ପୋଲାଭରମ ପ୍ରକଳ୍ପକୁ ନେଇ ୪ ରାଜ୍ୟର ବୈଠକ

ନୂଆଦିଲ୍ଲୀ : ପୋଲାଭରମ ଇନ୍ଦିରାସାଗର ବହୁମୁଖୀ ଜଳସେଚନ ପ୍ରକଳ୍ପ ବିବାଦର ସମାଧାନ ପାଇଁ ଶୁକ୍ରବାର ଦିନ କେନ୍ଦ୍ରୀୟ ଜଳ ଆୟୋଗ (ସିଡବ୍ଲ୍ୟୁସି) ଅଧ୍ୟକ୍ଷ ଆର୍‌କେ ଗୁପ୍ତାଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଓଡ଼ିଶା, ଆନ୍ଧ୍ରପ୍ରଦେଶ, ଛତିଶଗଡ଼ ଓ ତେଲେଙ୍ଗାନାର ବୈଷୟିକ ଟିମ୍‌ ଯୋଗ ଦେଇଥିଲେ। ପ୍ରକଳ୍ପର ପରିବେଶ ମଂଜୁରି, ବୁଡ଼ି ଅଂଚଳ ଆକଳନ ଭଳି ସମସ୍ୟାର ସମାଧାନ ନ ହେବା ପର୍ଯ୍ୟନ୍ତ ଯୁଗ୍ମ ସର୍ଭେ ଓ ଜନଶୁଣାଣି ହୋଇ ପାରିବ ନାହିଁ ବୋଲି ବୈଠକରେ ଓଡ଼ିଶା ‌‌ନିଜ ଆଭିମୁଖ୍ୟ ସ୍ପଷ୍ଟ କରିଛି।

ବୈଠକରେ ଓଡ଼ିଶାର ବୈଷୟିକ ଟିମ୍‌ ଉଦ୍‌ବେଗ ପ୍ରକାଶ କରି କହିଥିଲେ ଯେ ସିଡବ୍ଲ୍ୟୁସି ପ୍ରକଳ୍ପର ବନ୍ୟା ପରିମାଣ ୩୬ ଲକ୍ଷ କ୍ୟୁସେକ୍‌ରୁ ୫୬ ଲକ୍ଷ କ୍ୟୁସେକ୍‌କୁ ସଂଶୋଧନ କରିଛନ୍ତି। ଏହା ଦ୍ବାରା ଓଡ଼ିଶାର ମାଲକାନଗିରି ଜିଲ୍ଲା ବ୍ୟାପକ ଭାବେ ପ୍ରଭାବିତ ହେବ। ରୁର୍‌କି ଆଇଆଇଟି ଦ୍ବାରା କରାଯାଇଥିବା ଆକଳନ ଅନୁସାରେ ପ୍ରକଳ୍ପରେ ବନ୍ୟା ଜଳ ପରିମାଣ ୫୮ ଲକ୍ଷ କ୍ୟୁସେକ ହେବ। ନୂତନ ନକ୍‌ସା ଅନୁସାରେ ପ୍ରକଳ୍ପର ଉପର ମୁଣ୍ଡରେ ପଛୁଆ ବନ୍ୟା ଜଳ (ବ୍ୟାକ୍‌ ୱାଟର) ବ୍ୟାପକ ଅଞ୍ଚଳକୁ ମାଡ଼ିବ। ଏହି ଦୃଷ୍ଟିରୁ ପ୍ରଥମେ ବୁଡି ଅଂଚଳର ଆକଳନ ଓ ପୁନଃ ସମୀକ୍ଷା କରାଯାଉ। ପ୍ରକଳ୍ପ ପାଇଁ ଯେଉଁ ସବୁ ବୈଧାନିକ ମଂଜୁରି ପ୍ରଦାନ କରାଯାଇଛି ତଥା ସିଡବ୍ଲ୍ୟୁସି ଓ ଆନ୍ଧ୍ର ପ୍ରଦେଶ ଦ୍ବାରା କରାଯାଇଥିବା ବ୍ୟାକ୍‌ ୱାଟର ଅଧ୍ୟୟନର ପୁନଃ ସମୀକ୍ଷା କରାଯାଉ। ପ୍ରକଳ୍ପର ଅପରେସନ୍‌ ପ୍ରୋଟୋକଲ୍‌ ଓ ହାଇଡ୍ରୋଲୋଜି ସଂପର୍କିତ ପ୍ରସଙ୍ଗଗୁଡ଼ିକରେ ଚୂଡ଼ାନ୍ତ ନିଷ୍ପତ୍ତି ତଥା ସମାଧାନ ନ ହେବା ପର୍ଯ୍ୟନ୍ତ ପ୍ରକଳ୍ପ ପ୍ରଭାବିତ ଅଂଚଳରେ ଜନଶୁଣାଣି କରାଯାଇପାରିବ ନାହିଁ ବୋଲି ବୈଠକରେ ଓଡ଼ିଶାର ବୈଷୟିକ ଟିମ ଆଭିମୁଖ୍ୟ ସ୍ପଷ୍ଟ କରିଥିଲା। ଓଡ଼ିଶା ପକ୍ଷରୁ ବୈଠକରେ ଆଶୁତୋଷ ଦାସ (ଇଆଇସି), ସାଗର ମହାନ୍ତି (ସିଇ), ଉପେନ୍ଦ୍ର ସେଠୀ (ସିଇ) ଏବଂ ତ୍ରିବିକ୍ରମ ପ୍ରଧାନ (କନସଲ୍‌ଟାଣ୍ଟ) ‌ଯୋଗ ଦେଇଥିଲେ।

ଅପରପକ୍ଷେ ଆନ୍ଧ୍ରପ୍ରଦେଶ ପକ୍ଷରୁ ଯୁଗ୍ମ ସର୍ଭେ ଓ ଜନଶୁଣାଣି ପାଇଁ ସମସ୍ତ ପ୍ରକାର ସହଯୋଗ କରାଯିବ ବୋଲି ବୈଠକରେ ପ୍ରତିଶ୍ରୁତି ଦିଆଯାଇଥିଲା। ବୈଠକରେ ତେଲେଙ୍ଗାନା ଏବଂ ଛତିଶଗଡ଼ ପକ୍ଷରୁ ପୋଲାଭରମ ପ୍ରକଳ୍ପ ‌ଯୋଗୁଁ ପଛୁଆ ଜଳର ସମସ୍ୟା ପ୍ରସଙ୍ଗରେ ଆଶଙ୍କା ବ୍ୟକ୍ତ କରାଯାଇଥିଲା। ସଦ୍ୟ ପଛୁଆ ଜଳ ପ୍ରଭାବ ଅଧ୍ୟୟନ ପାଇଁ କମିଟି ଗଠନ କରିବା ପାଇଁ ‌ତେଲେଙ୍ଗାନା ପକ୍ଷରୁ ବୈଠକରେ ଦାବି ଉପସ୍ଥାପନ କରାଯାଇଥିଲା। ଏକାଧିକ ଆକଳନରେ ପୋଲାଭରମ ପ୍ରକଳ୍ପର ବନ୍ୟା ଜଳ ପରିମାଣ ୫୮ ଲକ୍ଷ କ୍ୟୁସେକ ହେବ ବୋଲି ଆକଳନ କରାଯାଉଥିବାରୁ ଏ ସଂପର୍କରେ ଆୟୋଗ ଚୂଡ଼ାନ୍ତ ନିଷ୍ପତ୍ତି ନେଉ ବୋଲି ବୈଠକରେ ଦାବି କରାଯାଇଥିଲା।

ଆୟୋଗର ଅଧ୍ୟକ୍ଷ ପୋଲାଭରମ ପ୍ରକଳ୍ପ ଯୋଗୁଁ ପଛୁଆ ବନ୍ୟାଜଳର ଆଶଙ୍କାକୁ ସିଧାସଳଖ ଖଣ୍ଡନ କରିଥିଲେ। ବୈଠକରେ ଚାରି ରାଜ୍ୟକୁ ସେମାନଙ୍କର ପ୍ରକଳ୍ପ ସଂପର୍କିତ ପ୍ରସଙ୍ଗକୁ ଲିଖିତ ଭାବେ ଉପସ୍ଥାପନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ବୈଠକରେ ପ୍ରକଳ୍ପକୁ ନେଇ ଲାଗିରହିଥିବା ରାଜ୍ୟମାନଙ୍କର ଚିନ୍ତା, ଆଶଙ୍କା ଓ ବିବାଦ ସଂପର୍କରେ ‌କୌଣସି ସମାଧାନ ହୋଇପାରିନାହିଁ।

ଆୟୋଗଙ୍କ ଆଗକୁ ଦ୍ବାରା ଆଉ ଦୁଇ ପର୍ଯ୍ୟାୟ ବୈଠକ ହେବ ବୋଲି ଜଣାପଡ଼ିଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଆଧାରରେ ଏହି ବୈଠକ ଚାଲିଛି। ଗତ ମାସ ୨୯ରେ କେନ୍ଦ୍ର ଜଳ ଶକ୍ତି ମନ୍ତ୍ରାଳୟ ସଚିବ ଚାରି ରାଜ୍ୟର ମୁ୍‌ଖ୍ୟ ଶାସନ ସଚିବ ଓ ଜଳ ସଂପଦ ବିଭାଗର ସଚିବଙ୍କ ସହିତ ବୈଠକ କରିଥିଲେ। ବୈଠକରେ କୌଣସି ନିଷ୍କର୍ଷ ବାହାରି ପାରିନଥିଲା। ଏହା ପରେ ବୈଷୟିକ ବିଶେଷଜ୍ଞ ବୈଠକ ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଜଳଶକ୍ତି ମନ୍ତ୍ରଣାଳୟ ଭବିଷ୍ୟତରେ ଚାରି ରାଜ୍ୟର ବୈଷୟିକ ବିଶେଷଜ୍ଞମାନଙ୍କ ସହିତ ‌ବୈଠକ କଲା ପରେ ସୁପ୍ରିମକୋର୍ଟରେ ଚୂଡ଼ାନ୍ତ ରିପୋର୍ଟ ଦାଖଲ କରାଯିବ ବୋଲି ମନ୍ତ୍ରାଳୟ ସୂତ୍ରରୁ ଜଣାପଡ଼ିଛି।

nis-ad
Leave A Reply

Your email address will not be published.