ଚନ୍ଦ୍ର ଗ୍ରହଣର ଖଣ୍ଡ ଯୁଦ୍ଧକୁ ନେଇ G.A.S.S.,ଓଡିଶା ତରଫରୁ ଜାରି ହୋଇଛି ପ୍ରେସ ବିଜ୍ଞପ୍ତି

ଭୁବନେଶ୍ବର(୦୯/୧୧) : ହେତୁବାଦୀ ଏବଂ ପରମ୍ପରାବାଦୀଙ୍କ ମଧ୍ୟରେ ଦେଖା ଯାଇଥିବା ଘଟଣାକୁ ନେଇ G.A.S.S.,ଓଡିଶା ତରଫରୁ ଆଜି ପ୍ରେସ ବିଜ୍ଞପ୍ତି ଜାରି କରାଯାଇଛି। ଜାରି ହୋଇଥିବା ବିଜ୍ଞପ୍ତି ମୁତାବକ; “ଗଣତାନ୍ତ୍ରିକ ଅଧିକାର ସୁରକ୍ଷା ସଙ୍ଗଠନ ଗଲା ନଭେମ୍ବର ୦୮, ୨୦୨୨ ଦିନ ଭୁବନେଶ୍ଵରର ଲୋହିଆ ଏକାଡେମି ଓ ବ୍ରହ୍ମପୁର ଠାରେ ହେତୁବାଦୀଙ୍କ ଉପରେ ଏକ ନିର୍ଦ୍ଦିଷ୍ଟ ଧର୍ମୀୟ ସଙ୍ଗଠନ ଦ୍ଵାରା ହିନ୍ଦୁ ପରମ୍ପରାର ସୁରକ୍ଷା ଆଳରେ ଆକ୍ରମଣକୁ ଅତ୍ୟନ୍ତ ନିନ୍ଦନୀୟ ଘଟଣା ବୋଲି ବ୍ୟକ୍ତ କରିବା ସହ କେବଳ ଚନ୍ଦ୍ର ଗ୍ରହଣ ସମୟର ‘ପାକତ୍ୟାଗ’ ନୀତିକୁ କାର୍ଯ୍ୟକାରୀ ନକରିବା ହେତୁ ଯେ ଏପରି ଆକ୍ରମଣ ହୋଇଛି ତାହା ନୁହେଁ ବୋଲି ଦର୍ଶାଇଛନ୍ତି । ବୈଜ୍ଞାନିକ ଭାବନା ଉପରେ ରୂଢିବାଦର ବିଜୟ ଘଟାଇବା, ସମ୍ବିଧାନରେ ଦିଆଯାଇଥିବା ‘ବୈଜ୍ଞାନିକ ମନୋଭାବର ପ୍ରସାର ଘଟାଇବା’ ପ୍ରତିଶୃତିରେ ବାଧା ଆଣିବା, ସମାଜରେ ହିନ୍ଦୁ ଧର୍ମ ମଧ୍ୟରେ ଅନେକ ଧାରା ରହିଥିଲେ ମଧ୍ୟ ସମସ୍ତଙ୍କୁ ଜ୍ଯୋତିଷ ଶାସ୍ତ୍ର ମଧ୍ୟରେ ସୀମିତ କରିଦେବା ଓ ସମାଜରେ ପ୍ରଗତିଶୀଳ ଚିନ୍ତାଧାରା ଉପରେ ବିରତି ଆଣିବା ଏହି ଆକ୍ରମଣର ଉଦ୍ଦେଶ୍ୟ ବୋଲି ପ୍ରକାଶ କରିବା ସହ ‘ଗଣତାନ୍ତ୍ରିକ ଅଧିକାର ସୁରକ୍ଷା ସଙ୍ଗଠନ’ ଏହାକୁ ଦୃଢ ଭାବରେ ନିନ୍ଦା କରିବା ସହିତ ଆକ୍ରମଣକାରୀଙ୍କୁ ଗିରଫ କରିବା ନିମନ୍ତେ ଦାବି କରାଯାଇଛି।
ଏହା ସହ ଜ୍ଯୌତିର୍ବିଦ୍ ଙ୍କ ଦ୍ଵାରା ପାକତ୍ୟାଗକୁ ହେତୁବାଦୀଙ୍କ ବିରୋଧ ଏକ ସଚେତନ ନାଗରିକର ଉଦ୍ୟମ ତଥା ସୂର୍ଯ୍ୟ ପରାଗ ଓ ଚନ୍ଦ୍ର ଗ୍ରହଣ ସମୟରେ ଜ୍ଯୌତିଷମାନଙ୍କ ‘ପାକତ୍ୟାଗ’ ବିଚାର ଯେ ଅବୈଜ୍ଞାନିକ ଓ ଏହି ସମୟରେ ଖାଦ୍ଯଗ୍ରହଣ କରିବା ଦ୍ଵାରା ଯେ ଶରୀରରେ କୌଣସି କ୍ଷତି ହୁଏ ନାହିଁ ସେହି ବିପଦକୁ (ଜ୍ଯୋତିଷଙ୍କ ଦୃଷ୍ଟିରେ) ନିଜେ ବରଣ କରି ସମାଜକୁ ବୈଜ୍ଞାନିକ ଓ ପ୍ରଗତିଶୀଳ ରାସ୍ତାରେ ନେଇଯିବା ହେତୁବାଦୀ-ସମାଜ ସଂସ୍କାରକଙ୍କ ଉଦ୍ୟମ ଥିଲା ଏବଂ ଗଣତାନ୍ତ୍ରିକ ଅଧିକାର ସଙ୍ଗଠନ ଭାବରେ ଏଭଳି ଉଦ୍ୟମକୁ ସେମାନେ ସମର୍ଥନ କରିଆସିଛନ୍ତି ବୋଲି ଦର୍ଶାଇଛନ୍ତି । ଏହା ଛଡ଼ା ଅତୀତରେ, ସେହିଭଳି ସମାଜ ସଂସ୍କାରକଙ୍କ ଉଦ୍ୟମ ହେତୁ ସାମ୍ପ୍ରତିକ ସମାଜ ଅନେକ ସୁବିଧା ପାଇଛି ଯେପରିକି ସ୍ଵାମୀର ମୃତ୍ୟୁ ପରେ ମହିଳା କ’ଣ ଖାଇବ-ପିନ୍ଧିବ-ରହିବ-ଚିତାରେ ଜାଳିବାର ଦୃଢ ପାରମ୍ପରା ଓ ନାବାଳିକା ବିବାହ ପରମ୍ପରାର ଉଚ୍ଛେଦ ସାଙ୍ଗକୁ ସମାଜରେ ଜାତି ଧର୍ମ ଲିଙ୍ଗ ପ୍ରଭେଦରୁ ମୁକ୍ତି, ସମସ୍ତଙ୍କୁ ଶିକ୍ଷା ଓ କର୍ମନିଯୁକ୍ତିର ଅଧିକାର ଦେବା କ୍ଷେତ୍ରରେ ଆମ ସମାଜ ଜ୍ୟୋତିବା ଫୁଲେ, ସାବିତ୍ରୀ ଫୁଲେ, ରାମମୋହନ ରାୟ, ପେରିୟାର, ଭୀମ ଭୋଇ, ଆମ୍ବେଦକର, ରମା ଦେବୀ, ସରଳା ଦେବୀ ଇତ୍ୟାଦି ସମାଜ ସଂସ୍କାରକଙ୍କ ନିକଟରେ ଋଣିଥିବା ଦ୍ୱାହି ଦେଇ ଅତୀତରେ ସେହିମାନଙ୍କ ଉଦ୍ୟମ ହେତୁ ଅନେକ ପ୍ରଗତିଶୀଳ ପ୍ରସଙ୍ଗ ଆମ ସମ୍ବିଧାନରେ ସ୍ଥାନିତ ହୋଇପାରିଥିବା ସୂଚାଇଛନ୍ତି ।
ଏହା ସହ ରାଜ୍ୟ ସରକାରଙ୍କ ଦ୍ଵାରା ସମଗ୍ର ଭାରତରେ ପ୍ରଥମ ରାଜ୍ୟ ଭାବରେ ସୂର୍ଯ୍ୟ ପରାଗ ଦିନ ‘ହାଣ୍ଡିଛାଡ’ ନାମରେ ଛୁଟି ଘୋଷଣା କରିବାରୁ ଆଜିର ଏହି ବିବାଦ ଆରମ୍ଭ ହୋଇଥିବା ସିଧା ସଳଖ ଆରୋପ ଆଣିଛନ୍ତି । ‘ହାଣ୍ଡିଛାଡ’ ନୀତି ନା’ ଅନ୍ୟ କୌଣସି ଧର୍ମରେ ଅଛି ନା’ ଆମ ସମାଜର ଅନ୍ୟ ସମସ୍ତ ଗୋଷ୍ଠୀ ମଧ୍ୟରେ ରହିଥିବାର ପ୍ରଶ୍ନ ଉଠାଇଛନ୍ତି । ସମାଜରେ ଧର୍ମ ନାମରେ ବିଭାଜନ କରିବାର ଏହି କ୍ରିୟା ଦ୍ଵାରା ଆଜି ସକ୍ରିୟ ହୋଇ ଯେଉଁମାନେ ଆକ୍ରମଣ କରିଛନ୍ତି ସେହିମାନଙ୍କ ବିଚାରର ଲୋକେ ଦିନେ ନରେନ୍ଦ୍ର ଦଭୋଲକର (ମହାରାଷ୍ଟ୍ର/୨୦୧୩), ଏମଏମ କାଲବୁର୍ଗୀ (କର୍ଣ୍ଣାଟକ/୨୦୧୫), ଗୋବିନ୍ଦ ପାନସାରେ (ମହାରାଷ୍ଟ୍ର/୨୦୧୫) ଓ ଗୌରି ଲଙ୍କେଶଙ୍କୁ (କର୍ଣ୍ଣାଟକ/୨୦୧୭) ହତ୍ୟା କରାଯାଇଥିବା ଦୃଷ୍ଟାନ୍ତ ଦାଖଲ କରିଛନ୍ତି ।
ଏଭଳି ପରିପ୍ରେକ୍ଷୀରେ ସଂଗଠନର ସଭାପତି ଗୋଲକ ବିହାରୀ ନାଥ ତଥା ସାଧାରଣ ସମ୍ପାଦକ ଦେବ ରଞ୍ଜନଙ୍କ ତରଫରୁ ଦାବି କରାଯାଇଛି ଯେ, ରାଜ୍ୟ ସରକାର ସମସ୍ତ ପ୍ରକାରର ଧର୍ମୀୟ ଆନୁଷ୍ଠାନିକ କାର୍ଯ୍ୟକଳାପରୁ ନିଜକୁ ନିବୃତ୍ତ ରଖି ଆକ୍ରମଣକାରୀଙ୍କୁ ତୁରନ୍ତ ଗିରଫ କରି ସମ୍ବିଧାନର ମୂଳ ଘୋଷଣାନାମା ଆଡକୁ ସମାଜକୁ ନେବାର ସମୟ ଆସିଥିବା ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ।

nis-ad
Leave A Reply

Your email address will not be published.