ଚିତ୍ର ବହୁତ କଥା ସୂଚୀତ କରେ: ଜିଲ୍ଲାଜର୍ଜ୍ ଶତୀକଣ୍ଠ…

ଫୁଲବାଣୀ: ସୃଜନଶୀଳତା (କ୍ରିଏଟିଭିଟି) ସାହାସ ଦେଇଥାଏ । ସେହି ସୃଜନଶୀଳତାକୁ ସମ୍ମାନ ଦେବାର ସମୟ ଏବେ ଆସିଯାଇଛି । ଆଗାମୀ ଶିଶୁ ଦିବସ, ୨୦୨୨ ପାଳନ ଉଦ୍ଦେଶ୍ୟରେ ଜିଲ୍ଲା ଅଦାଲତ ପରିସରରେ କନ୍ଧମାଳ ଜିଲ୍ଲାର ସମସ୍ତ ବ୍ଲକରୁ ଆସିଥିବା ଅଷ୍ଟମରୁ ଦଶମ ଶ୍ରେଣୀ ପିଲାମାନଙ୍କ ମଧ୍ୟରେ ଚିତ୍ରାଙ୍କନ ତଥା ପେଣ୍ଟି ପ୍ରତିଯୋଗିତା ଆଜି ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ଟ୍ରଫି, ପ୍ରମାଣ ପତ୍ର ଓ ପୁରସ୍କାର ପ୍ରଦାନ କରିବା ସହିତ ଭାଗନେଇଥିବା ପ୍ରତ୍ୟେକ ପ୍ରତିଯୋଗୀଙ୍କୁ ଅଂଶଗ୍ରହଣ ପ୍ରମାଣପତ୍ର ଓ ପୁରସ୍କାର ପ୍ରଦାନ ଉଦ୍ଦେଶ୍ୟରେ ଅଦାଲତ ପରିସରରେ ଥିବା ସମ୍ମିଳନୀ କକ୍ଷରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଜଜ୍ ଶୀତକଣ୍ଠ ସାମଲ ଏଥିରେ ଅଧ୍ୟକ୍ଷତା କରି କହିଲେ ଯେ, ଚିତ୍ର ବହୁତ କଥା ସୂଚୀତ କରେ । ପାଠ ପଢ଼ାଇବା ଅପେକ୍ଷା ଚିତ୍ର ଦେଖାଇବା ଦ୍ୱାରା ପିଲାମାନେ ଅଧ୍ଵକ କଥା ମନେ ରଖିପାରନ୍ତି । କାରଣ, ପିଲାମାନେ ଚିତ୍ରଗୁଡ଼ିକୁ ତାଙ୍କ ହୃଦୟ ଭିତରକୁ ନେଇଯାଆନ୍ତି ଏବଂ ମଝିରେ ମଝିରେ ମନ ଚକ୍ଷୁ ସାହାଯ୍ୟରେ ସେଗୁଡ଼ିକୁ ଦେଖିପାରିବା ଦ୍ଵାରା ଭଲରେ ମନେ ରହିଯାଇଥାଏ । ସେହିପରି ଭାଷଣ ଅପେକ୍ଷା ଚିତ୍ର ମାଧ୍ୟମରେ ଦିଆଯାଉଥିବା ବାର୍ତ୍ତା ଗୁଡ଼ିକ ମଧ୍ୟ ଲୋକମାନଙ୍କୁ ଅଧିକ ପ୍ରଭାବିତ କରେ ବୋଲି ମାନନୀୟ ଜିଲ୍ଲା ଜଜ୍ କହିଥିଲେ । କନ୍ଧମାଳ ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ୍ ପାଟିଲ୍ ଆଶିଷ ଇଶ୍ଵର କହିଲେ, କଳା ଓ ସଂସ୍କୃତିରେ ଆମ ଜିଲ୍ଲା ଓଡ଼ିଶାର ଅନ୍ୟ ଜିଲ୍ଲା ତୁଳନାରେ ପ୍ରମୁଖ ସ୍ଥାନ ଅଧିକାର କରିପାରିଛି । ପିଲାମାନଙ୍କର ପ୍ରତିଭା ଚୟନ ନିଶ୍ଚିତଭାବେ ସେମାନଙ୍କୁ ଆହୁରି ଆଗକୁ ନେଇପାରିବା ସହିତ ନିଜ ନିଜର ଦକ୍ଷତା ଅନୁଶାରେ ସେମାନେ ସେମାନଙ୍କର ଭବିଷ୍ୟତ ଗଢ଼ିପାରିବେ । କନ୍ଧମାଳ ଆରକ୍ଷୀ ଅଧୀକ୍ଷକ ଭିନିତ୍ ଅଗ୍ରୱାଲ୍ ଥିମକୁ ଭଲରେ ବୁଝିପାରୁଥିବା ପିଲାମାନଙ୍କର କ୍ରିଏଟିଭିଟି ମଧ୍ୟ ଉଚ୍ଚମାନର ହୋଇପାରିବ ବୋଲି କହିଥିଲେ । ତେବେ ଜିଲ୍ଲାର ଛାତ୍ରଛାତ୍ରୀ ମାନଙ୍କର ଲୁକ୍କାୟିତ ଥିବା ପ୍ରତିଭାକୁ ଲୋକଲୋଚନକୁ ଆଣିବାକୁ ପ୍ରୟାସ କରିଥିବାରୁ କୃତଜ୍ଞତା ଜଣାଇଥିଲେ। ବାର ଆସୋସିଏସନ୍‌ର ସଭାପତି ବିଜୟ କୁମାର ମହାନ୍ତି ଓଡ଼ିଶାର କଳା ଓ ସଂସ୍କୃତି ସାରା ଭାରତରେ ଉଦାହରଣ ସୃଷ୍ଟି କରିପାରିଛି ବୋଲି କହିଥିଲେ । ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ଷଡ଼ଙ୍ଗୀ ଆଜିର ଏହି ଚିତ୍ରାଙ୍କନ ପ୍ରତିଯୋଗିତାକୁ ପ୍ରତିଭା ଚୟନର କର୍ମଶାଳା ଏବଂ ଏହା ଶିକ୍ଷାର ଏକ ଅଂଶ ବୋଲି କହିଥିଲେ । ବାଟାଗୁଡ଼ା’ ସରକାରୀ ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀର ଛାତ୍ର ଧର୍ମେନ୍ଦ୍ର ପ୍ରଧାନ ପ୍ରଥମ ସ୍ଥାନ ଅଧିକାର କରିଥିବାବେଳେ ଫୁଲବାଣୀ ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଛାତ୍ର ଲିଚୁନ କୁମାର କର ଓ ବିକାଶ ରଞ୍ଜନ କର ଯଥାକ୍ରମେ ଦ୍ବିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ ।ଏହି ବୈଠକରେ ଅତିରିକ୍ତ ଜିଲ୍ଲା ଜଜ୍(ଆଡହକ୍), ଫାଷ୍ଟ ଟ୍ରାକ୍ ସ୍ଵତନ୍ତ୍ର କୋର୍ଟ, ଫୁଲବାଣୀ ଭାଷ୍କର ଚନ୍ଦ୍ର ସାହୁ, ଅତିରିକ୍ତ ଜିଲ୍ଲା ଜଜ୍ ସ୍ମୃତିଲେଖା ବାରିକ, ସ୍ଵତନ୍ତ୍ର ଜଜ୍ (ପି.ଓ.ସି.ଏସ୍.ଓ.) ଅଦାଲତ, ଫୁଲବାଣୀ ସଞ୍ଜିତ୍ ବେହେରା, ସି.ଜେ.ଏମ୍., ଫୁଲବାଣୀ ସୈକତ୍ ପାତ୍ର, ଜିଲ୍ଲା ବାର୍ ଆସୋସିଏସନ୍‌ ସମ୍ପାଦକ ଦୁର୍ଗାଶଙ୍କର ପଟ୍ଟନାୟକ ଦେୱାନୀ ଅଦାଲତର ରେଜିଷ୍ଟ୍ରାର ସି.ଏ. ଦେଶପ୍ରିୟ ବାରିକ, ଏସ୍.ଡି.ଜେ.ଏମ୍. ଫୁଲବାଣୀ ଅରିଜିତ୍ ଦାଶ, ଜେ.ଏମ୍. ଏଫ୍.ସି., ଫୁଲବାଣୀ ସୌମ୍ୟଶ୍ରୀ ମହାପାତ୍ର, ପ୍ରୋବେସନ୍‌ରେ ଥିବା ସିଭିଲ୍‌ ଜଜ୍ ସ୍ଵାଗତିକା ସ୍ବାଇଁଙ୍କ ସମେତ ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ, ଜୁଡିସିଆଲ ଅଧିକାରୀ, ଆଡ୍‌ଭକେଟ, ଏବଂ ଗଣମାଧ୍ୟମର ପ୍ରତିନିଧିମାନେ ଯୋଗ ଦେଇଥିଲେ। ସଚିବ, ଜିଲ୍ଲା ଆଇନ ସେବା ପ୍ରାଧିକରଣ, କନ୍ଧମାଳ,ଫୁଲବାଣୀ ଅନୁଶୀଳା ରୟ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବାବେଳେ ସୌମ୍ୟଶ୍ରୀ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

nis-ad
Leave A Reply

Your email address will not be published.