ଫାସରେ ପଡି ହାତୀ ମୃତ୍ୟୁ ଘଟଣା, ହରଡଘଣାରେ ବନାଞ୍ଚଳ ଅଧିକାରୀ

ବୁଗୁଡ଼ା : ପୂର୍ବରୁ ମିଳିମିଶି ବନ୍ୟଜନ୍ତୁ ମାଂସ ଖାଉଥିଲେ ,ଏବେ ହାତୀ ମଲା ପରେ ଚେତା ପଶିଲା l ବିଦ୍ୟୁତ ଆଘାତରେ ହାତୀର ମୃତ୍ୟୁ ହୋଇଥିବା ବ୍ୟବଛେଦ ରିପୋର୍ଟ ଆସିଲା ପରେ ତରବରିଆ ଭାବେ ବେଲପଡା ଗ୍ରାମର ୭ ଜଣଙ୍କୁ ଗାଁରୁ ଉଠାଇ ଆଣିଥିଲେ l ସେମାନଙ୍କ ମଧ୍ୟରୁ ଆଜି ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ ହେଁ ଗଣମାଧ୍ୟମକୁ କୌଣସି ଖବର ଦେଉନି ବନ ବିଭାଗ l ପୂର୍ବରୁ ଏମାନଙ୍କ ମଧ୍ୟରୁ କିଛି ଲୋକଙ୍କୁ ଜଙ୍ଗଲ ମାଂସ ବିକ୍ରି ଅଭିଯୋଗରେ ବନ ଅଧିକାରୀ ଧରିଥିଲେ ହେଁ ସେମାନଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ନ ନେଇ ଛାଡି ଦେଇଥିବା ନେଇ ଆଲୋଚନା ହେଉଛି l ଗତ ଛାଡ଼ଖାଇ ଦିନ ଏହି ଶିକାରୀମାନେ ସାପୁଆ ଅଞ୍ଚଳରେ ବାରହା ଶିକାର କରି ଗାଁରେ ମାଂସ ବିକ୍ରି କରିଥିବା ଅଭିଯୋଗ ହୋଇଛି l ପୂର୍ବରୁ ଗ୍ରାମରେ ବୈଠକ ବସି ଏମାନଙ୍କୁ ଗାଁ ନିକଟରେ ବନ୍ୟଜନ୍ତୁ ଶିକାର ପାଇଁ ବିଦ୍ୟୁତ୍ ତାର ନ ବିଛାଇବା ପାଇଁ ମଧ୍ୟ ତାଗିତ କରା ଯାଇଥିଲା । ତଥାପି ବନ କର୍ମଚାରୀଙ୍କ ସହ ହାତ ମିଳାଇ ଏମାନେ ନିର୍ଭୟରେ ଶିକାର କରି ଆସୁଥିଲେ l ଏବେ ହାତୀ ମଲା ପରେ ଆସ୍ତେ ଆସ୍ତେ ସବୁ ଗୁମର ଖୋଲିବାରେ ଲାଗିଛି l ବିଦ୍ୟୁତ୍ ଫାସ ପକାଇଥିବା ମୁଖ୍ୟ ଅଭିଯୁକ୍ତକୁ ଏ ପର୍ଯ୍ୟନ୍ତ ବନ ବିଭାଗ ଧରି ପାରି ନଥିବା ଅଭିଯୋଗ ହୋଇଛି l ବନ ବିଭାଗ ଏବେ ଧରିଥିବା ଅଭିଯୁକ୍ତଙ୍କ ମଧ୍ୟରୁ ୪ ଜଣକ ନାମରେ ପୂର୍ବରୁ ବନ୍ୟ ଜନ୍ତୁ ଶିକାର କରିବା ନେଇ ମାମଲା ଚାଲୁ ରହିଥିବା ଜଣା ପଡିଛି l ପୂର୍ବରୁ ବାଘୁଆ ନିକଟରେ ବିଦ୍ୟୁତ ଫାସରେ ଲାଗି ଗତ ବର୍ଷ ନଭେମ୍ବର ମାସରେ କହେଁଇପୁର ଗ୍ରାମର ଶ୍ରୀକାନ୍ତ ଗୌଡ଼ଙ୍କ ମୃତ୍ୟୁ ଘଟିଥିବା ବେଳେ ପ୍ରକାଶ ଗୌଡ଼ ଗୁରୁତର ଆହତ ହୋଇଥିଲା ଏବଂ ଗୌଡ଼ିଆ ବରୋଦା ପଞ୍ଚାୟତର ଗାନ୍ଧୀ ନଗର ଗ୍ରାମରେ ବିଦ୍ୟୁତ ଫାସରେ ଲାଗି ଗତ ବର୍ଷ ଡିସେମ୍ବର ମାସରେ ରଜନୀ ସ୍ବାଇଁ ନାମ୍ନୀ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିଲା l ବିଦ୍ୟୁତ ଫାସ ପକାଇ ପ୍ରତିଦିନ ବାନ୍ୟଜନ୍ତୁ ଶିକାର ଚାଲିଛି ହେଁ ସ୍ଥାନୀୟ ବନାଞ୍ଚଳ ଅଧିକାରୀ ଧୃତରାଷ୍ଟ୍ର ସାଜିଥିବା ନେଇ ସାଧାରଣରେ ଅଭିଯୋଗ ହେଉଥିବା ଜଣାଯାଇଛି ।

nis-ad
Leave A Reply

Your email address will not be published.