ଜିଲ୍ଲା ସ୍ତରୀୟ ଆନ୍ତଃ ବିଦ୍ୟାଳୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ବାଳିକା, ବାଳକ ବର୍ଗରେ ଭଞ୍ଜନଗର ଚମ୍ପିୟାନ

ଛତ୍ରପୁର : ସ୍ଥାନୀୟ ଅନସ୍ଲୋ ମିନି ଷ୍ଟାଡିୟମ ପରିସରରେ ଚାଲିଥିବା ଦୁଇ ଦିନିଆ ଜିଲ୍ଲା ସ୍ତରୀୟ ଆନ୍ତଃ ବିଦ୍ୟାଳୟ ଫୁଟବଲ ଟୁର୍ଣ୍ଣାମେଂଟ ସୋମବାର ଉଦଯାପିତ ହୋଇଯାଇଛି । ଅନୁଷ୍ଠିତ ଫାଇନାଲ ମ୍ୟାଚ୍ ରେ ବାଳିକା ବର୍ଗରେ ଭଞ୍ଜନଗର ଜୋନ୍ ୨-୦ ଗୋଲ୍ ରେ ଶେରଗଡ ଜୋନ୍ କୁ ହରାଇ ବିଜୟ ହେବା ସହ ଚମ୍ପିୟାନ ହୋଇଛନ୍ତି । ସେହିପରି ବାଳକ ବର୍ଗରେ ଭଞ୍ଜନଗର ଜୋନ୍ ୫-୦ ଗୋଲରେ ହିଞ୍ଜିଳିକାଟୁ ଜୋନ୍ କୁ ହରାଇ ବିଜୟ ହେବା ସହ ଚମ୍ପିୟାନ ହୋଇଛନ୍ତି । ଏହି ଉଦଯାପନୀ ଉତ୍ସବର ଆୟୋଜିତ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥିଭାବେ ଗଞ୍ଜାମ ଜିଲ୍ଲା ଅତିରିକ୍ତ ଜିଲାପାଳ ପ୍ରିୟରଞ୍ଜନ ପୃଷ୍ଟି ଯୋଗଦେଇ ଉଭୟ ଚମ୍ପିୟାନ ଓ ରନର୍ସ ଦଳକୁ ଟ୍ରଫି ପ୍ରଦାନ କରିବା ସହ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ । ଏହି ଟୁର୍ଣ୍ଣାମେଂଟରେ ବାଳିକା ବିଭାଗର ବେଷ୍ଟ ଗୋଲକିପରି ଭାବେ ଶେରଗଡ ବ୍ଲକର ଦିପିକା ବେହେରା ଓ ବାଳକ ବିଭାଗର ହିଞ୍ଜିଳର ଶଙ୍କର ଦଲେଇ । ଭଲ ଡିଫେନ୍ସ ଭାବେ ବାଳିକା ବିଭାଗର ଭଞ୍ଜନଗର ର ରଞ୍ଜିତା ବିଷୋୟୀ ଓ ବାଳକ ବିଭାଗର ଭଞ୍ଜନଗର ର ରାଜା ନାୟକ ଅତିଥିଙ୍କ ଦ୍ୱାରା ପୁରସ୍କୃତ ହୋଇଥିଲେ । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲା କ୍ରୀଡା ଅଧିକାରୀ ସୁକାନ୍ତ ମିଶ୍ର, ଜିଲା ଆର୍ଥେଲେଟିକ ଉପସଭାପତି ପ୍ରଫୁଲ ପଟ୍ଟନାୟକ,ଅତିରିକ୍ତ ଜିଲା ଶିକ୍ଷାଧିକାରୀ ପବିତ୍ର ମୋହନ ସାହୁ, ଏକ୍ସ ଆଇପିଇ ଦିନବନ୍ଧୁ ପାତ୍ର,ହିଞ୍ଜିଳି ବ୍ଲକ ଶିକ୍ଷାଧିକାରୀ ଏସ.ଗିରିଧର, ଗଞ୍ଜାମ ବିଇଓ ଭାଗିରଥି ବେହେରା, ରଙ୍ଗେଇଲୁଣ୍ଡା ବିଇଓ ଶାନ୍ତିଲତା ମୁନି ପ୍ରମୁଖ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମକୁ ଜିଲା ଶିକ୍ଷାଧିକାରୀ ବିନିତା ସେନାପତି ସଭାପତିତ୍ୱ କରିଥିବା ବେଳେ ଭାଗିରଥି ସ୍ୱାଇଁ ସଂଯୋଜନା କରିଥିଲେ । ଛତ୍ରପୁର ବିଇଓ ସିତାରାମ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ଜିଲ୍ଲାର ବହୁ କ୍ରୀଡା ଶିକ୍ଷକ/ଶିକ୍ଷୟତ୍ରୀ ମାନେ ପରିଚାଳନା ରେ ସହଯୋଗ କରିଥିଲେ ।

nis-ad
Leave A Reply

Your email address will not be published.