ସ୍ୱାଧୀନତାର ୭୫ ବର୍ଷ ପରେବି ଅବହେଳିତ ଗାଁ ଗଡ଼ିପଦର,ଗାଁ କୁ ନାହିଁ ଭଲ ରାସ୍ତା, ସରକାରୀ ଯୋଜନା ଏଠି ଧର୍ମକୁ ଆଖି ଠାର…

ପହଞ୍ଚି ପାରୁନି ସରକାରଙ୍କ ମାଳ ମାଳ ଯୋଜନା
ପ୍ରଶାସନ ନିରବ ଦ୍ରଷ୍ଟା..


ଫୁଲବାଣୀ :- ମୌଳିକ ସୁବିଧାରୁ ବଞ୍ଚିତ ଅଞ୍ଚଳବାସୀ। ବିକାଶ ଏଠି ସାତସପନ । ଆର୍ଥୀକ ବର୍ଷ ୨୦୧୫/୧୬ ରୁ ଗ୍ରାମ୍ୟ ଉନ୍ନୟନ ରାସ୍ତାରୁ ଗାଁ ପର୍ଯ୍ୟନ୍ତ ପ୍ରାୟ ୩ କିଲୋମିଟର ରାସ୍ତା ନିର୍ମାଣ ପାଇଁ ୫ଲକ୍ଷ ଟଙ୍କା ମଞ୍ଜୁରୀ ମିଳିଥିଲେ ମଧ୍ୟ ଏଯାବତ୍ କାମ ହୋଇନାହିଁ । ସେପଟେ ଅର୍ଦ୍ଧ ନିର୍ମିତ ପୋଲ ଉପରେ କାଠ ଦିଖଣ୍ଡ ପକାଇ ବିପଦ ସଂକୁଳ ଅବସ୍ଥାରେ ଯାତାୟତ କରୁଛନ୍ତି ଲୋକେ। କନ୍ଧମାଳ ଜିଲ୍ଲା କ.ନୁଆଗାଁ ବ୍ଲକ୍ ଆଡ଼ିମାହା ଗ୍ରାମ ପଞ୍ଚାୟତରୁ ଦେଖିବାକୁ ମିଳିଛି ଏଭଳି ଘଟଣା l ଏ ହେଉଛି କନ୍ଧମାଳ ଜିଲ୍ଲା କ.ନୁଆଗାଁ ବ୍ଲକ୍ ଅନ୍ତର୍ଗତ ଆଡ଼ିମାହା ଗ୍ରାମ ପଞ୍ଚାୟତର ଗଡ଼ିପଦର ଗାଁ ର ଦୃଶ୍ୟ । ଆଡ଼ିମାହା ପଞ୍ଚାୟତ ଗଠନର ଛ ବର୍ଷ ବିତିଯାଇଥିଲେ ମଧ୍ୟ ମୌଳିକ ସୁବିଧାରୁ ବଞ୍ଚିତ ଅଛନ୍ତି ଅଞ୍ଚଳବାସୀ । ଗାଁ କୁ ନାହିଁ ଭଲ ରାସ୍ତାଟିଏ। ଅନ୍ୟପଟେ ଗାଁ ମୁଣ୍ଡ ନାଳ ଉପରେ ଏକ ପୋଲ ଦୀର୍ଘ ବର୍ଷରୁ ଅର୍ଦ୍ଧ ନିର୍ମିତ ଅବସ୍ଥାରେ ପଡ଼ି ରହିଛି। ଫଳରେ ଅଞ୍ଚଳବାସୀ ସେଠାରେ କାଠ ପୋଲ ନିର୍ମାଣ କରି ବିପଦ ସଂକୁଳ ଅବସ୍ଥାରେ ଯାତାୟତ କରୁଥିବା ବେଳେ କୋମଳମତି ଛାତ୍ରଛାତ୍ରୀ ମାନେ ମଧ୍ୟ ଏହି କାଠ ପୋଲ ପାର ହୋଇ ପାଠ ପଢ଼ିବାକୁ ଯାଉଥିବା ଦେଖିବାକୁ ମିଳିଛି। ନା ଅଛି ବିଶୁଦ୍ଧ ପାନୀୟ ଜଳର ବ୍ୟବସ୍ଥା,ନା ମିଳୁଛି ଉପଯୁକ୍ତ ସ୍ବାସ୍ଥ୍ୟ ସେବା। ଫଳରେ ଦୈନନ୍ଦିନ ଜୀବନରେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା କହିଛନ୍ତି ଅଞ୍ଚଳବାସୀ ଓ ଛାତ୍ରଛାତ୍ରୀ । ଆର୍ଥିକ ବର୍ଷ ୨୦୧୫/୧୬ରେ କ.ନୁଆଗାଁ ବ୍ଲକ୍ ଦ୍ବାରା ଗ୍ରାମ୍ୟ ଉନ୍ନୟନ ମୁଖ୍ୟ ରାସ୍ତାରୁ ଗଡ଼ିପଦର ଗାଁ ପର୍ଯ୍ୟନ୍ତ ପ୍ରାୟ ତିନି କିଲୋମିଟର ରାସ୍ତା ନିର୍ମାଣ ପାଇଁ ପାଞ୍ଚ ଲକ୍ଷ ଟଙ୍କା ମଞ୍ଜୁରୀ ହୋଇଛି। ହେଲେ ବର୍ତ୍ତମାନ ସମୟରେ ଛ ବର୍ଷ

ବିତିଯାଇଥିଲେ ମଧ୍ୟ ଯଥା ପୂର୍ବଂ ତଥା ପରଂ । ଖାଲି ଖମା ପଥୁରିଆ ରାସ୍ତା ସହ କାଠ ପୋଲ ଦେଇ ଯାତାୟତ କରୁଥିବା ବେଳେ ବହୁ ସମୟରେ ଅଞ୍ଚଳବାସୀ ଦୁର୍ଘଟଣାର ଶିକାର ହୋଇଥିବା ନଜିର ରହିଛି। ରାସ୍ତା ନଥିବାରୁ ଗାଁ କୁ ପହଁଚି ପାରୁନାହିଁ ଆମ୍ବୁଲାନ୍ସ। ରୋଗୀଙ୍କୁ କାନ୍ଧେଇ ମୁଖ୍ୟ ରାସ୍ତାକୁ ଆଣିବାକୁ ପଡ଼େ ସମ୍ପର୍କୀୟଙ୍କୁ । ଅନ୍ୟପଟେ ଏହି ରାସ୍ତା ନିର୍ମାଣ ହେଲେ ଗଡ଼ିପଦର ଗାଁ ସମେତ

ପାଟାମାହା,ଉଡ୍ରାମାହା,ବ୍ରୁଡାକିଆ,ସୁଟାଙ୍ଗୁଡ଼ୁ ଭଳି ୬/୭ ଟି ଗାଁ ର ପ୍ରାୟ ୨୦୦ ପରିବାର ଉପକୃତ ହୋଇପାରନ୍ତେ। କିନ୍ତୁ ଏନେଇ ଅଞ୍ଚଳବାସୀ ବାରମ୍ବାର ପ୍ରଶାସନ ଓ ଜନ ପ୍ରତିନିଧିଙ୍କ ନିକଟରେ ଦାବୀ ଜଣାଇ ଆସୁଥିଲେ ମଧ୍ୟ ଏଯାବତ୍ ଫଳ ଶୂନ। ଯଥାଶୀଘ୍ର ରାଜ୍ୟ ସରକାର ଏବଂ ଜିଲ୍ଲା ପ୍ରଶାସନ ଅଞ୍ଚଳର ବିକାଶ ପ୍ରତି ଦୃଷ୍ଟି ଦେବାକୁ ଅନୁରୋଧ କରିଛନ୍ତି ଅଞ୍ଚଳବାସୀ । ସେପଟେ ଯଥାଶୀଘ୍ର ଏହି କାର୍ଯ୍ୟ କରାଯିବ ବୋଲି କହିଛନ୍ତି ବିଭାଗୀୟ ଯନ୍ତ୍ରୀ । ହେଲେ ମନ୍ତ୍ରୀଙ୍କ ଏହି ପ୍ରତିଶ୍ରୁତି କେତେ କାର୍ଯ୍ୟକାରୀ ହେଉଛି ଏବଂ ଅଞ୍ଚଳବାସୀଙ୍କ ସମସ୍ୟା କେବେ ସୁଧୁରୁଛି ତାହା ଦେଖିବାକୁ ବାକି ରହିଲା ।

nis-ad
Leave A Reply

Your email address will not be published.