ସମବାୟ ବିଭାଗ ପ୍ରମୁଖ ଶାସନ ସଚିବଙ୍କ ମାଲକାନଗିରି ଗସ୍ତ ଜିଲ୍ଲାର ବିଭିନ୍ନ ଉନ୍ନୟନ କାମ ନେଇ କଲେ ସମୀକ୍ଷା


ମାଲକାନଗିରି : ଆଜି ରାଜ୍ୟ ସମବାୟ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସଂଜୀବ କୁମାର ଚଢା ତିନିଦିନିଆ ମାଲକାନଗିରି ଗସ୍ତରେ ଆସିଛନ୍ତି । ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲାର ଉନ୍ନୟନ ନେଇ ସମୀକ୍ଷା କରିଥିବା ବେଳେ ଜିଲ୍ଲାପାଳ ଶ୍ରୀ ବିଶାଲ ସିଂ, ଖଣ୍ଡୀୟ ବନ ଅଧିକାରୀ ,ଶ୍ରୀ ପ୍ରତାପ କୋଟାପଲ୍ଲୀ, ଅତିରିକ୍ତ ଜିଲ୍ଲାପାଳ , ଶ୍ରୀ ମହେଶ୍ଵର ଚନ୍ଦ୍ର ନାଏକ ଏବଂ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ , ଶ୍ରୀ ରତ୍ନାକର ସାହୁ ମଞ୍ଚାସୀନ ଥିଲେ । ରାଜ୍ୟ ସରକାର ଶ୍ରୀ ଚଢାଙ୍କୁ ମାଲକାନଗିରି ଜିଲ୍ଲା ନିମନ୍ତେ ନୋଡାଲ ଅଧିକାରୀ ଭାବେ ନିଯୁକ୍ତି କରିଛନ୍ତି ।
ସେ ଏହି ଅବସରରେ ପ୍ରକାଶ କରିଥିଲେ ଯେ ରାଜ୍ୟ ସରକାର ଏହି ଜିଲ୍ଲାର ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ବିଶେଷ ଗୁରୁତ୍ଵ ଦେଉଛନ୍ତି । କୃଷିର ଉନ୍ନତି ନିମନ୍ତେ ସରକାର କ୍ରପ ଡାଇଭରସିଫିକେସନ ଉପରେ ମଧ୍ୟ ଗୁରୁତ୍ଵ ଦେଉଛନ୍ତି । ଯାହା ଫଳରେ ଆଗାମୀ ଦିନରେ ଏହି ଜିଲ୍ଲା ମାଣ୍ଡିଆ ଓ ପୁଷ୍ଟି ଶସ୍ୟ କ୍ଷେତ୍ରରେ ଓଡିଶାରେ ଏକ ହବ ଭାବେ ଉଭା ହୋଇପାରିବ ।
ସେ ଆହୁରି ମଧ୍ୟ କହିଥିଲେ ଯେ ପାକ୍ସ ଓ ଲାମ୍ପରେ କୋର ବ୍ୟାଙ୍କ ବ୍ୟବସ୍ଥା ସହ ଜଡିହେବାରେ ଓଡିଶା ଦେଶରେ ଆଗୁଆ ରହିଛି । ତେଣୁ କ୍ଷେତ୍ର ସ୍ତରରେ ଯେପରି କୌଣସି ଚାଷୀ ଅସୁବିଧାର ଶିକାର ନହୁଅନ୍ତି, ସେଥିପ୍ରତି ଅଧିକାରୀ ମାନେ ତଦାରଖ କରନ୍ତୁ । ପ୍ରତି ପଞ୍ଚାୟତ ଏବଂ ବ୍ଲକରେ ବ୍ୟାଙ୍କ ଲୋନ କ୍ୟାମ୍ପ ମାନ ଆୟୋଜନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏଥିନିମନ୍ତେ ଆଇଇସି କାର୍ଯ୍ୟକ୍ରମ ମାଧ୍ୟମରେ ଚାଷୀଙ୍କୁ ସଚେତନତା ସୃଷ୍ଟି କରିବା ନିମନ୍ତେ କୁହାଯାଇଛି । ଊତ୍ତମ ସ୍ୱାସ୍ଥ୍ୟ ସେବା ପ୍ରଦାନ ନିମନ୍ତେ ପ୍ରତ୍ୟେକ ପିଏଚସିରେ ଭିତ୍ତିଭୂମି ସୁଦୃଢ କରିବା ପାଇଁ ଏଠାରେ ନିର୍ଦ୍ଦେଶ ଦିଆଯାଇଛି । ସେ ପ୍ରତି ଗ୍ରାମ ଏବଂ ହୋଷ୍ଟେଲ ମାନଙ୍କରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ନିମନ୍ତେ ଆରଓ ୱାଟରର ବ୍ୟବସ୍ଥା କରିବା ପାଇଁ ମଧ୍ୟ କହିଛନ୍ତି । ମତ୍ସ୍ୟ ସମ୍ପଦର ପ୍ରୋତ୍ସାହନ ନିମନ୍ତେ ଏକ ରୋଡ ମ୍ୟାପ ପ୍ରସ୍ତୁତ କରିବାକୁ ସେ ସମ୍ପୃକ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଉପଜିଲ୍ଲାପାଳ ଶ୍ରୀ ଅକ୍ଷୟ କୁମାର ଖେମୁଣ୍ଡୁ , ପିଏ ଆଇଟିଡିଏ , ଶ୍ରୀ ତ୍ରିନାଥ ମାଝୀ ଙ୍କ ସମେତ ଜିଲ୍ଲାର ସମସ୍ତ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ । ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନାଏକ ଧନ୍ୟବାଦ ଅର୍ପଣ କରିଥିଲେ ।

nis-ad
Leave A Reply

Your email address will not be published.