ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଘୋଷଣା: ମୃତ ପୋଲିଂ ଅଧିକାରୀଙ୍କ ପରିବାରକୁ ମିଳିବ ୧୫ ଲକ୍ଷ ଟଙ୍କା

ଭୁବନେଶ୍ବର: ଧାମନଗର ବିଧାନସଭା ଉପନିର୍ବାଚନ ଲାଗି ମତଦାନ ଜାରି ରହିଛି। ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଏକ ସାମ୍ବାଦିକ ସମ୍ମିଳନୀରେ ଅଧିକ ସୂଚନା ଦେଇଛନ୍ତି। ସେ କହିଛନ୍ତି,  ପୂର୍ବାହ୍ନ ୧୧ଟା ସୁଦ୍ଧା ୨୨.୩୬ ପ୍ରତିଶତ ମତଦାନ ହୋଇଛି। ସକାଳ ୯ଟା ସୁଦ୍ଧା ୧୦.୨୫ ପ୍ରତିଶତ ମତଦାନ ହୋଇଥିଲା। ୧୫, ୬୯ , ୭୪ , ୭୫ ଓ ୧୬୫ ନଂ ବୁଥ୍ ଇ ଭି ଏମ୍ ରେ ସାମାନ୍ୟ ତ୍ରୁଟି ଥିଲା। ଏହାକୁ ପୁନଃ କାର୍ଯ୍ୟକ୍ଷମ କରାଯାଇଛି। ଏହାଛଡ଼ା ଅନ୍ୟ କୌଣସି ବୁଥରେ କୌଣସି ଅପ୍ରୀତିକର ଘଟଣା ଘଟିନାହିଁ। ନିୟମ ଅନୁଯାୟୀ, ମୃତ ପୋଲିଂ ଅଧିକାରୀ ନଟବର ମୁଣ୍ଡାଙ୍କ ପରିବାରକୁ ୧୫ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ପ୍ରଦାନ କରାଯିବ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଘୋଷଣା କରିଛନ୍ତି।

ସୂଚନାଯୋଗ୍ୟ, ଧାମନଗର ବିଧାନସଭା ଉପନିର୍ବାଚନ ଲାଗି ନିୟୋଜିତ ଫାର୍ଷ୍ଟ ପୋଲିଂ ଅଫିସର୍ ନଟବର ମୁଣ୍ଡାଙ୍କ ଅକାଳ ବିୟୋଗ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୪୦ ବର୍ଷ ହୋଇଥିଲା। ସେ ନିଜର ଅସୁସ୍ଥତା ସଂପର୍କରେ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ସୂଚିତ କରିବା ପରେ ବି ତାଙ୍କୁ ନିର୍ବାଚନ ଦାୟିତ୍ବ ଦିଆଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣା ସାରା ଜିଲ୍ଲାରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

ଗତକାଲି ରାତିରେ ନଟବର ମୁଣ୍ଡା ଭୀଷଣ ଅସୁସ୍ଥ ହୋଇପଡ଼ିଥିଲେ। ପରିବାର ଲୋକେ ଗତକାଲି ତାଙ୍କୁ ଭଦ୍ରକ ମେଡ଼ିକାଲରେ ଭର୍ତ୍ତି କରିଥିଲେ। ରାତିରେ ସେ ଗୁରୁତର ହେବାରୁ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା। ଆଜି ସକାଳେ ତାଙ୍କର ଦେହାନ୍ତ ହୋଇଯାଇଛି।

ନଟବର ମୁଣ୍ଡା ଭଦ୍ରକ ଜିଲ୍ଲା ଓଲାଙ୍ଗ ନେଡାଲ୍ ୟୁପି ସ୍କୁଲରେ ସହକାରୀ ଶିକ୍ଷକ ଭାବେ କାର୍ଯ୍ୟ କରୁଥିଲେ। ସେ ନିଜର ଅସୁସ୍ଥତା ସଂପର୍କରେ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ସୂଚିତ କରି ତାଙ୍କୁ ନିର୍ବାଚନ କାମ ନ ଦେବା ଲାଗି ଅନୁରୋଧ କରିଥିଲେ। ହେଲେ ସେଥିପ୍ରତି କେହି କର୍ଣ୍ଣପାତ କରି ନଥିଲେ। ଦୋବଲ ଜୋନର ଏକ ବୁଥରେ ତାଙ୍କୁ ଫାର୍ଷ୍ଟ ପୋଲିଂ ଅଫିସର୍ ଭାବେ ନିୟୋଜିତ କରାଯାଇଥିଲା। ସେ ଅସୁସ୍ଥ ଥାଇ ମଧ୍ୟ  ଗତ ୧ ତାରିଖରୁ  ଦାୟିତ୍ବ ନିର୍ବାହ କରିବାକୁ ଏଠାକୂୁ ଆସିଥିଲେ।

ଆଜି ସକାଳୁ ଆରମ୍ଭ ହୋଇଛି ବହୁ ପ୍ରତୀକ୍ଷିତ ଧାମନଗର ବିଧାନସଭା ଉପନିର୍ବାଚନ ଲାଗି ‌ଭୋଟ ଗ୍ରହଣ। ଧାମନଗର ବିଧାନସଭା ଆସନ ଲାଗି ଆଜି ସକାଳ ୭ରୁ ମତଦାନ ଆରମ୍ଭ ହୋଇଛି। ଭୋଟ ଦେବା ପାଇଁ ସକାଳୁ ସକାଳୁ ବିଭିନ୍ନ ଭୋଟଗ୍ରହଣ କେନ୍ଦ୍ରରେ ଭୋଟରଙ୍କ ଭିଡ ଦେଖିବାକୁ ମିଳିଛି। ଆଜିର ଭୋଟଗ୍ରହଣ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ। ଭୋଟର ପରିଚୟପତ୍ର ବ୍ୟତୀତ ସ୍ୱୀକୃତିପ୍ରାପ୍ତ ଅନ୍ୟ ୧୨ଟି ଡକ୍ୟୁମେଣ୍ଟକୁ ମଧ୍ୟ ଦେଖାଇ ଭୋଟ ଦେଇହେବ। ଭୋଟରଙ୍କ ପାଇଁ ୨୫୨ଟି କେନ୍ଦ୍ରରେ ମତଦାନ ବ୍ୟବସ୍ଥା ହୋଇଥିବା ବେଳେ ନିର୍ବାଚନମଣ୍ଡଳୀର ମୋଟ୍‌ ୨ ଲକ୍ଷ ୩୮ହଜାର ୩୫୦ ଭୋଟର ୫ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ। ତିହିଡିର ୭୦ ବୁଥରେ ୬୮ ହଜାର ୫୦୬ ଜଣ ଭୋଟର ଭୋଟ ଦେବେ। ସେହିପରି ଧାମନଗର ବ୍ଲକର ୧୮୨ଟି ବୁଥରେ ମୋଟ ୧ ଲକ୍ଷ ୭୯ ହଜାର ୮୩୮ ଜଣ ଭୋଟର ଭୋଟ ଦେବେ। ଆଜି ମୋଟ ୧ ଲକ୍ଷ ୨୩ ହଜାର ୧୩ ଜଣ ପୁରୁଷ ଭୋଟର ଭୋଟ ଦେବାକୁ ଥିବା ବେଳେ ୧ ଲକ୍ଷ ୧୫ ହଜାର ୩୧୪ ଜଣ ଭୋଟର ମତଦାନ କରିବେ।

ଭୋଟଗ୍ରହଣ କେନ୍ଦ୍ରରେ ଶାନ୍ତି ଶୃଙ୍ଖଳା ରକ୍ଷା ନିମନ୍ତେ ୯୯୭ ଜଣ ପୁଲିସ କର୍ମଚାରୀଙ୍କୁ ବିଭିନ୍ନ ମତଦାନ କେନ୍ଦ୍ରରେ ନିୟୋଜିତ କରାଯାଇଛି। ଏହି ନିର୍ବାଚନମଣ୍ଡଳୀରେ ୧୨୬ଟି ୱେବ୍ କଷ୍ଟ ବୁଥ କରାଯାଇଥିବା ବେଳେ ୧୫ଟି ଆଦର୍ଶ ବୁଥ୍‌ ଓ ମହିଳାଙ୍କ ନିମନ୍ତେ ୫ଟି ପିଙ୍କ୍‌ ବୁଥ୍‌ର ବ୍ୟବସ୍ଥା କରାଯାଇଛି। ଚିହ୍ନଟ ହୋଇଥିବା ୧୧୦ଟି ଉତ୍ତେଜନାପ୍ରବଣ ବୁଥ୍‌ ଓ ୫୦ଟି ଅତି ଉତ୍ତେଜନାପ୍ରବଣ ବୁଥ୍‌ରେ ସଶସ୍ତ୍ର ବଳଙ୍କୁ ମୁତୟନ କରାଯିବା ସହ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

nis-ad
Leave A Reply

Your email address will not be published.