ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମୋଟ ସମ୍ପତ୍ତି ୬୪କୋଟି

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ସମସ୍ତ ମନ୍ତ୍ରୀଙ୍କ ସମ୍ପତ୍ତି ତାଲିକା ପ୍ରକାଶ ପାଇଛି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ(ସିଏମଓ) ୱେବସାଇଟରେ ସମସ୍ତ ମନ୍ତ୍ରୀଙ୍କର ସ୍ଥାବର ଓ ଅସ୍ଥାବାର ସମ୍ପତ୍ତି ତାଲିକା ପ୍ରକାଶ କରାଯାଇଛି। ୨୦୨୧ ଡିସେମ୍ବର ୩୧ ସୁଦ୍ଧା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ କେଉଁ ମନ୍ତ୍ରୀଙ୍କର କେତେ ସମ୍ପତ୍ତି ରହିଛି, ତାହା ପ୍ରକାଶ କରାଯାଇଛି। ୨୦୨୧ ଡିସେମ୍ବର ୩୧ ସୁଦ୍ଧା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମୋଟ ସମ୍ପତ୍ତିର ପରିମାଣ ହେଉଛି ୬୪ କୋଟି ୮୯ ହଜାର ୨୨୦ ଟଙ୍କା ବୋଲି ସୂଚନା ଦିଆଯାଇଛି।
ମିଳିଥିବା ସୂଚନା ଅନୁଯାୟୀ ମୁଖ୍ୟମନ୍ତ୍ରୀଙ୍କର ଦିଲ୍ଲୀ ଜନପଥ ବ୍ୟାଙ୍କରେ ୭୨ ଲକ୍ଷ ଟଙ୍କା ରହିଛି। ସେହିପରି ଭୁବନେଶ୍ୱର ଭାରତୀୟ ଷ୍ଟେଟ୍ ବ୍ୟାଙ୍କରେ ୨୧ ଲକ୍ଷ ୭୧ ହଜାର ଟଙ୍କା, ହିଞ୍ଜିଳିକାଟୁ ଭାରତୀୟ ଷ୍ଟେଟ୍ ବ୍ୟାଙ୍କରେ ୭ ହଜାର ୭୪ ଟଙ୍କା ଓ ହିଞ୍ଜିଳିକାଟୁ କଲେଜ କ୍ୟାମ୍ପସରେ ଥିବା ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଆକାଉଣ୍ଟରେ ୧୪ ହଜାର ୪୮୮ ଟଙ୍କା ରହିଥିବା ମୁଖ୍ୟମନ୍ତ୍ରୀ ଦର୍ଶାଇଛନ୍ତି।

ପଦ୍ମପୁର ଭାରତୀୟ ଷ୍ଟେଟବ୍ୟାଙ୍କ ୩୯,୦୨୮ ଟଙ୍କା, ଦିଲ୍ଲୀର ସଂସଦ ଭବନରେ ଥିବା ଭାରତୀୟ ଷ୍ଟେଟବ୍ୟାଙ୍କରେ ୧୮୯୩ ଟଙ୍କା ଜମା ପୁଞ୍ଜି ରହିଛି। ଏହାବ୍ୟତୀତ ପୋଷ୍ଟ ଅଫିସରେ ୫୦୩୩ ଟଙ୍କାର ଜମାପୁଞ୍ଜି, ବ୍ୟାଙ୍କ ଅଫ୍ ଇଣ୍ଡିଆରେ ୧,୧୧,୨୬,୩୭୯ ଟଙ୍କାର ଫିକ୍ସଡ ଡିପୋଜିଟ୍, ୯ କୋଟିର ରିଜର୍ଭ ବ୍ୟାଙ୍କ ବଣ୍ଡ ଓ ପୋଷ୍ଟ ଅଫିସରେ ୧ କୋଟି ଟଙ୍କାର ଟର୍ମ ଡିପୋଜିଟ୍ ରଖିଛନ୍ତି। ସେହିଭଳି ମୁଖ୍ୟମନ୍ତ୍ରୀଙ୍କ ପାଖରେ ୩,୪୫,୩୩୬ ଟଙ୍କାର ସୁନାଗହଣା, ୧୯୮୦ ମଡେଲର ଆମ୍ବାସଡର କାର ରହିଛି ଯାହାର ମୂଲ୍ୟ ୬୪୩୪ ଟଙ୍କା ରହିଛି।
ମୋଟ ୬୪ କୋଟି ଟଙ୍କାର ସମ୍ପତ୍ତି ମଧ୍ୟରୁ ପୈତୃକ ସମ୍ପତିର ମୂଲ୍ୟ ୫୨ କୋଟିରୁ ଅଧିକ ରହିଛି। ଭୁବନେଶ୍ୱର ନବୀନ ନିବାସରେ ନବୀନଙ୍କ ଦୁଇ-ତୃତୀୟାଂଶ ସେୟାର ରହିଛି। ଏହାର ମୂଲ୍ୟ ୯ କୋଟି ୫୨ ଲକ୍ଷ ୪୬ ହଜାର ୧୯୦ ଟଙ୍କା। ଦିଲ୍ଲୀର ଏପିଜେ ଅବଦୁଲ କଲାମ ରୋଡରେ ଥିବା ସମ୍ପତ୍ତିରେ ନବୀନଙ୍କ ୫୦ ପ୍ରତିଶତ ସେୟାର ରହିଛି। ଏହାର ମୂଲ୍ୟ ପ୍ରାୟ ୪୩ କୋଟି, ୩୬ ଲକ୍ଷ, ୧୮ ହଜାର ଟଙ୍କା ହେବ ବୋଲି ଜଣାପଡ଼ିଛି।

nis-ad
Leave A Reply

Your email address will not be published.