ଦୁର୍ନୀତି ଦେଶ ତଥା ରାଜ୍ୟର ବିକାଶରେ ଅନ୍ତରାୟ ସୃଷ୍ଟି କରୁଛି

ଫୁଲବାଣୀ ୦୫/୧୧ : କେନ୍ଦ୍ରୀୟ ଦୁର୍ନୀତି ନିବାରଣ ଆୟୋଗଙ୍କ ନିଷ୍ପତି ଓ ରାଜ୍ୟ ଦୁର୍ନୀତି ନିବାରଣ ନିର୍ଦ୍ଦେଶାଳୟଙ୍କ ନିର୍ଦ୍ଦେଶ କ୍ରମେ କନ୍ଧମାଳ ଜିଲ୍ଲା ସଦର ମହକୁମା ଫୁଲବାଣୀ ସମେତ ଜିଲ୍ଲାର ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନ ମାନଙ୍କରେ ଦୁର୍ନୀତି ନିବାରଣ ସପ୍ତାହ ୨୦୨୨ ପାଳିତ ହୋଇଯାଇଛି । ସପ୍ତାହର ପ୍ରଥମ ଦିନ ଅର୍ଥାତ୍ ୩୧.୧୦.୨୦୨୨ ରିଖ ପୂର୍ବାହ୍ନ ୧୧ ସମୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଭିଡିଓ କନ୍‌ଫରେନ୍ସି ମାଧ୍ୟମରେ ଶପଥ ପାଠ କରାଇବା ପରେ ପରେ ଜିଲ୍ଲାର ସମସ୍ତ ସରକାରୀ ତଥା ବେସରକାରୀ କାର୍ଯ୍ୟାଳୟ ଏବଂ ଶିକ୍ଷାନୁଷ୍ଠାନ ମାନଙ୍କରେ ଶପଥ ପାଠ କରାଯାଇଥିଲା।ଏହି ସପ୍ତାହ ପାଳନ ଅବସରରେ ଆଜି ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଚଳିତ ବର୍ଷର ବାର୍ତ୍ତା ଭ୍ରଷ୍ଟାଚାର ମୁକ୍ତ ଭାରତ- ବିକଶିତ ଭାରତ ‘’ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥୁଲା । ମାନନୀୟା ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ ନନ୍ଦିନୀ ମଲ୍ଲିକ ନୀତିରୁ ବାହାରି ଦୁର୍ନୀତିକୁ ନ ଆପଣେଇବା ପାଇଁ ଅନୁରୋଧ କରିଥିଲେ । ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ଏଥିରେ ସାମିଲ କରିଥିବାରୁ ସେ ପ୍ରଶଂସା କରିଥିଲେ । କାରଣ ଏହିମାନେହିଁ କାଲି ଦେଶର ଭବିଷ୍ୟତ ଗଢ଼ିବେ। ଏମାନେ ନିଜେ ନିଜେ ସଚେତନ ହୋଇ ନିଜ ନିଜର ସମ୍ପର୍କୀୟମାନଙ୍କୁ ମଧ୍ୟ ସଚେତନ କରିପାରିବେ । କନ୍ଧମାଳ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବସନ୍ତ କୁମାର ସାହୁ କହିଲେ, ଆଜିର ଆଲୋଚନା ଉପସ୍ଥିତ ପିଲାମାନଙ୍କ ଉପରେ ନିଶ୍ଚିତ ଭାବେ ପ୍ରଭାବ ପକାଇପାରିବ। କାରଣ ଅସତ୍ ଉପାୟରେ ଅର୍ଥ ରୋଜଗାର କରିବାଭଳି ହୀନ ମାନସିକତା ସେମାନଙ୍କର ନାହିଁ। ସେମାନେ ଏବେ ଅଧ୍ୟୟନ କରି ଏକ ଉଜ୍ଜ୍ୱଳ ଭବିଷ୍ୟତ ଗଢ଼ିବା ମାନସିକତାରେ ଅଛନ୍ତି । ତା’ ଛଡ଼ା ସେମାନେ ଦେଖୁଛନ୍ତି ବା ସାଧାରଣରେ ଚର୍ଚ୍ଚା ହେଉଛି ଯେ, ଅସତ ଉପାୟରେ ବହୁ ଅର୍ଥ ରୋଜଗାର କରୁଥିବା ବ୍ୟକ୍ତି ନିଜେ ଶାନ୍ତିରେ ରହିପାରୁନି, ଶାନ୍ତିରେ ଖାଇପାରୁନି ଏପରିକି ଶାନ୍ତିରେ ଟିକେ ଶୋଇ ବି ପାରୁନି । ଏବେ ସରକାର ଦୁର୍ନୀତିରେ ଲିପ୍ତ ଅଧିକାରୀ ତଥା କର୍ମଚାରୀମାନଙ୍କୁ ବିନା ପ୍ରମାଣରେ କାର୍ଯ୍ୟରୁ ବହିଷ୍କାର କରୁଛନ୍ତି । ଅତିରିକ୍ତ ନିର୍ବାହୀ ଅଧିକାରୀ,ପ୍ରକଳ୍ପ ନିର୍ଦ୍ଦେଶକ (ପ୍ରଶାସନ), ଜିଲ୍ଲା ପରିଷଦ କନ୍ଧମାଳ ଶ୍ରୀ ହରପ୍ରସାଦ ଭୋଇ ଦୁର୍ନୀତି ଦେଶ ତଥା ରାଜ୍ୟର ବିକାଶରେ ଅନ୍ତରାୟ ସୃଷ୍ଟି କରୁଛି ବୋଲି କହିଥିଲେ । ସ୍ଵତନ୍ତ୍ର ସାଧାରଣ ଅଭିଯୋଜକ, ଫୁଲବାଣୀ ଶ୍ରୀ ବିଜୟକୃଷ୍ଣ ପଟ୍ଟନାୟକ କହିଲେ ଦୁର୍ନୀତି ମାନସିକତା ଥିବା ଲୋକ ଯେଉଁ ସ୍ଥାନକୁ ଗଲେବି ଦୁର୍ନୀତି ହିଁ କରିବ। କେବଳ ପିଲାମାନେ ଚାହିଁଲେ ସେମାନଙ୍କର ପିତାମାତାଙ୍କର ଦୁର୍ନୀତି ଖୋର ମାନସିକତାକୁ କେତେକାଂଶରେ ରୋକି ପାରିବେ। ଦୁର୍ନୀତି ‘ ନିବାରଣର ବିଭିନ୍ନ ଦିଗ ଉପରେ ସେ ଅଲୋଚନା କରିଥିଲେ। ସେହିପରି ଦୁର୍ନୀତି ନିବାରଣ ସାଧାରଣ ଅଭିଯୋଜକ ଭି.ଭି. ରାମଦାସ ଦୁର୍ନୀତି କ’ଣ ଓ ତା’ର ପ୍ରକାରଭେଦ ଉପରେ ଆଲୋଚନା କରିଥିଲେ । ସେ କହିଲେ, ମାଗଣାରେ ସେବା ଯୋଗାଇବା ପାଇଁ ନଯୁକ୍ତି ପାଇଥିବା ବ୍ୟକ୍ତି ଯଦି ସେ ବାବଦରେ କିଛି ଆଶା କରେ ତାହା ହେଉଛି ଦୁର୍ନୀତି ସେ ଅର୍ଥ ହେଉ ବା ଜିନିଷ ଆକାରରେ ହେଉ । ତେବେ ଏହିଭଳି ମାନସିକତାକୁ ବଦଳାଇବା ପାଇଁ ସଚେତନତା ଆବଶ୍ୟକ ବୋଲି ସେ କହିଥିଲେ । ସଚେତନତା ବୃଦ୍ଧି ପାଇଁ ଉଚ୍ଚ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରରେ ଚଳିତ ବର୍ଷର ବାର୍ତ୍ତା ଉପରେ ବକ୍ତୃତା ପ୍ରତିଯୋଗିତା କରାଯାଇଥିଲା। ଏହି ପ୍ରତିଯୋଗିତା ଗୁଡ଼ିକର ବିଜେତା ମାନଙ୍କୁ ଅତିଥୁମାନଙ୍କ ଦ୍ବାରା ଟ୍ରଫି ଓ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ଆଜି ପୂର୍ବାହ୍ନରେ ଦୁର୍ନୀତି ନିବାରଣ ସଚେତନତା ପାଇଁ ଶତାଧିକ ସ୍ବୟଂ ସହାୟିକା ଗୋଷ୍ଠୀ ଏବଂ ତାଙ୍କ ଫେଡେରେସନ୍ ସଦସ୍ୟମାନଙ୍କୁ ନେଇ ଏକ ଶୋଭାଯାତ୍ରା ଜିଲ୍ଲା ପରିଷଦ କାର୍ଯ୍ୟାଳୟରୁ ବାହରି ସହର ପରିକ୍ରମା କରିଥିଲା । ଜିଲ୍ଲା ପରିଷଦ ଅଧ୍ୟକ୍ଷା ଏବଂ ଅତିରିକ୍ତ ଜିଲ୍ଲାପାଳ ମିଳିତ ଭାବେ ଏହାକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଉପ-ଆରକ୍ଷୀ ଅଧ୍ୟକ୍ଷକ, ଦୁର୍ନୀତି ନିବାରଣ ଶାଖା, ଫୁଲବାଣୀ ଶ୍ରୀ ଅରୁଣ କୁମାର ନାୟକ ପ୍ରାରମ୍ଭିକ ସଂଭାଷଣ ପ୍ରଦାନ କରିଥିବାବେଳେ ଦୁର୍ନୀତି ନିବାରଣ ନିରୀକ୍ଷକ, ଫୁଲବାଣୀ କୁମୁଦିନୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଆଲୋଚନାଚକ୍ରରେ ସରକାରୀ ଓ ବେସରକାରୀ ଅଧିକାରୀ, ବରିଷ୍ଠ ନାଗରିକ, ଛାତ୍ରଛାତ୍ରୀ ଓ ଗଣମାଧ୍ୟମର ପ୍ରତିନିଧିମାନେ ଯୋଗଦେଇଥିଲେ।

nis-ad
Leave A Reply

Your email address will not be published.