ବୁଗୁଡ଼ାରେ ଅଁଳା ନବମୀ ଉତ୍ସବ ପାଳିତ

ବୁଗୁଡ଼ା : ବୁଗୁଡ଼ା ଅଞ୍ଚଳର ବିଭିନ୍ନ ମନ୍ଦିରରେ ଅଁଳା ନବମୀ ଉତ୍ସବ ଯଥା ରୀତିନୀତି ପ୍ରକାରେ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟବିରଞ୍ଚି ନାରାୟଣ ମନ୍ଦିର ପରିସରସ୍ଥ ରଘୁନାଥ ମନ୍ଦିରରେ ପୁରୋହିତ ଉମାକାନ୍ତ ଦାଶଙ୍କ ତତ୍ତ୍ବାବଧାନରେ ଉକ୍ତ ଉତ୍ସବ ପାଳନ ଅବସରରେ ଦେବାଦେବୀଙ୍କ ପହଡ, ଅବକାଶ , ମଙ୍ଗଳ ଆଳତି, ଅଁଳା ମାଳାର୍ପଣ, ବାଳଭୋଗ, ରାଧା ପାଦ ଦର୍ଶନ ଆଦି କାର୍ଯ୍ୟକ୍ରମ ଯଥାବିଧି ପ୍ରକାରେ ଅନୁଷ୍ଠିତ ହୋଇଥିଲା ବେଳେ ଗୋପୀନାଥ ମନ୍ଦିର ଓ ବଳଦେବ ମନ୍ଦିରରେ ମଧ୍ଯ ଅନୁରୂପ ଭାବେ ପାଳନ କରାଯାଇଥିଲା । ସେହିପରି ବାଲିପଦର ଗ୍ରାମସ୍ଥିତ ରଘୁନାଥ ସ୍ବାମୀ ମନ୍ଦିର, ବାଦୁଆର ରାଧାକୃଷ୍ଣ ମନ୍ଦିର ଓ କଦମ୍ବ ମଠର ରାଧାକୃଷ୍ଣ ମନ୍ଦିରରେ ପାରମ୍ପରିକ ରୀତିରେ ଅଁଳା ନବମୀ ଉତ୍ସବ ପାଳିତ ହୋଇଥିଲା । ତେବେ ଗତ ଦୁଇ ବର୍ଷ କରୋନା କଟକଣା ଯୋଗୁଁ ଏହି ଉତ୍ସବ ପାଳନ ଫିକା ପଡିଯାଇଥିଲା ବେଳେ ଏଥର କିନ୍ତୁ କୌଣସି କଟକଣା ନଥିବାରୁ ମନ୍ଦିର ଗୁଡିକରେ ଭକ୍ତଙ୍କ ଭିଡ ଦେଖିବାକୁ ମିଳିଥିଲା ।

nis-ad
Leave A Reply

Your email address will not be published.