ଇଡିର ସମନ ସତ୍ତ୍ୱେ ହାଜର ହେଲେନି, ଗିରଫ ପାଇଁ ଚ୍ୟାଲେଞ୍ଜ ଦେଲେ ହେମନ୍ତ ସୋରେନ

ରାଞ୍ଚି: କେନ୍ଦ୍ର ଓ ଝାରଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ମଧ୍ୟରେ ବିବାଦ ତୀବ୍ର ହୋଇଛି। କୋଇଲା ଦୁର୍ନୀତି ଘଟଣାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ହେମନ୍ତ ସୋରେନଙ୍କୁ ଆଜି ରାଞ୍ଚି କାର୍ଯ୍ୟାଳୟରେ ହାଜର ହେବାକୁ ସମନ କରିଥିଲା। ତେବେ ସେ ସମନ ଅନୁସାରେ ଜେରା ପାଇଁ ଆଜି ଇଡି କାର୍ଯ୍ୟାଳୟରେ ହାଜର ହୋଇନାହାନ୍ତି। ସେ ହାଜର ନ ହୋଇ କେନ୍ଦ୍ର ସରକାର ଓ ଇଡିକୁ ଗିରଫ ପାଇଁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି।

ଇଡି ଓ କେନ୍ଦ୍ରକୁ ଟାର୍ଗେଟ କରି ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ କହିଛନ୍ତି, “ଯଦି ମୁଁ ଦୋଷୀ, ତା’ହେଲେ କାହିଁକି ଆପଣ ମୋତେ ପ୍ରଶ୍ନ କରିବେ? ଆପଣ ଆସନ୍ତୁ ଓ ଦମ ଅଛି ଯଦି ମୋତେ ଗିରଫ କରନ୍ତୁ। ଜଣେ ଆଦିବାସୀ ମୁଖ୍ୟମନ୍ତ୍ରୀଙ୍କୁ ହଇରାଣ କରିବାକୁ ହୋଇଥିବା ଷଡ଼ଯନ୍ତ୍ରର ଏହା ଏକ ଉଦାହରଣ।

ବିଜେପି କେନ୍ଦ୍ରୀୟ ଏଜେନ୍ସି ଗୁଡ଼ିକର ଅପବ୍ୟବହାର କରି ଗଣତାନ୍ତ୍ରିକ ଉପାୟରେ ନିର୍ବାଚିତ ଝାରଖଣ୍ଡ ସରକାରରେ ଅସ୍ଥିରତା ସୃଷ୍ଟି କରୁଛି। ମୁଁ ଇଡି ଓ ସିବିଆଇକୁ ଆଦୌ ଡରେନାହିଁ। ବିରୋଧୀଙ୍କ ସ୍ୱରକୁ ଚାପି ଦେବା ପାଇଁ କେନ୍ଦ୍ର ସରକାର ସାମ୍ବିଧାନିକ ସଂସ୍ଥାର ଅପବ୍ୟବହାର କରୁଛନ୍ତି। କିନ୍ତୁ ଏହି ଷଡ଼ଯନ୍ତ୍ରକୁ ଉଚିତ ଜବାବ ମିଳିବ।”

କୋଇଲା ମାଇନିଂ ଦୁର୍ନୀତି ଘଟଣାରେ ନିଜେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ସାମିଲ ଥିବା ଇଡି ଆଶଙ୍କା କରିଛି। ଏଥିପାଇଁ ଆଜି ତାଙ୍କୁ ଏ ପ୍ରସଙ୍ଗରେ ଇଡିର ଅଧିକାରୀମାନେ ଜେରା କରିବାକୁ ଚାହୁଁଥିଲେ। ହେମନ୍ତ ସୋରେନଙ୍କୁ ରାଞ୍ଚି ସ୍ଥିତ ଇଡି କାର୍ଯ୍ୟାଳୟରେ ହାଜର ହେବାକୁ ସମନ ବି କରାଯାଇଥିଲା। କିନ୍ତୁ ସେ ସମନ ଅନୁସାରେ ହାଜର ନ ହୋଇ ନିଜ ବାସଭବନ ବାହାରେ ଓ ଦଳୀୟ କର୍ମୀଙ୍କ ଉପସ୍ଥିତିରେ ଇଡି ଓ କେନ୍ଦ୍ର ବିରୋଧରେ ବର୍ଷିଛନ୍ତି।

ଦଳୀୟ କର୍ମୀଙ୍କୁ ହେମନ୍ତ ସୋରେନ କହିଛନ୍ତି ଯେ ଆଜି ସେ ଛତିଶଗଡ଼ର ରାୟପୁରେ ଆୟୋଜିତ ଆଦିବାସୀ ମହୋତ୍ସବରେ ଯୋଗ ଦେବାକୁ ଯିବେ। ଏଥିସହ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର ପଳାତକ ଘୋଷିତ ବ୍ୟବସାୟୀଙ୍କୁ ଧରୁ ନଥିବା ବେଳେ କେବଳ ରାଜନୀତିକ ଆକ୍ରୋଶରେ କାର୍ଯ୍ୟ କରୁଥିବା ସେ ଅଭିଯୋଗ କରିଛନ୍ତି।

nis-ad
Leave A Reply

Your email address will not be published.