ସମିତି ସଭ୍ୟଙ୍କ ପ୍ରାରମ୍ଭିକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦଯାପିତ

ଦାରିଙ୍ଗବାଡ଼ି, ୧୯/୧୧ : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ସ୍ଥିତ ଜାଗୃତି ସଭାଗୃହ ଠାରେ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ପ୍ରତିଷ୍ଠାନ , ପଞ୍ଚାୟତିରାଜ ବିଭାଗ ଓ ଜିଲ୍ଲା ଡିଆର୍ଡିଏ ର ମିଳିତ ଆନୁକୂଲ୍ୟରର ୩ଦିନ ଧରି ଚାଲିଥିବା ସମିତିସଭ୍ୟ ମାନଙ୍କୁ ପ୍ରାରମ୍ଭିକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦ୍ଦଯାପିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ୧୭ ରିଖ ଠାରୁ ୧୯ ତାରିଖ ଯାଏ ୩ ଦିନ ଧରି ଦୁଇଟି ପଞ୍ଚାୟତ ସମିତି ଯଥା ଦାରିଙ୍ଗବାଡ଼ି ଓ ରାଇକିଆ ବ୍ଲକରୁ ୩୩ ଜଣ ସମିତି ସଭ୍ୟ ଆବାସିକ ତାଲିମରେ ଯୋଗଦେଇ ପ୍ରଶିକ୍ଷଣରେ ଭାଗ ନେଇଛନ୍ତି। ଉକ୍ତ ତାଲିମରେ ତାଲିମଦାତା ଭାବେ ନିରଞ୍ଜନ ବେହେରା ଏବଂ ଦେବେନ୍ଦ୍ର କୁମାର ପଣ୍ଡା ରାଜ୍ୟ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ପ୍ରତିଷ୍ଠାନର ସ୍ୱୀକୃତି ପ୍ରାପ୍ତ ତାଲିମ ଦାତା ୩ ଦିନ ଧରି ତାଲିମକୁ ପରିଚାଳନ କରିଥିଲେ। ଜାଗୃତି ଅନୁଷ୍ଠାନର ସମ୍ପାଦକ ତଥା କାର୍ଯ୍ୟକ୍ରମ ପରିଚାଳକ କୈଳାଶ ଚନ୍ଦ୍ର ଦଣ୍ଡପାଟ ତିନିଦିନିଆ ତାଲିମର ଉଦ୍ଦେଶ୍ୟ ଓ ଏହାକୁ କିପରି ସମସ୍ତଙ୍କ ସହଯୋଗରେ କରାଯିବ ଓ ପଞ୍ଚାୟତକୁ ଏକ ସଶକ୍ତ ପଞ୍ଚାୟତ ଓ ସଶକ୍ତ ଓଡିଶା ଗଠନ କରିବାରେ ସମିତି ସଭ୍ୟଙ୍କ ଭୁମିକା ଉପରେ ଗୁରୁତ୍ୱ ଦେଇ ବକ୍ତବ୍ୟ ରଖିଥିଲେ। ତାଲିମରେ ମୁଖ୍ୟ ବିଷୟ ବସ୍ତୁ ଗୁଡ଼ିକ ହେଲା ପଞ୍ଚାୟତିରାଜ ବ୍ୟବସ୍ଥା, ସଶକ୍ତ ଗ୍ରାମ ସଭା ଓ ପଲ୍ଲୀ ସଭା , ମୋ ସରକାର ୫-ଟି, ଗ୍ରାମ ପଞ୍ଚାୟତର ଆର୍ଥିକ ବ୍ୟବସ୍ଥା, ସ୍ଥାୟୀ କମିଟି, ଅର୍ଥ ଆୟୋଗ ଅନୁଦାନ, ଗ୍ରାମପଞ୍ଚାୟତ ବିକାଶ ଯୋଜନା ସହ ସରକାରଙ୍କ  ୧୧ଟି ବିଭାଗର ଦାୟିତ୍ୱ ରେ ଥିବା ଅଧିକାରୀ ଆସି ବିଭିନ୍ନ ବିଭାଗର ଯୋଜନା , କାର୍ଯ୍ୟକ୍ରମ, ପଞ୍ଚାୟତ ଓ ପଞ୍ଚାୟତ ସମିତିରେ ସମିତି ସଭ୍ୟଙ୍କ ସମନ୍ଵୟରେ କିପରି କାର୍ଯ୍ୟକ୍ରମ ଗୁଡିକ ପ୍ରସାର ହୋଇପାରିବ ପ୍ରଶିକ୍ଷଣ ଶିବିରରେ ଶିକ୍ଷା ଦିଆଯାଇଥିବା ଜାଗୃତି ସମ୍ପାଦକ ଶ୍ରୀ ଦଣ୍ଡପାଟ୍ କହିଛନ୍ତି।
ଏହି କାର୍ଯ୍ୟକ୍ରମ ର ଦ୍ଵିତୀୟ ଦିନରେ ଭାରତୀୟ ପ୍ରଶାସନିକ ସେବା ର ଶିକ୍ଷା ନବିଶମାନେ ସୁଶ୍ରୀ ସନ୍ତୋଷ ଚୌଧୁରୀ, ଶ୍ରୀ ବିନୟକାନ୍ତ, ଶ୍ରୀ ଅଙ୍କିତ ଅଗ୍ରୱାଲ, ସୁଶ୍ରୀ ପ୍ରତିମା ଓ ଶ୍ରୀମତୀ ପୂଜା ସିଂହ, ତାଲିମାର୍ଥୀମାନଙ୍କ ସହିତ ଆଲୋଚନା କରିଥିଲେ।
କାର୍ଯ୍ୟକ୍ରମ ର ଶେଷ ଦିନରେ ଜାତୀୟ ସ୍ୱାସ୍ଥ୍ୟ ମିଶନ, କନ୍ଧମାଳ ର ଜିଲ୍ଲା କାର୍ଯ୍ୟକ୍ରମ ପରିଚାଳକ, ଶ୍ରୀ ମନୋରଞ୍ଜନ ସାହୁ ଓ ମିଶନ ଶକ୍ତି କାର୍ଯ୍ୟକ୍ରମ ର ଜିଲା ସଂଯୋଜକ, ଶ୍ରୀ ସୁନୀଲ କୁମାର ମଲ୍ଲିକ, ତାଲିମାର୍ଥୀମାନଙ୍କୁ ସ୍ୱାସ୍ଥ୍ୟ ଓ ମିଶନ ଶକ୍ତି ଅନ୍ତର୍ଗତ ବିଭିନ୍ନ ଯୋଜନା ଉପରେ ସୂଚନା ଦେଇଥିଲେ। କ୍ଷେତ୍ର ପରିଦର୍ଶନ ରେ ତାଲିମାର୍ଥୀମାନେ ଯାଇ, ଦାରିଙ୍ଗବାଡିସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟ ର ବୈଦୁତିକ ମାଧ୍ୟମରେ ଶିକ୍ଷାଦାନ ତଥା ଶିକ୍ଷା କ୍ଷେତ୍ରରେ ନୂତନ ଜ୍ଞାନ କୌଶଳର ପ୍ରୟୋଗ ବିଷୟରେ ଜାଣିଥିଲେ। ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ରଜତ ବିକ୍ରମ ପ୍ରଧାନ, ତାଲିମାର୍ଥୀମାନଙ୍କୁ ବିଦ୍ୟାଳୟର ବିଭିନ୍ନ ବିଭାଗ ବୁଲାଇ ଦେଖାଇବା ସହ ବୁଝାଇ ଦେଇଥିଲେ।

nis-ad
Leave A Reply

Your email address will not be published.