁପତ୍ର ଉପରେ ଜିଏସଟି କଥା ବାରମ୍ବାର  ମୁଖ୍ୟମନ୍ତ୍ରୀ କେନ୍ଦ୍ରକୁ ଜଣାଇଛନ୍ତି, ହେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଥରୁଟିଏ ବି ଜିଏସଟି କମାଇବାକୁ କହିନାହାନ୍ତି । ଓଡ଼ିଶାର ୩ଟି ଡିଭିଜନରୁ ପ୍ରତିବର୍ଷ ରେଳ ବିଭାଗ ୩୦ହଜାର କୋଟି ଟଙ୍କା ନେଉଛନ୍ତି ହେଲେ ସେଇ ଅନୁସାରେ ଓଡ଼ିଶାରେ ରେଳ ପ୍ରକଳ୍ପର ଅଗ୍ରଗତି ହୋଇପାରୁନାହିଁ। ମୁଖ୍ୟମନ୍ତ୍ରୀ ପଦ୍ମପୁର ପାଇଁ ଯାହା ବି ଘୋଷଣା କରିଛନ୍ତି ତାକୁ କେନ୍ଦ୍ରମନ୍ତ୍ରୀ ସ୍ବାଗତ କରିବା କଥା ବୋଲି କହିଛନ୍ତି ସସ୍ମିତ୍ ପାତ୍ର ।

ପଦ୍ମପୁର ଉପନିର୍ବାଚନ ପାଇଁ ବିଜେଡି- ବିଜେପି ମୁହାଁମୁହିଁ ଭିତରେ ଆଜି ଶେଷ ହୋଇଛି ପ୍ରଚାର । ଶେଷ ମୁହୂର୍ତ୍ତରେ ଭୋଟରଙ୍କୁ ନିଜ ସପକ୍ଷରେ ମନାଇବାକୁ ପ୍ରାଣମୂର୍ଚ୍ଛା ଉଦ୍ୟମ କରିଛନ୍ତି ବିଭିନ୍ନ ଦଳର ପ୍ରାର୍ଥୀ ଓ ନେତା । ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସଭା ଓ ଶୋଭାଯାତ୍ରା କରିଥିବା ବେଳେ ପଦ୍ମପୁରର ବିଭିନ୍ନ ସ୍ଥାନରେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ପାଇଁ ପ୍ରଚାର କରିଥିଲେ ବିଜେପିର ଅନ୍ୟ ବରିଷ୍ଠ ନେତା ।

ସେହିଭଳି ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହାଙ୍କ ପାଇଁ ଆଜି ପ୍ରଚାର ମଇଦାନରେ ଥିଲେ ବିଜେଡିର ଅନେକ ହେଭିଓ୍ବେଟ୍ ।  ପାଇକମାଳ ବ୍ଲକର ବିଭିନ୍ନ ପଞ୍ଚାୟତରେ ରୋଡ୍ ଶୋ କରିବା ସହ ବିଭିନ୍ନ ସ୍ଥାନରେ ପଥପ୍ରାନ୍ତ ସଭା କରି ଭୋଟ୍ ମାଗିଥିଲେ ବର୍ଷା । ତାଙ୍କ ସହ ପ୍ରଚାରରେ ସାମିଲ ହୋଇଥିଲେ ମନ୍ତ୍ରୀ ରୀତା ସାହୁ, ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ, ଶ୍ରୀମୟୀ ମିଶ୍ର, ଦିପାଳୀ ଦାସ ପ୍ରମୁଖ।

ସେହିଭଳି ପ୍ରଚାରର ଶେଷ ଦିନରେ କଂଗ୍ରେସ ପ୍ରାର୍ଥୀ ସତ୍ୟ ଭୂଷଣ ସାହୁ ମଧ୍ୟ ଜୋରଦାର ପ୍ରଚାର କରିଥିଲେ । ପାଇକମାଳରେ ଓ ପଦ୍ମପୁର ଝାରବନ୍ଧ ବ୍ଲକର ବିଭିନ୍ନ ପଞ୍ଚାୟତରେ ପ୍ରଚାର କରିଥିଲେ କଂଗ୍ରେସର ବରିଷ୍ଠ ନେତା । ଶେଷ ଥର ପାଇଁ ନିର୍ବାଚନ ଲଢ଼ୁଛି ବୋଲି କହିଥିଲେ ପ୍ରାର୍ଥୀ ସତ୍ୟ ଭୂଷଣ ସାହୁ ।  ପଦ୍ମପୁର ଉପନିର୍ବାଚନ ପାଇଁ ଆଜି ସରିଛି ଘମାଘୋଟ ପ୍ରଚାର । ମଝିରେ ଆଉ ମାତ୍ର ଗୋଟିଏ ଦିନ । ୫ତାରିଖରେ ଭୋଟ୍ ଦେବେ ପଦ୍ମପୁର ଭୋଟର । ନିଜ ମନ ପସନ୍ଦର ବିଧାୟକ ବାଝିବେ । ୮ ତାରିଖରେ ଭୋଟ୍ ଗଣତି ପରେ ଆସିବ ଫଳାଫଳ ।

nis-ad
Leave A Reply

Your email address will not be published.